ଆଠଗଡ: ଆଠଗଡ ବନାଞ୍ଚଳକୁ ପ୍ରାୟ ୮ ମାସ ବ୍ୟବଧାନ ପରେ ଚନ୍ଦକା ଅଞ୍ଚଳରୁ ପୁଣି ଫେରିଛନ୍ତି ୨୩ଟିକିଆ ହାତୀପଲ । ଗୁରୁବାର ଭୋର ପ୍ରାୟ ୪ ଟା ବେଳେ ଚନ୍ଦକାରୁ ଡମପଡା ସଂରକ୍ଷିତ ଜଙ୍ଗଲ ଦେଇ ୨୨ ଘର ହାତୀ ମହାନଦୀ ପାର ହୋଇ ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ନିକଟ ବାଘେରା ପାଖରେ ଉଠିବା ପରେ ସୁକାଶନ ସଂରକ୍ଷିତ ଜଙ୍ଗଲକୁ ଆସିଛନ୍ତି । ପୁଣି ଶୁକ୍ରବାର ଭୋର ସମୟରେ ପଛରେ ରହିଯାଇଥିବା ଆଉ ଏକ ଦନ୍ତା ହାତୀ ନଦୀ ପାର ହୋଇ ସୁକାଶନ ଜଙ୍ଗଲକୁ ଆସିଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ପୂର୍ବରୁ ଏଠାରେ ଏକ ଗୋଟିକିଆ ମାଈ ହାତୀ ରହିଥିଲା । ଏବେ ସର୍ବମୋଟ ୨୪ଟି ହାତୀ ସୁକାଶନ ଜଙ୍ଗଲରେ ରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୮ଟି ଛୁଆ ହାତୀ, ୯ଟି ମାଈ, ୫ଟି ଦନ୍ତା ଓ ଗୋଟିଏ ମାଖନା ହାତୀ ରହିଛନ୍ତି। ଏବେ ହାତୀପଲ ଆସିବା ପରେ ସେମାନଙ୍କ ସୁରକ୍ଷା ନେଇ ବନ ବିଭାଗ ମୁଣ୍ଡ ବିନ୍ଧା ଆରମ୍ଭ ହୋଇ ଯାଇଥିବାବେଳେ ନିଜ କ୍ଷେତର ଫସଲ ହାତୀ ମୁଁହରୁ କିପରି ବଞ୍ଚାଇବେ ସେଥିପାଇଁ ଚାଷୀଙ୍କ ଚିନ୍ତା ବଢିଗଲାଣି। ଆଠଗଡ ବନଖଣ୍ଡ ଅଧିନ ଆଠଗଡ ବନାଞ୍ଚଳରେ ଚନ୍ଦକା ହାତୀ ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ କପିଳାସ ହାତୀ ନିୟମିତ ଜଙ୍ଗଲରୁ ବାହାରି ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲ ଖାଇବା ସହ କୁଦି ଦଳି ନଷ୍ଟ କରୁଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି ।
ଫସଲ କ୍ଷୟକ୍ଷତି ବାବଦରେ ବନ ବିଭାଗ ଯେଉଁ କ୍ଷତିପୂରଣ ଦେଉଛି ତାହା ସମୁଦ୍ରକୁ ଶଂଖେ ପରି ହେଉଛି। ଫଳରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରି ବର୍ଷଯାକର ଆହାର ଓ ଖର୍ଚ୍ଚବାଚ ପାଇଁ ଆଶା କରିଥିବା ଚାଷୀ ନିଜ ଫସଲ ହାତୀ ପେଟକୁ ଯାଉଥିବା ଦେଖି ଧୈର୍ଯ୍ୟହରା ଓ ହତାଶ ହୋଇପଡୁଛନ୍ତି। ଅନ୍ୟ ପକ୍ଷରେ ଆଠଗଡ ଅଞ୍ଚଳରେ ଅନେକ ସମୟରେ ବିଦ୍ୟୁତ କରେଣ୍ଟ ଲାଗି ହେଉ ଅବା ରୋଗ ବା ଅନ୍ୟ କାରଣରୁ ହାତୀ ମୃତ୍ୟୁର ବି ବହୁ ନଜିର ରହିଛି । ତେବେ ବନବିଭାଗ ହାତୀଙ୍କ ସୁରକ୍ଷା ସହିତ ଚାଷୀଙ୍କ ଫସଲ କିପରି ବଞ୍ଚାଇବେ ସେଥିପାଇଁ ଉଦ୍ୟମ କରୁଛନ୍ତି । ଏବେ ଚନ୍ଦକାରୁ ଆସିଥିବା ୨୩ ଟିକିଆ ହାତୀପଲ୍ଲ ଓ ପୂର୍ବରୁ ଥିବା ଗୋଟିଏକୁ ମିଶାଇ ୨୪ଟି ହାତୀଙ୍କ ସୁରକ୍ଷାକୁ ବିଭାଗ ଗୁରୁତ୍ୱ ଦେଉଛି। ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାଶନ ଜଙ୍ଗଲରେ ଥିବା ହାତୀପଲ ଗତିବିଧି, ଚଳପ୍ରଚଳ ରାସ୍ତା ଉପରେ ନଜର ରଖିବା ସହିତ ସେସବୁ ଅଞ୍ଚଳର ଚାଷୀମାନଙ୍କୁ ସତର୍କ କରାଇବାକୁ ଡିଏଫଓ ଦାୟିତ୍ୱ ନିର୍ବାହ କରୁଥିବା ଏସିଏଫ ଡାକ୍ତର ଚିଚିଲିଚି ବିଶ୍ୱାଳ ନିର୍ଦ୍ଦେଶ ଦେଇଛନ୍ତି। ହାତୀମାନେ ଆଠଗଡ-ମୁଣ୍ଡଳି ଭାୟା ମେଘା ରାସ୍ତା ପାର ସମୟରେ ବନପାଳ ସୁଶୀଲ କୁମାର ଜେନା ଓ ବନରକ୍ଷୀ ପ୍ରଶାନ୍ତ କୁମାର ବେହେରାଙ୍କ ସହିତ ହାତୀ ଜଗୁଆଳି ସଜାଗ ରହି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଡିମଟର ଚଳାଚଳ ନିୟନ୍ତ୍ରଣ କରୁଛନ୍ତି । ଡ୍ରୋନ ସାହାଯ୍ୟରେ ମଧ୍ୟ ହାତୀଙ୍କ ଗତିବିଧି ଓ ଚଲାପଥ ଉପରେ ନଜର ରଖାଯାଉଛି । ସେହି ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ ସହିତ ହାତୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ରଖାଯାଉଛି ବୋଲି ଭାରପ୍ରାପ୍ତ ଡିଏଫଓ ଡାକ୍ତର ବିଶ୍ୱାଳ ପ୍ରକାଶ କରିଛନ୍ତି।



