ସଂସଦ ଭବନରେ ମାରପିଟ୍‌‌ ଲାଗିଲେ ସାଂସଦ; ଏମିତି ହେଲା ଅବସ୍ଥା

ତୁର୍କୀ: ଶୁକ୍ରବାର ତୁର୍କୀ ସଂସଦରେ ଦେଖିବାକୁ ମିଳିଥିଲା ପ୍ରବଳ ହଙ୍ଗାମା। ଶାସକ ଓ ବିରୋଧୀ ସାଂସଦଙ୍କ ମଧ୍ୟରେ ତୀବ୍ର ଲଢେଇ ହୋଇଥିଲା। ଏହି ଲଢେଇ ସମୟରେ ଶାସକ ଦଳ ଓ ବିରୋଧୀ ଦଳର ସାଂସଦଙ୍କ ମଧ୍ୟରେ ତୀବ୍ର ଧସ୍ତାଧସ୍ତି ହେଉଥିବାର ଭିଡ଼ିଓ ସାମ୍ନାକୁ ଆସିଛି। ଧସ୍ତାଧସ୍ତିରେ କିଛି ମହିଳା ସାଂସଦ ଆହତ ହୋଇଥିବା ବେଳେ ସଂସଦର ଚଟାଣରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଛି। ଏହି ଘଟଣା ସେତେବେଳେ ଆରମ୍ଭ ହେଲା ଯେତେବେଳେ ବିରୋଧୀ ଦଳର ଉପନେତାଙ୍କ ଉପରେ ଆକ୍ରମଣ ହୋଇଥିଲା। କାରଣ ସେ ନିଜର ସହଯୋଗୀ ସାଂସଦଙ୍କୁ ସଂସଦରେ ସାମିଲ କରିବାକୁ କହିଥିଲେ। ସହଯୋଗୀ ନେତା ଜଣଙ୍କ ସରକାର ବିରୋଧୀ ଆନ୍ଦୋଳନ କରି ଗିରଫ ହୋଇ ଜେଲରେ ଥିବା ବେଳେ ପରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।
ଭିଡ଼ିଓ ଫୁଟେଜରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଶାସକ ଏକେପି ପାର୍ଟିର ସାଂସଦମାନେ ବାଚସ୍ପତିଙ୍କ ପୋଡିୟମରେ ଠିଆ ହୋଇଥିବା ଅହମତ ସେକଙ୍କୁ ମୁଥ ମାରିବା ପାଇଁ ଦୌଡି ଆସିଥିଲେ। ଏହାପରେ ଅନେକ ସାଂସଦମାନେ ମଧ୍ୟ ତାଙ୍କ ପଛରେ ଆସି ମାରପିଟ କରିବା ସହ ଧସ୍ତାଧସ୍ତି କରିବାକୁ ଲାଗିଥିଲେ। ସେଠାରେ ଉପସ୍ଥିତ କିଛି ସାଂସଦ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରୁଥିବା ବେଳେ ପରସ୍ପର ମଧ୍ୟରେ ଏଭଳି ଭାବେ ମାରପିଟ ଲାଗିଥିଲେ। ଚଟଣାରେ ରକ୍ତର ଛିଟା ପଡିଥିଲା। ଦୁଇ ଜଣ ସାଂସଦ ଗୁରୁତର ଭାବେ ଆହତ ହେବାରୁ ସଂସଦର କାର୍ଯ୍ୟକୁ ବନ୍ଦ କରାଯାଇଥିଲା।
ସୂଚନା ଅନୁସାରେ ଶାସକ ଦଳ ଏକେପି ପାର୍ଟିର ସଦସ୍ୟ ଅଲ୍ପେ ଓଜାଲାନ ବାମପନ୍ଥୀ ୱାର୍କର୍ସ ପାର୍ଟି ଅଫ୍‌‌ ତୁର୍କୀର ସାଂସଦ ଅହମତ ସେକ୍‌‌ଙ୍କ ଉପରେ ଆକ୍ରମଣ କରିବାରୁ ପୁରା ହଙ୍ଗାମା ଆରମ୍ଭ ହୋଇଥିଲା। ଯିଏ କି କେନ୍‌‌ ଅତାଲେଙ୍କ ପ୍ରତି ସରକାରଙ୍କ ବ୍ୟବହାରକୁ କଡା ନିନ୍ଦା କରିଥିଲେ। ସେ କହିଛନ୍ତି ଯେ ଏହା କିଛି ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଆପଣ ଅତାଲେଙ୍କୁ ଆତଙ୍କବାଦୀ ବୋଲି କହୁଛନ୍ତି। ସମସ୍ତ ନାଗରିକ ଜାଣିବା ଉଚିତ ଯେ ଦେଶର ସବୁଠାରୁ ବଡ ଆତଙ୍କବାଦୀ ହେଲେ ସେପଟ ବେଞ୍ଚରେ ବସିଥିବା ଲୋକେ। ଏହି ମନ୍ତବ୍ୟ ପରେ ସଂସଦରେ ହଙ୍ଗାମା ଆରମ୍ଭ ହୋଇଥିଲା। ୨୦୨୨ରେ କେନ୍‌‌ ଅତାଲେଙ୍କୁ ୧୮ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ୨୦୧୩ ମସିହାରେ ଅନ୍ୟ ୬ଜଣଙ୍କ ସହ ମିଶି ଦେଶବ୍ୟାପି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କୁ ଉଚ୍ଛେଦ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା।

Comments are closed.