ଶ୍ରଦ୍ଧାଞ୍ଜଳି : ଅନେକ ରୂପରେ ସ୍ୱରୂପ

ଅନେକ ରୂପରେ ଥିଲେ ସେ ସ୍ୱରୂପ। ସ୍ୱରୂପ ନାୟକ। ନାମ ଏକ; କାମ ଅନେକ। ୧୧ବର୍ଷରୁ ସିନେମା ଅଭିନେତା। ୨୧ବର୍ଷରେ ଗୀତିକାର। ହାସ୍ୟରୁ ଆରମ୍ଭ ଓ ଲମ୍ବା ବିଶ୍ରାମ ପରେ ଖଳନାୟକ ସାଜି ପୁନଃପ୍ରବେଶ ଏବଂ ଅଭିନୟ ଛାଡ଼ି ସଙ୍ଗୀତ ନିର୍ଦେଶନାରେ ଆଲୋଡ଼ନ ସୃଷ୍ଟିକାରୀ ସଫଳ ବ୍ୟକ୍ତିତ୍ୱ। ସିନେମାରେ ବ୍ୟଙ୍ଗ ସଙ୍ଗୀତର ପ୍ରଣେତା। ସଙ୍ଗୀତ ପାଇଁ ଦୁଇ ଦୁଇଥର ରାଜ୍ୟପୁରସ୍କାର ଏବଂ ‘ବାଇସ୍କୋପ ଆୱାର୍ଡ’ ସାଙ୍ଗକୁ ସଂଖ୍ୟାଧିକ ସମ୍ମାନ ଓ ସମ୍ବର୍ଦ୍ଧନା। ୨୦୧୮ରେ ପ୍ରକାଶ ପାଇଛି ତାଙ୍କ ରଚିତ ବ୍ୟଙ୍ଗ ଗୀତର ପୁସ୍ତକ ‘ଭଲ ବ୍ୟବସାୟ ରାଜନୀତି’।

ଅନ୍ଧ ଭିକାରି ଛୁଆ
୧୯୫୮ରେ ସୁଟିଂ ହୋଇଥିଲା ତାଙ୍କର ପ୍ରଥମ ସିନେମା ‘ଜୟଦେବ’, ଯାହା ୧୯୬୨ରେ ମୁକ୍ତିଲାଭ କରିଥିଲା। ୧୯୬୩ରେ ‘ଲକ୍ଷ୍ମୀ’ ସିନେମାରେ ସେ ଅନ୍ଧ ଭିକାରି ଭୂମିକାରେ ଅଭିନୟ କରିଥିଲେ। ୧୯୬୫ରେ ସେ ଆସିଲେ ‘କା’ ସିନେମାରେ ଏକ ଛୋଟ ଭୂମିକାରେ। ୧୯୬୮/୬୯ର ‘ସ୍ତ୍ରୀ’ ସିନେମାରେ ବିଜୁଳି ଚରିତ୍ରରେ ଆସି “କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ୍‌‌..” ଗୀତରେ ଅପାର ଲୋକପ୍ରିୟତା ସାଉଁଟିଲେ। ଏ ସିନେମାରେ ସ୍ୱରୂପ ଏହି ଗୀତଟି ଲେଖିଥିଲେ ଅକ୍ଷୟ ମହାନ୍ତିଙ୍କ ସହ ଏଥିରେ କଣ୍ଠଦାନ(ଧିନାଧିନ୍‌‌ ତାକ୍‌‌ ଧିନାଧିନ୍‌‌) ବି କରିଥିଲେ। ୧୯୭୩ର ରିଲିଜ୍‌‌ ସିନେମା ‘ସଂସାର’ରେ ‘ପବନା’ ଚରିତ୍ରରେ ଆଲୋଡ଼ନ ସୃଷ୍ଟି କଲେ। “ବୋଉଲୋ ହେବିନାହିଁ ବାହା ହେବିନାହିଁ…” ଗୀତରେ ଚମତ୍କାର ଅଭିନୟ କରି ମନ ମୋହିଲେ। ସେହି ସିନେମାରେ ଏକ ଲୋକପ୍ରିୟ ଗୀତ ବି ସେ ରଚନା କରିଥିଲେ “ଆଲୋ କଳାଶାରୀ କିଏ ତୋର ଶୁଆ..”, ଯାହା ଚିର ସବୁଜ।

ଖଳନାୟକରୁ ପ୍ରେମିକ
‘ସୁନା ସଂସାର’ ଚିତ୍ରର ସୁଟିଂ ଚାଲିଥାଏ କଲକାତାରେ। ମୁଁ ଥିଲି ଖଳନାୟକ। ନାୟିକା ଥିଲେ ନିହାରିକା। ସେଇଠି ତାଙ୍କୁ ଦେଖିବା ପରେ ମନରେ କେମିତି ଏକ ଯୁବକ ଭାବନା ଆସିଥିଲା। କେଇ ମୁହୂର୍ତ୍ତରେ ମୁଁ ଖଳନାୟକରୁ ପ୍ରେମିକ ପାଲଟି ଯାଇଥିଲି। ତା’ ପରେ ସମୟକ୍ରମେ ସମ୍ପର୍କ ଆଗେଇ ଚାଲିଲା। ଆମେ ପରସ୍ପରର ଜୀବନସାଥୀ ପାଲଟିଗଲୁ।
ଓଡ଼ିଆ ପ୍ରୀତି ଅନନ୍ୟ
ସ୍ବରୂପଙ୍କ ଓଡ଼ିଆ ପ୍ରୀତି ଥିଲା ଅନନ୍ୟ। ନିଚ୍ଛକ ଓଡ଼ିଆ ଶବ୍ଦକୁ ନେଇ ସେ ଗୀତ ଲେଖୁଥିଲେ। ବିଶେଷ କରି ତାଙ୍କ ସଙ୍ଗୀତ ‘ଓଡ଼ିଶା ମୋ ଓଡ଼ିଶା…’ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା। ସେହିପରି ଅନ୍ୟତମ ଚକୁଳିଆ ପଣ୍ଡା ଗୀତ ବେଶ୍‌ ଶ୍ରୁତିମଧୁର ହୋଇଥିଲା। ଏବେବି ଏହି ସଙ୍ଗୀତ ଲୋକଙ୍କ ମନରେ ବସା ବାନ୍ଧିଛି। ସେହିପରି ଦୂରଦର୍ଶନରେ ପ୍ରସାରିତ ‘କଲ୍ୟାଣୀ’ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ ଥିଲା। ଚଳଚ୍ଚିତ୍ର ‘ଆଇ ଲଭ୍‌ ୟୁ’, ‘ମନ ରହିଗଲା ତୁମରି ଠାରେ’, ‘ଉଦ୍ଦଣ୍ଡୀ ସୀତା’ର ସଙ୍ଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା।
ବିନା ତାଲିମରେ ସଫଳତା
ସର୍ବଭାରତୀୟସ୍ତରରେ ସ୍ବରୂପଙ୍କ ନାମରେ ଏକ ରେକର୍ଡ ରହିଛି। ଏକାଧାରରେ ସେ ୨୫ଟି ଚଳଚ୍ଚିତ୍ରର ସବୁ ଗୀତ ଲେଖିବା ସହିତ ତା’ର ନିର୍ଦେଶନା ଦେଇଛନ୍ତି। ସେ ସଙ୍ଗୀତ ସମ୍ପର୍କରେ କୌଣସି ତାଲିମ ନେଇନାହାନ୍ତି। ବିନା ତାଲିମରେ ତାଙ୍କୁ ଅଜସ୍ର ସଫଳତା ମିଳିଛି ଏବଂ ପ୍ରତିଟି ସଙ୍ଗୀତ ଶ୍ରୋତାଙ୍କ ଦ୍ବାରା ଆଦୃତ ହୋଇଛି।

ବ୍ୟଙ୍ଗଗୀତର ସଙ୍ଗୀତକାର
ସିନେମାରେ ‘ପାନଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି(ଜଗାବଳିଆ)’ ଏବଂ ରେକର୍ଡରେ ‘ମାରିଦେଲି ଖପରକାତି’, ‘ଲେ ଲବିନା ଟିକେ ପଛକୁ ଅନା’, ‘ବାରମଜା ଖାଅ ଛକରେ ଛିଡ଼ା ହୁଅ’, ‘ବୋଉଲୋ ନା ଓଲୋ’, ‘ବାବାରେ ଆଲୁଅ’, ‘ଷଣ୍ଢବାବୁଙ୍କ ତିନିଗୋଟି ଝିଅ’, ‘ମତେ ଛାଡ଼ିଦେ ଛାଡ଼ିଦେ ବାଟ’… ଆଦି ସ୍ୱରୂପଙ୍କ ସୃଷ୍ଟି ସମ୍ଭାର। ସମାନ୍ତରାଳ ଭାବେ ରୋମାଣ୍ଟିକ୍‌‌ ଗୀତ ‘ଜହ୍ନ ଉଠୁଥିବ ତାରା ଫୁଟିଥିବ’, ‘ବର୍ଷା ପଡ଼ିଲାଣି କେମିତି ଯିବା(ପଞ୍ଜୁରୀ ଭିତରେ ଶାରୀ)’, ‘ଚାଲିରେ ତୋର ପଦ୍ମ ଫୁଟେ’ଆଦିକୁ ଶ୍ରୋତା ଏବେ ବି ମନେ ପକାନ୍ତି।
ଟି. ସୌରୀ ସ୍ଥାନରେ ବଲିଉଡ କଣ୍ଠଶିଳ୍ପୀ ଗାଇଥାନ୍ତେ
‘ଉଦ୍ଦଣ୍ଡୀ ସୀତା’ ଚଳଚ୍ଚିତ୍ରର ସେଇ ଅଭୁଲା ଗୀତ ‘ସୀତା ଲୋ…’ ଆଜି ଜନମାନସରେ ଉଜ୍ଜୀବିତ ହୋଇ ରହିଛି। ଏହି ସଙ୍ଗୀତର ଟ୍ରାକ୍‌ ରେକର୍ଡ କରଯାଉଥିଲା। ପ୍ରଥମ କରି ଶିଳ୍ପୀ ଟି. ସୌରୀ ଟ୍ରାକ୍‌ ରେକର୍ଡ କରୁଥିଲେ ଏବଂ ଏହି ସଙ୍ଗୀତକୁ ବଲିଉଡ କଣ୍ଠଶିଳ୍ପୀ ଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଟ୍ରାକ୍‌ ରେକର୍ଡରେ ଟି. ସୌରୀଙ୍କ ପରିବେଷଣକୁ ଦେଖି ନିଷ୍ପତ୍ତି ବଦଳା ଯାଇଥିଲା ଏବଂ ଏହାର ପ୍ରମୁଖ ବିନ୍ଧାଣୀ ଥିଲେ ସ୍ବରୂପ ନାୟକ।
ନୂଆ କଳାକାରଙ୍କୁ ଦେଇଥିଲେ ପରିଚୟ
ସ୍ବରୂପ ନାୟକ ଏମିତି ଜଣେ ସଙ୍ଗୀତଜ୍ଞ ଥିଲେ, ଯିଏ କି ଅନେକ ନୂଆ ପ୍ରତିଭାଙ୍କୁ ସୁଯୋଗ ଦେଉଥିଲେ। ତେବେ ସେ ଯେଉଁମାନଙ୍କୁ ସେ ସମୟରେ ସୁଯୋଗ ଦେଇଥିଲେ ସେମାନେ ଓଡ଼ିଆ ସଙ୍ଗୀତ ଦୁନିଆ ଆଗଧାଡ଼ିର ପ୍ରତିଭା। ସେମାନଙ୍କ ମଧ୍ୟରେ – ଇରା ମହାନ୍ତି, ଟି. ସୌରୀ, ଶୁଭାଶିଷ ମହାକୁଡ଼, ତପୁ ମିଶ୍ର ପ୍ରମୁଖ। ବିଶେଷକରି ଶ୍ରୀକାନ୍ତ ଦାସଙ୍କ ସହିତ ତାଙ୍କର ଅନେକ ଗୀତ ହିଟ୍‌ ହୋଇଛି।
ସଙ୍ଗୀତ ନିର୍ଦେଶନା ପାଇଁ ବାଧ୍ୟ କରିଥିଲେ ପ୍ରଶାନ୍ତ ନନ୍ଦ
ସ୍ବରୂପଙ୍କ ସଙ୍ଗୀତ ନିର୍ଦେଶନା ପାଇଁ କୌଣସି ଆଗ୍ରହ ନଥିଲା। କେବଳ ତାଙ୍କର ଗୀତ ଲେଖିବାରେ ଇଚ୍ଛା ଥିଲା। ହେଲେ ୧୯୮୪ର ଏକ ଘଟଣା ତାଙ୍କୁ ସଫଳ ସଙ୍ଗୀତ ନିର୍ଦେଶକ ଭାବେ ପ୍ରତିଷ୍ଠିତ କରାଇଥିଲା। ଚଳଚ୍ଚିତ୍ର ‘ହୀରାଲୀଳା’ ପାଇଁ ପ୍ରଶାନ୍ତ ନନ୍ଦ ତାଙ୍କୁ ଜୋର୍‌ କରି ସଙ୍ଗୀତ ନିର୍ଦେଶନା ପାଇଁ କହିଥିଲେ। ଏହାପରେ ସେ ଆଉ ପଛକୁ ଫେରିନଥିଲେ। ଗୀତ ଲେଖିବାରୁ ଆରମ୍ଭ କରି ନିର୍ଦେଶନା ମଧ୍ୟ ଦେଇ ଚାଲିଲେ।
ନାଲୁକୁ ଭୁଲି ପାରୁ ନଥିଲେ
ସ୍ବରୂପଙ୍କ ପରିବାରର ଅତିପ୍ରିୟ ଥିଲା କୁକୁର ନାଲୁ। ଯାହାକୁ ସେ ମୃତ୍ୟୁ ପର୍ଯ୍ୟନ୍ତ ବି ଭୁଲି ପାରୁନଥିଲେ। ୭ା୮ ବର୍ଷ ପୂର୍ବରୁ ନାଲୁର ମୃତ୍ୟୁ ପରେ ସେ ଭାଙ୍ଗି ପଡ଼ିଥିଲେ। ସ୍ବରୂପଙ୍କ ସ୍ବର ସଂଯୋଜନା ବେଳେ ନାଲୁ ବି ମୁଣ୍ଡ ହଲାଇ ତା’ର ନକଲ କରୁଥିଲା। ବୁଝି ପାରୁ ନଥିଲେ ବି ସ୍ବରୂପଙ୍କୁ ଦେଖି ସେ କିଛି କିଛି ଇସାରା ବି ଦେଉଥିଲା। ଯାହା ସ୍ବରୂପଙ୍କୁ ଉତ୍ସାହିତ କରୁଥିଲା। ତେଣୁ ନାଲୁ ଥିଲା ସ୍ବରୂପଙ୍କ ସଙ୍ଗୀତ ଦୁନିଆର ଅନ୍ୟତମ ସାକ୍ଷୀ କହିଲେ ଅତ୍ୟୁକ୍ତି ହେବ ନାହିଁ।

ପାଞ୍ଚବର୍ଷର ବିଶ୍ରାମ ପରେ

ଜନପ୍ରିୟତାର ଶୀର୍ଷରେ ଥାଇ ହଠାତ୍‌‌ ସେ ବିଶ୍ରାମ ନେଲେ ୫ବର୍ଷ। ଦର୍ଶକ ଖୋଜିହେଲେ ତାଙ୍କ ପ୍ରିୟ କଳାକାର ‘ପବନା’ଙ୍କୁ; ଯେତେବେଳେ ହଠାତ୍‌‌ ୧୯୭୮ରେ ସ୍ୱରୂପଙ୍କ ଆବିର୍ଭାବ ଘଟିଲା ଶିଶିର ମିଶ୍ରଙ୍କ ସିନେମା ‘ସୁନା ସଂସାର’ରେ ସମ୍ପୂର୍ଣ୍ଣ ନୂଆ ଗେଟ୍‌‌ଅପ୍‌‌ରେ। ଫ୍ରେଞ୍ଚ୍‌‌କଟ୍‌‌ ଦାଢ଼ି ଓ ନିଶ ରଖି ଖଳନାୟକ ଚରିତ୍ରରେ ସେ ଅବତ୍ତୀର୍ଣ୍ଣ ହେଲେ। ସିନେମାରେ ତାଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିବା ନିହାରିକା ସାହୁ ବାସ୍ତବ ଜୀବନରେ ତାଙ୍କ ଘରଣୀ ପାଲଟିଗଲେ। ୭୦ଦଶକରେ ପଛକୁ ପଛ ଜନ୍ମଦାତା, କୁଳଚନ୍ଦ୍ରମା, ସତୀଅନସୂୟାରେ ଅଭିନୟ କରି ୮୦ଦଶକରେ ପ୍ରଶାନ୍ତ ନନ୍ଦଙ୍କ ଟିମ୍‌‌ରେ ତାଙ୍କୁ ଦେଖିବାକୁ ମିଳିଲା ‘ଜଗାବଳିଆ’ରୁ ଏବଂ ପରେପରେ ‘ହୀରାନୀଳା’(୧୯୮୬)ରେ ପ୍ରଥମ ସଙ୍ଗୀତ ନିର୍ଦେଶନା ଦେଲେ। ଡୋରା, ବଗଲା ବଗୁଲୀ, ପକା କମ୍ବଳ ପୋତ ଛତା। ନବେ ଦଶକରେ ବସନ୍ତ ନାୟକଙ୍କ ଟିମ୍‌‌ରେ ଆସି ‘ଯାହାକୁ ରଖିବେ ଅନନ୍ତ’ ସିନେମାରେ ସଙ୍ଗୀତ ନିର୍ଦେଶନା ଦେଇ “ଏ ଘର ଏ ଅଗଣା ଏ ଦାଣ୍ଡଦୁଆର” ଗୀତରେ ଚାଞ୍ଚଲ୍ୟ ସୃଷ୍ଟି କଲେ ଏବଂ ‘ସ୍ୱୟଂସିଦ୍ଧା’ ପର୍ଯ୍ୟନ୍ତ ଆଉ ପଛକୁ ଫେରି ଚାହିଁବା ଦରକାର ହେଲାନାହିଁ। ….ଚାରିଦଶନ୍ଧିର ବ୍ୟତିକ୍ରମ ନାୟକ, ଏକ ସଫଳ ଜୀବନର ଯୁଗାନ୍ତସୃଷ୍ଟିକାରୀ ବ୍ୟକ୍ତିତ୍ୱ ଶେଷରେ ବିଶ୍ରାମ ନେଲେ ଚିରଦିନ ପାଇଁ; ଯିଏ ସ୍ୱର୍ଣ୍ଣିମସ୍ମୃତିରେ ଜିଇରହିବେ ଚିରକାଳ ଏଇ ରୂପେଲି ଜଗତରେ।

Comments are closed.