ଭୁବନେଶ୍ବର : ସାରାରାଜ୍ୟରେ ବିଲାତି କିଲୋଗ୍ରାମ ପିଛା ୧୦୦ ଟଙ୍କା ଟପିଛି। ପ୍ରତିବର୍ଷ ଏହି ସମୟରେ ଟମାଟୋ କିଲୋ ଗ୍ରାମ୍ ପିଛା ୩୦ରୁ ୪୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଏବର୍ଷ ସବୁଠାରୁ ନିଆରା। ଅସମୟରେ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଯେଉଁ ପରିମାଣରେ ବିଲାତି ମହଜୁଦ୍ ରହିବା କଥା, ସେତିକି ନାହିଁ। ଫଳରେ ବିଲାତିର ଆକାଶଛୁଆଁ ଦର ବଢ଼ିଛି। କେବଳ ଓଡ଼ିଶା ନୁହଁ ଦେଶର ବିଭିନ୍ନ ସହରରେ ବିଲାତି ଦର ବୃଦ୍ଧି ପାଇଛି। ବେଙ୍ଗାଲୁରରୁ ଓଡ଼ିଶାକୁ ବିଲାତି ଆସିଥାଏ। ବେଙ୍ଗାଲୁରରେ ପ୍ରବଳ ବର୍ଷା ହେଉଥିବାରୁ ବିଲାତି ଗୁଡ଼ିକ ପାଣି ଲାଗି ପଚିଯାଉଛି। ଓଡ଼ିଶାକୁ ଠିକ୍ ଭାବେ ଆମଦାନୀ ହେଉ ନାହିଁ। ଯାହାକିଛି ଆମଦାନୀ ହେଉଛି ତାହା ମଧ୍ୟ ଆଣିଲା ବାଟରେ କିଛି ପଚିଯାଉଛି। ସେଥିପାଇଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଜନୈକ ବ୍ୟବସାୟୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ କଟକରେ ବିଲାତି କେଜି ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱରରେ କେଜି ପ୍ରତି ୧୦୦ଟଙ୍କା ରହିରହିଥିବାବେଳେ ବ୍ରହ୍ମପୁରରେ ମଧ୍ୟ ବିଭିନ୍ନ ବଜାରରେ ବିଲାତି କେଜି ୧୦୦ ଟଙ୍କାରେ ବିକ୍ରି ହେଉଛି। ରାଉରକେଲାରେ ବିଲାତି କେଜି ୯୦ ଟଙ୍କାରେ ବିକ୍ରି ହେଉ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ୧ ନମ୍ବର ବଜାରରେ ବିଲାତି ଦର କେଜି ୮୦ ଟଙ୍କା ରହିଛି । ସମ୍ବଲପୁରରେ ମଧ୍ୟ ବିଲାତି କେଜି ପ୍ରତି ୮୦ରୁ ୯୦ ଟଙ୍କା ମଧ୍ୟରେ ରହିଛି।
Popular Categories



