www.samajalive.in
Friday, December 5, 2025
26.1 C
Bhubaneswar

ପ୍ରାଣଘାତୀ ସିରପ୍‌: ଔଷଧର ମାନ ଯାଞ୍ଚ କଡ଼ାକଡ଼ି ହେଉ 

ସାଧାରଣତଃ ଥଣ୍ଡା ଜ୍ବର, ଗଳା ଦରଜ ଓ କାଶ ତଥା କଫର ନିବାରଣ ଲାଗି ବର୍ଷ ବର୍ଷ ଧରି ବ୍ୟବହୃତ କଫ ସିରପ୍‌କୁ ଏବେ ୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ନ ଦେବା ଲାଗି ବାରଣ କରାଯାଇଛି। ଭେଷଜବିତ୍‌ଙ୍କ ଏଭଳି ପରାମର୍ଶ ପରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଅପମିଶ୍ରିତ କଫ ସିରପ୍‌ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୧୫ରୁ ଅଧିକ ଶିଶୁଙ୍କ ପ୍ରାଣହାନି ଘଟିବା ଏବଂ ଶତାଧିକ ଆକ୍ରାନ୍ତ ହେବା ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଏଭଳି କଟକଣା ଲାଗୁ କରିଛନ୍ତି। ବ୍ୟବହୃତ କଫ ସିରପ୍‌ର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଛି। ତେବେ ଏହି କଫ ସିରପ୍‌ରେ ଡାଇ ଏଥିଲେନ୍‌ ଗ୍ଲାଇକୋଲ(ଡିଇଜି) ଭଳି ଘାତକ ସହିତ କଳକାରଖାନାରେ ବ୍ୟବହୃତ ଗ୍ଲିସେରିନ୍‌ ମିଶାଯାଉଥିବା ଜାଣିବାକୁ ମିଳିଛି।  ସାଧାରଣତଃ କଫ ସିରପ୍‌ରେ ଗ୍ଲିସେରିନ୍‌ ବା ପ୍ରୋପିଲେନ୍‌ ଗ୍ଲାଇକୋଲ(ପିଜି) ଭଳି ରାସାୟନିକ  ତରଳ ପଦାର୍ଥ ବ୍ୟବହୃତ ହେବା କଥା। ଔଷଧକୁ ଏହା ତରଳ ଅବସ୍ଥାରେ ବେଶିଦିନ ରଖିବାରେ ସହାୟକ ହୋଇଥାଏ। ମାତ୍ର ଡିଇଜି  ପିଜିଠାରୁ ଅପେକ୍ଷାକୃତ ଶସ୍ତା। ଡିଇଜିକୁ ସାଧାରଣତଃ କଳକାରଖାନା ଓ ଶିଳ୍ପ କ୍ଷେତ୍ରର ବ୍ରେକ୍‌ ଫ୍ଲୁଇଡ୍‌, ଆଣ୍ଟିଫ୍ରିଜ୍‌, ରେଜିନ୍ସ ଓ ଡାଇ(ରଙ୍ଗ) ଆଦି କ୍ଷେତ୍ରରେ ଉପଯୋଗ କରାଯାଇଥାଏ।  ମାତ୍ର ଅନେକ ମୁନାଫାଖୋର ଔଷଧ କମ୍ପାନୀ  ପିଜି ସ୍ଥାନରେ ଡାଇ ଏଥିଲେନ୍‌ ଗ୍ଲାଇକୋଲ (ଡିଇଜି) ବ୍ୟବହାର କରୁଥିବାରୁ ଏହା ଶିଶୁମାନଙ୍କ ବୃକକ୍‌(କିଡ୍‌ନୀ)ର କ୍ଷତି ପହଞ୍ଚାଉଛି। ପିଜି ଓ ଡିଇଜି ପ୍ରାୟତଃ ଦେଖିବାକୁ ଏକାଭଳି। ଏହା ରଙ୍ଗହୀନ, ବର୍ଣ୍ଣହୀନ, ଗନ୍ଧହୀନ ଓ ତରଳ ପଦାର୍ଥ। ଏହା ଚିନି ସିରା ଭଳି ମିଠା। ତେଣୁ କଫ ସିରପ୍‌ରେ ଅପମିଶ୍ରଣ କରିବା ସହଜ।
ଅନ୍ୟପକ୍ଷରେ ଔଷଧ ପ୍ରସ୍ତୁତିର ମାନ ଯାଞ୍ଚ ଲାଗି ସରକାରଙ୍କ ଫୁଡ୍‌, ଡ୍ରଗ୍ସ ଓ କସ୍‌ମେଟିକ୍ସ କଣ୍ଟ୍ରୋଲ ଆଇନ ଓ ପ୍ରାଧିକୃତ ସଂସ୍ଥା କାର୍ଯ୍ୟ କରୁଛି। କୌଣସି ଔଷଧ ପ୍ରସ୍ତୁତି ପୂର୍ବରୁ ଏଥିରେ ବ୍ୟବହୃତ ଉପାଦାନଗୁଡ଼ିକର ଗୁଣବତ୍ତା ଏବଂ ପ୍ରସ୍ତୁତ ଔଷଧ ବିକ୍ରି ଲାଗି ବଜାରକୁ ଛଡାଯିବା ପୂର୍ବରୁ ମଧ୍ୟ ଏହାକୁ ଉକ୍ତ ସଂସ୍ଥା ଯାଞ୍ଚ କରିଥାଏ। ଏହା ସତ୍ତ୍ବେ ଅନେକ ବେନାମୀ କମ୍ପାନୀ ଅପମିଶ୍ରିତ ଔଷଧ ବିକ୍ରି କିଭଳି କରୁଛନ୍ତି ? ବଜାରରେ ବିକ୍ରି ଔଷଧର ମାନ ଯାଞ୍ଚ ଲାଗି  ଜିଲା ସ୍ତରରେ ମଧ୍ୟ ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟ ଓ ଅଧିକାରୀ କାମ କରୁଛନ୍ତି। ସେମାନେ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି। ସବୁଠୁ ସାଙ୍ଘାତିକ ହେଉଛି, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେଉଁ କଫ ସିରପ୍‌ ଶିଶୁ ମଡ଼କ ପାଇଁ ଦାୟୀ, ସେହି ସମାନ କମ୍ପାନୀ ଓ ଅନୁରୂପ ବ୍ୟାଚ୍‌ର କଫ ସିରପ୍‌ ଓଡ଼ିଶାରେ ଜବତ ହୋଇଛି। ଅନେକ ସମୟରେ ଠିକ୍ ଯାଞ୍ଚ ଅଭାବରୁ ଭିନ୍ନ ଭିନ୍ନ ବ୍ରାଣ୍ଡ୍‌ରେ ଏଭଳି ଘାତକ ନିମ୍ନମାନର ଔଷଧ ବଜାରରେ ବେଧଡ଼କ ବିକ୍ରି ଚାଲିଛି। ଏହାକୁ ବନ୍ଦ କରାଯିବା ଦରକାର। ୧୯୩୭ ମସିହାରେ   ଯୁକ୍ତରାଷ୍ଟ୍ର ଆମେରିକାରେ ଡିଇଜି ବ୍ୟବହୃତ କଫ ସିରପ୍‌ ଖାଇ ଶତାଧିକଙ୍କ ଜୀବନ ଯାଇଥିଲା। ତୁରନ୍ତ ଆମେରିକା ସରକାର ଏ ଦିଗରେ କଠୋର ଆଇନ ପ୍ରଣୟନ ସହ ତାହାକୁ କାର୍ଯ୍ୟକାରୀ କରିବା ଦ୍ବାରା ଆଜି ଯାଏ ଆଉ ଗୋଟିଏ ବି ଜୀବନ ଯାଇନାହିଁ। ଆମ ସରକାର ଓ ବ୍ୟବସ୍ଥାରେ ଏହାର ଢିଲାପଣ କାହିଁକି? ଭାରତରେ ୧୯୯୦ ଦଶକରେ ଏଭଳି ବିଷାକ୍ତ ଡିଇଜି ଯୋଗୁଁ ଶତାଧିକ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ ଓ ୨୦୨୦ରେ ଜାମ୍ମୁ-କାଶ୍ମୀରରେ ମଧ୍ୟ ଅନୁରୂପ ଅଘଟଣ ଘଟିଥିଲା। ୨୦୨୨ରେ ଭାରତ ସରକାରଙ୍କ ପକ୍ଷରୁ ଗାମ୍ବିୟା ଓ ଉଜ୍‌ବେକିସ୍ତାନକୁ ପଠାଇଥିବା କଫ ସିରପ୍‌ରେ ଏଭଳି ଅପମିଶ୍ରଣ ଥିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଭିଯୋଗ ଆଣିଥିଲା। ମାତ୍ର ଭାରତ ସରକାର ଏହାକୁ ଅସ୍ବୀକାର କରିଥିଲେ। ୨୦୨୩ରେ କେନ୍ଦ୍ର ସରକାର ରପ୍ତାନି ପୂର୍ବରୁ କଫ ସିରପ୍‌କୁ ସରକାରୀ ପରୀକ୍ଷାଗାରରେ ଠିକ୍ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଏଭଳି ନିର୍ଦେଶ ଘରୋଇ ବ୍ୟବହାର ଲାଗି ଦିଆ ନଯିବା ଦୁର୍ଭାଗ୍ୟଜନକ। ହୁଏତ ତାହା କରାଯାଇଥିଲେ ଆଜି ଏହି କାରଣରୁ ଆମ ଦେଶରେ ଶିଶୁ ମୃତ୍ୟୁ ହୋଇନଥାନ୍ତା।
ଔଷଧ ରପ୍ତାନି କ୍ଷେତ୍ରରେ ବିଶ୍ବବଜାରରେ ଭାରତର ସମ୍ମାନ ଓ ବିଶ୍ବସନୀୟତା ରହିଛି। ମାତ୍ର ନିଜ ମାଟିରେ ଏହି ଅପମିଶ୍ରିତ ତଥା ଅସୁରକ୍ଷିତ କଫ ସିରପ ରାକେଟ୍‌ ଚଳାଇଥିବା ମୁନାଫାଖୋର କମ୍ପାନୀଗୁଡିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କାରଣ ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ୟତ। ଏଣୁ ଶିଶୁ ସୁରକ୍ଷା ରାଷ୍ଟ୍ରୀୟ ପ୍ରାଥମିକତା ହେବା ଉଚିତ୍‌।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories