ବଲାଙ୍ଗୀର : ବଲାଙ୍ଗୀର ଜିଲା ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସ୍ଥାନୀୟ ଭୋଟର ବେଶ୍ ଉତ୍ସାହିତ ରହିଥିବା ଜଣାପଡିଛି। ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଭୋଟର ମାନେ ମଧ୍ୟ ଚଳିତ ନିର୍ବାଚନକୁ ନେଇ ନିଜର ଉତ୍ସାହ ପ୍ରକାଶ କରିଛନ୍ତି। ଏମିତିରେ ୨୦୧୯ ନିର୍ବାଚନ କାହା ସପକ୍ଷରେ ଯିବ ତାହା ଭୋଟ ଗଣତି ପରେ ଜଣାପଡିବ। ନିର୍ବାଚନରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଉକ୍ତ ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୩୦ ହଜାରରୁ ଉର୍ଦ୍ଧ ଭୋଟର ଚଳିତ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ୬୬ ନଂ ଲୋଇସିଂହା ନିର୍ବାଚନମଣ୍ଡଳୀ ଜିଲା ତଥା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଭାବେ ଗଣନା କରାଯାଇଥାଏ। ୨୦୦୯ ନିର୍ବାଚନରୁ ଏହି ଆସନ ଅନୂସୁଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଲୋଇସିଂହା, ଆଗଲପୁର ଓ ପୁଇଁନ୍ତଳା ବ୍ଲକକୁ ନେଇ ଗଠନ ହୋଇଛି ଏହି ନିର୍ବାଚନମଣ୍ଡଳୀ। ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଏହି ତିନୋଟି ବ୍ଲକର ୬୫ଟି ପଞ୍ଚାୟତରେ ଭୋଟ ଅନୁଷ୍ଠିତ ହେବ। ଚଳିତ ନିର୍ବାଚନରେ ଭୋଟ ଗ୍ରହଣ ପାଇଁ ୨୯୬ଟି ଭୋଟକେନ୍ଦ୍ର କରାଯାଇଥିବା ଜଣାପଡିଛି। ପୁଇଁନ୍ତଳା ବ୍ଲକ ପଥର୍ଲା ଠାରେ ଥିବା ମତଦାନ କେନ୍ଦ୍ରକୁ ପିଙ୍ଗବୁଥ୍ ଭାବେ ଘୋଷଣା କରାଯାଇଛି। ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ପାଞ୍ଚଜଣ ପୁଲିଂ ଅଫିସର ଓ ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ସମସ୍ତ ୨୯୬ଟି ମତଦାନକେନ୍ଦ୍ରକୁ ପୁଲିଂଦଳ ପହଞ୍ଚି ନିଜ ପ୍ରସ୍ତୁତି ସମାପ୍ତ କରିଥିବା ଜଣାପଡିଛି।
ଚଳିତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ଲୋକସଂଖ୍ୟା ୩ଲକ୍ଷ ୬୪ହଜାର ୫୫୭ ରହିଛି। ତନ୍ମଧ୍ୟରୁ ୨ଲକ୍ଷ ୩୦ହଜାର ୪୭୨ ଜଣ ଭୋଟର ରହିଛନ୍ତି। ପ୍ରାୟ ୧ଲକ୍ଷ ୨୦ ହଜାର ୩୭୬ ଜଣ ପୁରୁଷ ଓ ୧ଲକ୍ଷ ୧୦ ହଜାର ୭୪ ଜଣ ମହିଳା ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୧୯ହଜାର ୫୦୨ ଜଣ ଭୋଟର ପ୍ରଥମ ଥର ଭୋଟ ଦେବା ପାଇଁ ନାମ ପଞ୍ଜିକରଣ କରିଥିବା ଜଣାପଡିଛି। ନିର୍ବାଚନରେ ୮ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । କଂଗ୍ରେସରୁ ନବକିଶୋର ନାଏକ, ବିଜେପିରୁ ମୁକେଶ ମହାଲିଙ୍ଗ, ବିଜେଡିରୁ ପ୍ରଦୀପ ବେହେରା, ଏପିଆଇରୁ ଲାଲମନ ନାଗ, ଭିଆଇପିରୁ ବିପିନ କୁଶଲିଆ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବଳରାମ ସା, ଜଗଦିଶ ଚନ୍ଦ୍ର ବିଭାର, ମନୋରଞ୍ଜନ କୁମ୍ଭାର ପ୍ରମୁଖ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟତଃ କଂଗ୍ରେସ, ବିଜେଡ଼ି ଓ ବିଜେପି ଭିତରେ ଲଢେଇ ଆଶଙ୍କା ରହିଛି। ୨୦୧୪ ନିର୍ବାଚନରେ ଏହି ଆସନରେ ବିଜେଡ଼ି ବିଜୟୀ ହୋଇଥିବା ବେଳେ ଆସନକୁ ବଜାୟ ରଖିବା ପାଇଁ ବିଜେପି ଓ କଂଗ୍ରେସକୁ ଟକ୍କର ଦେଉଥିବା ଆଲୋଚନା ହେଉଛି। ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ପୁଣିଥରେ ଏହି ଆସନକୁ ଫେରିବା ପାଇଁ ବିଜେଡିକୁ କଡା ଟକ୍କର ଦେଉଥିବା ଆଲୋଚନା ହେଉଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ନିର୍ବାଚନମଣ୍ଡଳୀରେ ତିନି ଦଳ ନୂଆ ମୁହଁକୁ ସାମ୍ନାକୁ ଆଣିଥିବା ବେଳେ ତ୍ରିମୁଖୀ ଲଢେଇ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଲୋଚନା ହେଉଛି। ନିର୍ବାଚନକୁ ନେଇ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଭୋଟ ପୂର୍ବରାତ୍ରିରେ ଚେକିଙ୍ଗ ଜୋରଦାର କରାଯାଇଥିଲା। ଭୋଟର କାହା ସପକ୍ଷରେ ଭୋଟ ଦେବେ ଓ କିଏ ବାଜି ମାରିବ ତାହା ଭୋଟଗଣତି ପରେ ଜଣାପଡିବ।
ଆସନ୍ତାକାଲି ନିର୍ବାଚନ : ଲୋଇସିଂହାର ୨୯୬ଟି ବୁଥରେ ହେବ ମତଦାନ
Popular Categories



