ପର୍ଯ୍ୟଟନ ଋତୁ : ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ସାନଘାଗରା ଜଳପ୍ରପାତ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ନୁହେଁ ସମଗ୍ର ଓଡିଶାରେ ଖ୍ୟାତି ଲାଭ କରିଛି ସାନଘାଗରା ଜଳପ୍ରପାତ । ବହୁ ବାଧାବିଘ୍ନ ଦେଇ ଏହି ପର୍ଯ୍ୟଟନ କେନ୍ଦ୍ର ଗତି କରୁଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ‘ସାନଘାଗରା ଉନ୍ନୟନ ପରିଷଦ’ର ତତ୍ପରତା ଯୋଗୁଁ ଏବେ ଏହି ପର୍ଯ୍ୟଟନ କେନ୍ଦ୍ର ଓଡିଶା କାହିଁକି ରାଜ୍ୟ ବାହାରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇପାରିଛି ।ଜିଲାର ୧୬ଟି ଦର୍ଶନୀୟ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଛି । ଜିଲା ମୁଖ୍ୟାଳୟ ଠାରୁ ମାତ୍ର ୫କି.ମି. ଦୂରରେ ଥିବା ୪୯ନଂ ଜାତୀୟ ରାଜପଥକୁ ଲାଗି ୩୧ମି. ଉଚ୍ଚତା ବିଶିଷ୍ଟ ସାନଘାଗରା ଜଳପ୍ରପାତ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପାହାଡିଆ ଶୀତର ମଜା ନେବାକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ବର୍ଷତମାମ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଘଞ୍ଚ ବଣପାହାଡ ଘେରା ସାନଘାଗରାର ଶୀତରାଜି ଅନୁଭବ ସାଙ୍ଗକୁ ଏଠାରେ ଥିବା ଶିଶୁ ପାର୍କ, ଗୋଲାପ ଉଦ୍ୟାନ, ବୋଟିଂ, ଆଦିବାସୀ ସଂଗ୍ରହାଳୟ ସାଙ୍ଗକୁ ଚତୁଃପାଶ୍ୱର୍ରେ ଘେରି ରହିଥିବା ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ଦୂରଦୂରାନ୍ତରୁ ବର୍ଷତମାମ ଏଠାକୁ ପିକ୍ନିକ୍ପାର୍ଟିଙ୍କ ପ୍ରବଳ ଗହଳି ଲାଗି ରହିଥାଏ । ଏହି ପର୍ଯ୍ୟଟନ କେନ୍ଦ୍ରକୁ କେବଳ ପର୍ଯ୍ୟଟକ ନୁହନ୍ତି ପ୍ରକୃତିପ୍ରେମୀ, ସାହିତ୍ୟିକ ଓ କବିମାନଙ୍କୁ ବର୍ଷତମାମ ବୁଲି ଆସିବାକୁ ବାଧ୍ୟ କରିଥାଏ । ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀ ପୀଠ ଘଟଗାଁକୁ ବାଦ୍‌‌ ଦେଲେ ପର୍ଯ୍ୟଟନସ୍ଥଳୀ ସାନଘାଗରା ଜିଲା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ।
କ’ଣ ରହିଛି ସୁବିଧା

ବଣଭୋଜି ପାଇଁ ସାନଘାଗରା ଜଳପ୍ରପାତକୁ ବର୍ଷତମାମ୍‌‌ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାରୁ ଏହାକୁ ଆଖିଆଗରେ ରଖି ‘ସାନଘାଗରା ଉନ୍ନୟନ ପରିଷଦ’ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ବଣଭୋଜି ପାଇଁ ସ୍ୱତନ୍ତ୍ର ପିଣ୍ଡି ସାଙ୍ଗକୁ ରୋଷେଇ ଘର, ପାଇପ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତି ଆଣିଦେଇଛି । ପୂର୍ବରୁ ଏହି ପ୍ରସିଦ୍ଧ ପର୍ଯ୍ୟଟନକେନ୍ଦ୍ରରେ ମହିଳା ପର୍ଯ୍ୟଟକଙ୍କ ପାଇଁ ସାମାନ୍ୟ ଶୌଚାଳୟ ବ୍ୟବସ୍ଥା ନଥିବା ବେଳେ ଗତ ୬ବର୍ଷ ଧରି ଏଠାରେ ମାଗଣା ଏବଂ ଦେୟଯୁକ୍ତ ଶୌଚାଳୟ କାର୍ଯ୍ୟକ୍ଷମ ହୋଇପାରିଛି । ଏବେ ବିଏସ୍‌‌ଏନ୍‌‌ଏଲ ଏବଂ ଜିଓ ଭଳି ମୋବାଇଲ ସେବା କାର୍ଯ୍ୟକ୍ଷମ ପରେ ପର୍ଯ୍ୟଟକ ଏଠାକୁ ବୁଲି ଆସିବାକୁ ଅଧିକ ପସନ୍ଦ କରୁଛନ୍ତି । ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ଦେୟଯୁକ୍ତ ବୋଟିଂ ସୁବିଧା ସାଙ୍ଗକୁ ଶିଶୁ ଓ କିଶୋର ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳ ଆମୋଦର ନୂଆ ଖୋରାକ୍‌‌ ଯୋଗାଇଛି। ଏତଦ୍‌‌ବ୍ୟତୀତ ଜିଲାର ଆଦିମ ଜନଜାତିଙ୍କ ସଂଗୃହୀତ ବିରଳ ସାମଗ୍ରୀ ଓ ସେମାନଙ୍କ ଜନଜୀବନ ସମ୍ପର୍କରେ ଜାଣିବା ପାଇଁ ‘ଆଦିବାସୀ ସଂଗ୍ରହାଳୟ’ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିଛି। ଏତଦ୍‌‌ବ୍ୟତୀତ ମନୋରମ ଉଦ୍ୟାନ ସାଙ୍ଗକୁ ଶିଶୁ ପାର୍କ ଶିଶୁ ଠାରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରିଛି।
ବଡଦିନ ଓ ଇଂରାଜୀ ନବବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଏହି ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ବୁଲିବା ସହ ବଣଭୋଜି ପାଇଁ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହୋଇଥାଏ। ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ପର୍ଯ୍ୟଟନକେନ୍ଦ୍ର ଖୋଲା ରହୁଥିବା ବେଳେ ବଡଦିନ ଠାରୁ ଇଂରାଜୀ ନବବର୍ଷ ଏହି ୭ଦିନ ଏଠାରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ପରିଲକ୍ଷିତ ହେଉଥିବାରୁ ପ୍ରତିବର୍ଷ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥାଏ। ବିଶେଷକରି ପର୍ଯ୍ୟଟକ କିଭଳି ସୁରକ୍ଷିତ ଭାବେ ବଣଭୋଜି ସାରି ଘରକୁ ଫେରିବେ ସେ ନେଇ କେନ୍ଦୁଝର ସଦର ଥାନା ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ପୁଲିସ କର୍ମଚାରୀ ମୁତୟନ କରାଯାଇ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥାଏ। ଏହି ସମୟରେ ଏଠାକୁ ବୁଲି ଆସୁଥିବା ମହିଳା ପର୍ଯ୍ୟଟକ ଯେଭଳି କୌଣସି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରାଯାଇ ଆସୁଛି। ଏହି ସମୟରେ ପର୍ଯ୍ୟଟନକେନ୍ଦ୍ରରେ ବଣଭୋଜି ପାଇଁ ସ୍ଥାନାଭାବ କାରଣରୁ ବହୁ ପଯ୍ୟଟକ ପର୍ଯ୍ୟଟନକେନ୍ଦ୍ର ବାହାରେ ଭୋଜି ଆୟୋଜନ କରି ପର୍ଯ୍ୟଟନକେନ୍ଦ୍ର ବୁଲି ଦେଖିବା କାରଣରୁ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା ପୁଲିସ ପ୍ରଶାସନ ପାଇଁ ଅନେକ ସମୟରେ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। କୌଣସି ପର୍ଯ୍ୟଟକ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ପୁଲିସ ପ୍ରଶାସନ ଓ ‘ସାନଘାଗରା ଉନ୍ନୟନ ପରିଷଦ’ର କର୍ମକର୍ତ୍ତା ଏଥିପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି।
ଗାଇଡ ଓ ଟ୍ୟାକ୍ସି ସୁବିଧା
କେନ୍ଦୁଝର ସହର ଠାରୁ ମାତ୍ର ୫କି.ମି. ଦୂର ଜୁଡିଆ ଘାଟି ନିକଟରେ ଅବସ୍ଥିତ ଏହି ଜଳପ୍ରପାତ ବୁଲି ଦେଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଗାଇଡ ଓ ଟ୍ୟାକ୍ସିର ସୁବିଧା ରହିଛି। ପର୍ଯ୍ୟଟକଙ୍କ ନିମନ୍ତେ ଟୁରିଷ୍ଟ ଗାଇଡ ବ୍ୟବସ୍ଥା ଥିବାବେଳେ ଏଥିପାଇଁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ପଡିଥାଏ। ଏହି ଜଳପ୍ରପପାତକୁ ବୁଲି ଦେଖିବା ପାଇଁ ବସ୍‌‌ ଯୋଗେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ସିରାଜୁଦ୍ଦିନ ଛକ, ଗାନ୍ଧି ଛକ, ଲାବଣ୍ୟ ଛକ, କଚେରୀ ଛକ, ତେଲକୋଇ ବସ୍‌‌ଷ୍ଟାଣ୍ଡ ଆଦି ସ୍ଥାନରେ ଥିବା ଅଟୋରିକ୍ସା, କାର, ବୋଲେରୋ ଓ ସ୍କୋର୍ପିଓ ଆଦି ଭଡା ଗାଡି ସୁବିଧାରେ ଉପଲବ୍ଧ ହୋଇଥାଏ। ଯଦି କେହି ପର୍ଯ୍ୟଟକ ରେଳ ଯୋଗେ ଆସୁଥାନ୍ତି ତାହାଲେ ସେମାନେ ନରଣପୁର କିମ୍ବା କେନ୍ଦୁଝରଗଡ ଷ୍ଟେସନରେ ଓହ୍ଲାଇ ସେଠାରୁ ଭଡା ଗାଡି ଯୋଗେ ୧୦କି.ମି. ଦୂର ଏହି ପର୍ଯ୍ୟଟନକେନ୍ଦ୍ରରେ ସହଜରେ ପହଞ୍ଚି ପାରିବେ। ଏତଦ୍‌‌ବ୍ୟତୀତ ପର୍ଯ୍ୟଟକ ନିଜସ୍ୱ ଯାନ କିମ୍ବା ଭଡା ଗାଡିରେ ଆସି ସୁରୁଖୁରୁରେ ବୁଲି ଯାଇପାରିବେ।

Comments are closed.