ପାଟଣା: କାଶ୍ମୀରର ୨ ଯୁବତୀଙ୍କୁ ବିବାହ କରି ଅଡୁଆରେ ପଡ଼ିଛନ୍ତି ବିହାରର ଦୁଇ ଭାଇ। ଏହି ଘଟଣା ପରେ କାଶ୍ମୀର ପୁଲିସ ବିହାର ଆସି ଉଭୟ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ତାରବେଜ ଏବଂ ମହମ୍ମଦ ପରଭେଜ। ବିହାରର ରଘୋପୁର ଥାନା ଅନ୍ତର୍ଗତ ରାମବିଶନପୁର ଗ୍ରାମରେ ସେମାନଙ୍କ ଘର।
ସୂଚନା ମୁତାବକ, ଦୁଇ ଭାଇ ତାରବେଜ ଏବଂ ପରଭେଜ କାଶ୍ମୀରରେ ଶ୍ରମିକ ଭାବେ କାମ କରୁଥିଲେ। ଏହି ସମୟରେ ସେଠାକାର ଦୁଇ ଭଉଣୀଙ୍କୁ ସେମାନେ ଭଲ ପାଇଥିଲେ। ଧାରା ୩୭୦ ଉଚ୍ଛେଦ ହେବା ପରେ ସେମାନେ ଦୁଇ ଭଉଣୀଙ୍କୁ ବିବାହ କରିଥିଲେ। ଏହା ପରେ ଦୁଇ ଭଉଣୀଙ୍କୁ ଧରି ଘରକୁ ପଳାଇ ଆସିଥିଲେ। ଗତ ବୁଧବାର କାଶ୍ମୀର ପୁଲିସ ବିହାର ଆସି ରାମବିଶନପୁର ଗାଁରେ ପହଞ୍ଚିଥିଲା। ସେଠାରେ ପୁଲିସ ଦୁଇ ଭାଇଙ୍କୁ ଗିରଫ କରିବା ସହିତ ସ୍ଥାନୀୟ ସୁପାଉଲ କୋର୍ଟରେ ହାଜର କରିଥିଲା। କୋର୍ଟରେ କାଶ୍ମୀର ଯୁବତୀଦ୍ବୟ ବୟାନ ଦେଇ କହିଥିଲେ, ସେମାନେ ନିଜ ଇଚ୍ଛାରେ ବିବାହ କରିଛନ୍ତି ଏବଂ ସେମାନଙ୍କୁ ତାଙ୍କ ସ୍ବାମୀଙ୍କ ସହିତ ରହିବାକୁ ଅନୁମତି ଦିଆଯାଉ ବୋଲି ନିବେଦନ କରିଥିଲେ। ତେବେ ଝିଅ ଦୁଇ ଜଣଙ୍କ ପରିବାର ପକ୍ଷରୁ ଅପହରଣ ଅଭିଯୋଗ କରାଯାଇଥିବାରୁ ପୁଲିସ କୋର୍ଟଙ୍କ ଅନୁମତିକ୍ରମେ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି।
ଅନ୍ୟପଟେ ପରଭେଜ କହିଛନ୍ତି, କାଶ୍ମୀରରେ କାମ କରିବା ସମୟରେ ଦୁଇ ଭାଇ ଉକ୍ତ ୨ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିନ୍ତୁ ସେଠାକାର ଝିଅଙ୍କୁ ବିବାହ କରିବାର ନିୟମ ନ ଥିବାରୁ ବିବାହ କରିପାରୁ ନ ଥିଲେ। କିନ୍ତୁ ନିକଟରେ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାକାର ଝିଅଙ୍କ ଯେକୌଣସି ରାଜ୍ୟର ପୁଅ ବିବାହ କରିପାରିବେ ବୋଲି ଜାଣିଥିଲେ। ଏହା ସେମାନଙ୍କ ପାଇଁ ସୁଯୋଗ ଆଣିଦେଇଥିଲା। ତେଣୁ ସେମାନେ ବିବାହ କରି ପଳାଇ ଆସିଥିଲେ।



