ପଞ୍ଚକର ତୃତୀୟ ଦିନ, ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ

ଡେସ୍କ :  କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥିଲା। ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଛନ୍ତି।
ଆଡ଼କିଆ ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି ହୋଇଛି । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି । ଦେବୀ ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଛି । ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁର ମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଛି।
କଥିତ ଅଛି, ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ । ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନ କରି ନିଜକୁ ସୌଭାଗ୍ୟ ମଣିଥାନ୍ତି । ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ଏହି କି ଯେ, ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସା ଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆ ଗୁଡିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ। ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । ସୁଭଦ୍ରାଙ୍କୁ ମଧ୍ୟ ଏହି ବେଶରେ ଗୋଟିଏ ସୁନା ଚନ୍ଦ୍ରିକା ଦ୍ୱାରା ଶୋଭିତ କରାଯାଏ । ମାତ୍ର ତାଙ୍କ ମସ୍ତକରେ ଚୂଳ ଲାଗି କରା ନଯାଇ ସୁନା କିରୀଟ ଲଗାଯାଏ। ସବୁ ଠାକୁରମାନଙ୍କର ମୁଖର ଉପର ପାଶ୍ୱର୍ରେ ଦୁଇଟି ଲେଖାଏଁ ଆଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତୀତ ମହାପ୍ରଭୁଙ୍କୁ ଅନ୍ୟାନ୍ୟ ଅଳଙ୍କାର ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ ।
ଧର୍ମ ମାସ ପବିତ୍ର କାର୍ତ୍ତିକ  ପଞ୍ଚକର ତୃତୀୟ ଦିବସରେ ଆଜି ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ ପୂର୍ବକ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ।
ସୂଚନା ଯୋଗ୍ୟ, ପଞ୍ଚକର ପ୍ରଥମ ଦିନରେ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି ଦ୍ୱିତୀୟ ଦିନରେ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥିଲା । ସେହିପରି ଆସନ୍ତାକାଲି ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ଏବଂ ୨୭ ତାରିଖ କାର୍ତ୍ତି ପୂର୍ଣ୍ଣମୀ ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ।

Comments are closed.