ସମାଜ ଡିଜିଟାଲ ଡେସ୍କ: ଆଇଫୋନ୍ ମୋବାଇଲ ନିର୍ମାତା ଆପଲ କମ୍ପାନୀକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ନିର୍ମିତ ଆଇଫୋନ ଆମେରିକାରେ ବିକ୍ରି କଲେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଆପଲ କମ୍ପାନୀ ଭାରତରେ ଏହାର ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ କରିବା ଲାଗି ନିଷ୍ପତ୍ତି ନେବା ପରେ ଟ୍ରମ୍ପ କମ୍ପାନୀକୁ ବାରମ୍ବାର ନାନା ପ୍ରକାର ଧମକ ଦେଇଆସୁଛନ୍ତି।
ପୂର୍ବରୁ ଟ୍ରମ୍ପ ଆପଲ କମ୍ପାନୀକୁ ଭାରତରେ ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ ନ କରିବା ଲାଗି କହିଥିଲେ। ଆପଲ ପୂର୍ବରୁ ଚୀନରୁ ନିଜ ୟୁନିଟ୍ ଭାରତ କିମ୍ବା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଆରମ୍ଭ କରିଆସୁଥିଲା। କିନ୍ତୁ ଟ୍ରମ୍ପଙ୍କ ଶୁଳ୍କ ଧମକ ପରେ କମ୍ପାନୀ ଚାପରେ ରହିଛି।
ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ସେ ବହୁ ପୂର୍ବରୁ ଆପଲ ସିଇଓ ଟିମ୍ କକୁକ୍ଙ୍କୁ କହିଥିଲେ ଯେ ଆମେରିକାରେ ବିକ୍ରି ହେଉଥିବା ତାଙ୍କ ଆଇଫୋନ ଆମେରିକାରେ ହିଁ ତିଆରି ହେବା ଉଚିତ। ଯଦି ଭାରତ କିମ୍ବା ଅନ୍ୟ ଦେଶରେ ଏହା ତିଆରି ହୁଏ, ତେବେ କମ୍ପାନୀକୁ ଅତି କମରେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।
ସୂଚନାଯୋଗ୍ୟ, ଆପଲ, ଟ୍ରମ୍ପ ଏବଂ ଶୁଳ୍କ ପ୍ରସଙ୍ଗ ଅନେକ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଚୀନ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ, ସେତେବେଳେ ଆପଲ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଥିଲା। ଏଥିରୁ ବର୍ତ୍ତିବା ଲାଗି କମ୍ପାନୀ ନିଜ ଉତ୍ପାଦନ ୟୁନିଟ୍କୁ ଭାରତ ଏବଂ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲା। କିନ୍ତୁ ଆପଲ ଏହାର କମ୍ପାନୀ ଆମେରିକାରେ ପ୍ରତିଷ୍ଠା କରୁ ବୋଲି ଟ୍ରମ୍ପ କହିଆସୁଛନ୍ତି।



