ଓ୍ୱାଂଶିଟନ- (ସମାଜଡିଜିଟାଲ ଡେସ୍କ) ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ ଓ୍ଵାଶିଂଟନରୁ ଆଲାସ୍କା ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ଟ୍ରମ୍ପଙ୍କର ବୈଠକ ହେବ। ଏହା ପୂର୍ବରୁ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ବହୁତ ବଡ ଆହ୍ୱାନର କାର୍ଯ୍ୟ ବୋଲି ଲେଖିଛନ୍ତି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ ଓ୍ଵାଶିଂଟନରୁ ଆଲାସ୍କା ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ତାଙ୍କର ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ ବୈଠକ ହେବ। ଉଭୟ ନେତାଙ୍କ ମଧ୍ୟରେ ଶୁକ୍ରବାର ରାତି ୧୨:୩୦ରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଆଲାସ୍କା ପାଇଁ ଯାତ୍ରା କରିବା ପୂର୍ବରୁ ଟ୍ରମ୍ପ କହିଛନ୍ତି – ପୁଟିନ ତାଙ୍କ ଅର୍ଥବ୍ୟବସ୍ଥାରେ ଆଗ୍ରହୀ। ଯଦି ଆମେ ଶାନ୍ତି ପ୍ରତି ଅଗ୍ରଗତି କରୁ, ତେବେ ମୁଁ ଏ ବିଷୟରେ ଆଲୋଚନା କରିବି। ଯେପର୍ଯ୍ୟନ୍ତ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବନି ସେ ପର୍ଯ୍ୟନ୍ତ ବାଣିଜ୍ୟ କାରବାର ହେବ ନାହିଁ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି ।
ରଏଟର୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଓ ପୁଟିନଙ୍କ ବୈଠକ ସମୟରେ ୟୁକ୍ରେନରେ ଯୁଦ୍ଧବିରାମ ଚୁକ୍ତି ଉପରେ ଆଲୋଚନା ହେବାର ଆଶା ରହିଛି । ଟ୍ରମ୍ପ ଏହି ଆଲୋଚନା ସମ୍ପର୍କରେ ଆଶାବାଦୀ । ଆଲୋଚନାରୁ କିଛି ନା କିଛି ଫଳାଫଳ ନିଶ୍ଚିତ ମିଳିବ ବୋଲି ଟ୍ରମ୍ପ କହିଛନ୍ତି ।
ଆଲୋଚନା ବିଫଳ ହେଲେ , ଏହାର ଗମ୍ଭୀର ପରିଣାମ ହୋଇପାରେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଟ୍ରମ୍ପଙ୍କ ସହ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ଅର୍ଥମନ୍ତ୍ରୀ ସ୍କଟ ବେସେଣ୍ଟ, ବାଣିଜ୍ୟ ମନ୍ତ୍ରୀ ହୋଭାର୍ଡ ଲଟନିକ, ସିଆଇଏ ନିର୍ଦ୍ଦେଶକ ଜନ ରାଟକ୍ଲିଫ ଏବଂ ଅନ୍ୟାନ୍ୟ ବରିଷ୍ଠ ସହଯୋଗୀମାନେ ମଧ୍ୟ ଏହି ବୈଠକରେ ସାମିଲ ହେବେ।
ସିଏନଏନର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆଲାସ୍କା ଅଭିମୁଖେ ଯାତ୍ରା କରିଥିବା ବେଳେ ପୁଟିନ ବର୍ତ୍ତମାନ ରୁଷର ସୁଦୂର ପୂର୍ବାଞ୍ଚଳରେ ରହିଛନ୍ତି । ସେଠାରୁ ଆଲାସ୍କା ପାଇଁ ଯାତ୍ରା କରିବେ । କ୍ରେମଲିନର ମୁଖପାତ୍ର ଦିମିତ୍ରି ପେସକୋଭଙ୍କ ଅନୁଯାୟୀ, ପୁଟିନ ଏବେ ରୁଷର ପୂର୍ବାଞ୍ଚଳରେ ଅଛନ୍ତି, ସେଠାରେ ସେ ସ୍ଥାନୀୟ ସରକାରୀ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ଏହା ସହିତ ତାଙ୍କର ଏକ ସ୍ଥାନୀୟ ଶିଳ୍ପ ପ୍ଲାଣ୍ଟ ପରିଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି।
ନ୍ୟାୟପୂର୍ଣ୍ଣ ଶାନ୍ତିର ପଥ ଖୋଲିବ: ଜେଲେନସ୍କି
ଟ୍ରମ୍ପ ଓ ପୁଟିନଙ୍କ ବୈଠକ ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଜେଲେନସ୍କି କହିଛନ୍ତି ଯେ, ଏବେ ଯୁଦ୍ଧ ଶେଷ କରିବାର ସମୟ ଆସିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବାକୁ ଥିବା ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ନ୍ୟାୟପୂର୍ଣ୍ଣ ଶାନ୍ତିର ଦିଗରେ ପଥ ଖୋଲିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଜେଲେନସ୍କି ଏହି ବୈଠକକୁ ୟୁକ୍ରେନ, ଆମେରିକା ଓ ରୁଷର ନେତାମାନଙ୍କ ମଧ୍ୟରେ ଏକ ଅର୍ଥପୂର୍ଣ୍ଣ ତ୍ରିପାକ୍ଷିକ ଆଲୋଚନାର ଅବସର ବୋଲି ପ୍ରକାଶ କରିଛନ୍ତି ।



