ସମାଜ ଡିଜିଟାଲ ଡେସ୍କ: ପାତ୍ରପଡ଼ା ଭି-୨ ନିକଟରେ ରାକ୍ଷୀ ପୂର୍ଣ୍ଣିମାରେ ଘଟିଥିବା ଦୁର୍ଘଟଣାରେ ମା’ ଓ ଝିଅଙ୍କ ମୃତ୍ୟୁ ମାମଲାରେ କମିଶନରେଟି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୋହମରାଜ ତ୍ରିପାଠୀ ଏବଂ ରୋହନ ରଞ୍ଜନ ରାଉତ। ଉଭୟେ ଏକ ସ୍କର୍ପିଓ ଗାଡ଼ିରେ ଦୁର୍ଘଟଣା ଘଟାଇଥବା ଥାର ଗାଡ଼ି ସହିତ ରେସ୍ କରୁଥିଲେ। ସୋହମରାଜ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ରୋହନ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ। ଏହା ସହିତ ସ୍କର୍ପିଓକୁ ଜବତ କରାଯାଇଛି।
ସୂଚନା ଅନୁସାରେ, ଦୁର୍ଘଟଣା ପରେ ସେମାନେ ମନାଲି ବୁଲିବାକୁ ପଳାଇଥିଲେ। ସେଠାରେ ଉଭୟେ ଛୁଟି କାଟିଥିଲେ। ଦୁର୍ଘଟଣାକୁ ନେଇ ପୁଲିସ ସେମାନଙ୍କୁ ଖୋଜୁଥିବାରୁ ସେମାନେ ଆଉ ଓଡ଼ିଶା ନ ଫେରି ଦିଲ୍ଲୀରେ ଲୁଚିଥିଲେ। କମିଶନରେଟ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଦିଲ୍ଲୀରୁ ଉଭୟଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ପାତ୍ରପଡ଼ା ନିକଟ ଭି-୨ ଶପିଂ ମଲ ପାଖରେ ମା’, ପୁଅ ଏବଂ ଝିଅ ହାତ ଧରାଧରି ହୋଇ ରାସ୍ତା ପାର ହେଉଥିବା ସମୟରେ ଏକ ଥାର ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାରେ ମା’ ଓ ପୁଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ପରେ ମା’ର ମୃତ୍ୟୁ ଘଟିଥିଲା। ଝିଅଟି ତା’ ମାମୁଁ ଘରକୁ ରାକ୍ଷୀ ବାନ୍ଧିବାକୁ ମା’ ଓ ଭାଇ ସହିତ ଯାଇଥିଲା। ସେଠାରୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।



