www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିପୁରା: ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜାରୁ ହିଂସାକାଣ୍ଡ, ୧୪୪ ଧାରା ଜାରି

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନରେ ସିପିଏମ ଦୁର୍ଗର ପତନ ପରେ ବର୍ତ୍ତମାନ ସେଠାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେବେ ରୁଷର କମ୍ୟୁନିଷ୍ଟ ନେତା ଭ୍ଲାଡିମୀର ଲେନିନ୍‌ଙ୍କର ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିବା ପ୍ରତିବାଦରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମଙ୍ଗଳବାର କେତେକ ଲୋକ ଏସ୍କାଭେଟର ଯନ୍ତ୍ର ସାହାଯ୍ୟରେ ଦକ୍ଷିଣ ତ୍ରିପୁରାର ବେଲୋନିଆ ଜିଲାରେ ଥିବା ଲେନିନଙ୍କ ଏହି ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିଲେ। ଏହାପଛରେ ବିଜେପି ଓ ଆରଏସଏସ୍‌ କର୍ମୀଙ୍କ ହାତ ରହିଛି ବୋଲି ସିପିଏମ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଆଜିକୁ କିଛି ମାସ ପୂର୍ବେ ସିପିଏମ ପଲିଟିବ୍ୟୁରୋ ସଦସ୍ୟ ପ୍ରକାଶ କରାତ୍‌ ଏହି ପାଞ୍ଚଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ। ପ୍ରତିମୂର୍ତ୍ତିକୁ ଭାଙ୍ଗିବାପରେ ସେଠାରେ ଉପସ୍ଥିତ ଲୋକେ ‘ଭାରତ ମାତା କି ଜୟ’ ଧ୍ୱନି ଦେଇଥିଲେ। ଏହାକୁ କେନ୍ଦ୍ରକରି ବେଲୋନିଆ ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ସିପିଏମ ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିିଥିବା ସୂଚନା ମିଳିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣା ନେଇ ରାଜ୍ୟପାଳ ତଥାଗତ ରାୟ ଓ ପୁଲିସ ମହାନିର୍ଦେଶକ ଏ.କେ.ଶୁକ୍ଳାଙ୍କ ସହ ଆଲୋଚନା କରିଛନ୍ତି। କେତେକ ସ୍ଥାନରେ ଗଣ୍ଡଗୋଳକୁ ବାଦଦେଲେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଉଭୟ ରାଜ୍ୟପାଳ ଓ ପୁଲିସ ମହାନିର୍ଦେଶକ ରାଜନାଥଙ୍କୁ ଅବଗତ କରାଇଛନ୍ତି। ବେଲୋନିଆ ଏସ୍‌ପିଙ୍କ ସୂଚନା ଅନୁଯାୟୀ ଏସ୍କାଭେଟର ଡ୍ରାଇଭରକୁ ଗିରଫ କରାଯାଇଛି। ଭଙ୍ଗା ପ୍ରତିମୂର୍ତ୍ତିକୁ ବେଲୋନିଆ ମ୍ୟୁନିସିପାଲ କର୍ପୋରେସନକୁ ହସ୍ତାନ୍ତର କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀନଗର, ଲେଫୁଙ୍ଗା, ମାଣ୍ଡାଇ, ଆମ୍‌ତାଲି, ଅରୁନ୍ଧତିନଗର, ଜିରାନିଆ, ମୋହନପୁର ଓ ଅନ୍ୟାନ୍ୟ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ମାର୍ଚ୍ଚ ୩ରେ ଫଳାଫଳ ଘୋଷିତ ହେବା ପରଠାରୁ ବିଜେପି ଓ ଏହାର ସହଯୋଗୀ ଆଇପିଏଫ୍‌ଟି କର୍ମୀମାନେ ରାଜ୍ୟରେ ଆତଙ୍କରାଜ ଚଳାଇଛନ୍ତି ବୋଲି ସିପିଏମ ପକ୍ଷରୁ ଅଭିଯୋଗ ହୋଇଛି। ଇତିମଧ୍ୟରେ ବିଜେପି-ଆଇପିଏଫ୍‌ଟି ସମର୍ଥକମାନେ ୧୩୪ଟି ସିପିଏମ କାର୍ୟ୍ୟାଳୟ ଉପରେ ଆକ୍ରମଣ କରିଥିବାବେଳେ ୬୪ଟି ଦଳୀୟ କାର୍ୟ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ପୁଲିସ ଇତିମଧ୍ୟରେ କେତେକ ବିଶୃଙ୍ଖଳିତ ବ୍ୟକ୍ତିଙ୍କୁ ଗିରଫ କରିଥିଲେ ସୁଦ୍ଧା ସେମାନେ ନିର୍ଦିଷ୍ଟ ଭାବେ କେଉଁ ଦଳର ସମର୍ଥକ ତାହା ଜଣାପଡିନାହିଁ। ମୁଖ୍ୟମନ୍ତ୍ରୀ ନିର୍ବାଚିତ ବିପ୍ଳବ କୁମାର ଦେବ ଏହି ଘଟଣାକୁ ନିନ୍ଦା କରିଥିବାବେଳେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଅପରପକ୍ଷରେ ସିପିଏମରୁ ଚାଲିଆସି ବିଜେପିରେ ମିଶିଥିବା କେତେକ କର୍ମୀ ଏହି ଭଙ୍ଗାରୁଜା କରିଛନ୍ତି ବୋଲି ବିଜେପି ରାଜ୍ୟ ଶାଖା ସଭାପତି ସୁବାସ ଭୌମିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅପରପକ୍ଷରେ ସିପିଏମ କର୍ମୀଙ୍କ ଆକ୍ରମଣରେ ୪୯ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ବୋଲି ଭୌମିକ ପାଲଟା ଅଭିଯୋଗ କରିଛନ୍ତି।
ଲେନିନ୍‌ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ସିପିଏମ୍‌ ନେତା ସୀତାରାମ ୟେଚୁରୀ ଓ ଡି.ରାଜା ତୀବ୍ର ନିନ୍ଦା କରିଛନ୍ତି। ଅପରପକ୍ଷରେ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ ଏହି ଘଟଣାରେ ଲେନିନ୍‌ଙ୍କୁ ଜ​‌େ​‌ଣ ଆତଙ୍କବାଦୀ ବୋଲି ଆଖ୍ୟା ଦେବା ସହିତ ଏଭଳି ବ୍ୟକ୍ତିଙ୍କର କୌଣସି ପ୍ରତିମୂର୍ତ୍ତି ରହିବା ଅନାବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। ତ୍ରିପୁରା ରାଜ୍ୟପାଳ ତଥାଗତ ରାୟ ପ୍ରଥମେ ଟ୍ବିଟର ବାର୍ତ୍ତାରେ ଏହି ଘଟଣାକୁ ନିନ୍ଦା କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହି ବାର୍ତ୍ତାକୁ ପ୍ରତ୍ୟାହାର କରିନେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories