ପୁଣି ୪ ଦିନିଆ ରିମାଣ୍ଡରେ ଟିଟୋ

0

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀର ୫ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ପୁଣି ତାକୁ ୪ଦିନିଆ ରିମାଣ୍ଡରେ ନେବାକୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଟିଟୋକୁ କ୍ରାଇମ୍‌ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ ୫ଦିନ ରିମାଣ୍ଡରେ ନେଇ ଯେଉଁ ତଥ୍ୟ ହାସଲ କରିଛି ସେଥିରେ ତା’ର ସମ୍ପତ୍ତି ତାଲିକା ବଢୁଥିବା ଜଣାପଡିଛି। ତେବେ ଟିଟୋଠାରୁ ଜବତ ଦଲିଲ ଓ ଦସ୍ତାବିଜ୍​‌ରେ ଟେଣ୍ଡର ଓ ବାଲିଖାଦାନ ଓ ମୋରମ କାରବାର ନେଇ ଏକାଧିକ କୋଟିପତି ଠିକାଦାରଙ୍କ ନାମ ରହିଥିବା ସୂଚନା ମିଳିଛି। ଟିଟୋ ପ୍ରଥମ ଅବଧି ଶେଷ ପରେ ଆଜି କଡା ପହରା ମଧ୍ୟରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏସଟିଏଫ ହାଜର କରାଇ ଆଉ ୫ଦିନ ରିମାଣ୍ଡରେ ନେବା ପାଇଁ ତଦନ୍ତକାରୀ ଅଧିକାରୀ ରାମଚନ୍ଦ୍ର ଥମ୍ବ ପ୍ରାର୍ଥନା କରିଥିଲେ। ଏହାକୁ ବିଚାରକୁ ନେଇ ଏସ୍‌ଡିଜେଏମ୍‌ ଆଉ ୪ଦିନ ଟିଟୋକୁ ରିମାଣ୍ଡରେ ନେବା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି।
ସୋମବାର ଅପରାହ୍ଣରେ ଟିଟୋକୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତାକୁ ଦେଖିବା ପାଇଁ ଶହଶହ ଲୋକ କୋର୍ଟ ପରିସରରେ ଜମା ହେବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସ୍ୱତନ୍ତ୍ର ପୁଲିସ ଟିମ୍‌ ଅତି ସତର୍କତାର ସହିତ ଟିଟୋକୁ କୋର୍ଟକୁ ନେଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲେ। ଶୁଣାଣି ପରେ କ୍ରାଇମ୍‌ବ୍ରାଞ୍ଚ ପୁଲିସ ଟିଟୋକୁ ସଂଧ୍ୟା ୬ଟାରେ କୋର୍ଟ ପରିସରରୁ ଭୁବନେଶ୍ୱରକୁ ଫେରାଇ ନେଇଛି। ଟିଟୋକୁ ୫ଦିନ ଜେରା କରାଯାଇଥିଲେ ସୁଦ୍ଧା ତା’ଠାରୁ ସତକଥା ବାହାରିନଥିବା କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଶ୍ରୀ ଥମ୍ବ ସୂଚନା ଦେଇଛନ୍ତି। ଟିଟୋର ଚାର୍ଟାଡ୍‌ ଆକାଉଣ୍ଟାଣ୍ଟଙ୍କଠାରୁ କମ୍ପ୍ୟୁଟର ସହିତ ଯେଉଁ ଦଲିଲ ଓ ଦସ୍ତାବିଜ୍‌ ଜବତ ହୋଇଛି ତାକୁ ଏକ ତିନିଜଣିଆ ବିଶେଷଜ୍ଞ ଦଳ ଯାଞ୍ଚ କରୁଛନ୍ତି।
ଟିଟୋ ପତ୍ନୀଙ୍କ ନାମରେ ଥିବା ୭ଟି ପାସବୁକ୍‌ ଜବତ ହୋଇଥିବାବେଳେ ଏପର୍ଯ୍ୟନ୍ତ ଟିଟୋର ମାତ୍ର ଗୋଟିଏ ପାସବୁକ୍‌ ଜବତ ହୋଇଛି। ପତ୍ନୀଙ୍କ ଆକାଉଣ୍ଟରୁ ଟିଟୋ ଆକାଉଣ୍ଟକୁ ୨୦୧୭ରେ ୧ କୋଟି ୬୦ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ତେବେ ସେହି ଟଙ୍କାରେ ଟିଟୋ ତା’ର ସ୍ତ୍ରୀ ନାମରେ କଲକାତାରେ ପ୍ଲଟ୍‌ କିଣିଥିବା କ୍ରାଇମ୍‌ବ୍ରାଞ୍ଚ ନିକଟରେ ସ୍ୱୀକାର କରିଛି। ଟିଟୋର ଘର ପାଖ କାର୍ଯ୍ୟାଳୟରୁ ଯେଉଁ ୨ ପେଟି ଦଲିଲ, ଦସ୍ତାବିଜ୍‌ ଜବତ ହୋଇଛି ସେଗୁଡିକର ମଧ୍ୟ ଯାଞ୍ଚଚାଲିଛି।
ସେଗୁଡିକ ମଧ୍ୟରୁ ଅଧିକାଂଶ ଦଲିଲ ଟେଣ୍ଡର ପେପର ବୋଲି ଜଣାପଡିଛି। ସେଥିମଧ୍ୟରୁ କେତେକ କୋଟିପତି ଠିକାଦାରଙ୍କ ନାମ ଓ ଠିକଣା ପୂରଣ ହୋଇଥିବା ବେଳେ ବହୁ ଟେଣ୍ଡର ପେପର ଖାଲି ଥିବା ଯାଞ୍ଚରୁ ଜଣାପଡିଛି। ତେବେ ସେହି ୨ପେଟି ଦଲିଲ ଯାଞ୍ଚ କରିବା ପାଇଁ କିଛିଦିନ ଲାଗିବ ବୋଲି କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ପ୍ରକାଶ। ସେହିଭଳି ୫ନଂ (କ) ଜାତୀୟ ରାଜପଥ ଶ୍ୟାମସୁନ୍ଦରପୁର କାର୍ଯ୍ୟାଳୟରୁ ଯେଉଁସବୁ ଦଲିଲ ଜବତ ହୋଇଛି ସେଗୁଡିକ ମଧ୍ୟରୁ ଅଧିକାଂଶ ରେଳପଥ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବାଲି ଖାଦାନ ଓ ରେଳପଥ ନିର୍ମାଣ ପାଇଁ ଯୋଗାଯାଉଥିବା ମାଟି, ମୋରମ ଏବଂ ଚିପ୍ସ ସଂକ୍ରାନ୍ତ୍ର। କ୍ରାଇମ୍‌ବ୍ରାଞ୍ଚ ପୁଲିସ ଟିଟୋର ବ୍ୟବସାୟ ଏବଂ ଆର୍ଥିକ କାରବାର ସଂକ୍ରାନ୍ତ ଦଲିଲଗୁଡିକ ଯାଞ୍ଚ କରି ସେ ସଂପର୍କରେ ପଚରାଉଚରା କରୁଥିବା ବେଳେ ଟେଣ୍ଡର ଫିକ୍ସିଂ, ବାଲିଖାଦାନ ବେଆଇନ ଦଖଲ ସଂପର୍କରେ କୌଣସି ପ୍ରଶ୍ନ ଏପର୍ଯ୍ୟନ୍ତ ଟିଟୋକୁ ପଚରାଯାଇନି। ତେବେ ଟିଟୋ ଏଠାକୁ ହାଜର ହେବାକୁ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନରେ କେବଳ ଗୋଟିଏ ଉତ୍ତର ରଖିଥିଲା- ‘ସମୟ ଆସିଲେ ସବୁ କହିବି’। ଏହା ମଧ୍ୟରେ ଟିଟୋ ଦ୍ୱାରା ଅନୁଗୃହୀତ ହୋଇଥିବା ବହୁ ଠିକାଦାର ଏବଂ ବଡବଡ ବ୍ୟବସାୟୀ ଆତ୍ମଗୋପନ କରିଥିବା ଜଣାପଡିଛି।
ଅନ୍ୟପକ୍ଷରେ ଟିଟୋର ଅଚଳାଚଳ ସମ୍ପତ୍ତି ଠାବ କରିବା ପରେ ଏବେ ଏସବୁ ସମ୍ପତ୍ତିର ବାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ(ଏସ୍‌ଟିଏଫ୍)। ଫୌଜଦାରୀ ଆଇନ(ସଂଶୋଧିତ) ଅଧ୍ୟାଦେଶ-୧୯୪୪ ବଳରେ ରାଜ୍ୟରେ ପ୍ରଥମ ଥର ଲାଗି ଟିଟୋର ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ବର୍ତ୍ତମାନ ସୁଦ୍ଧା ଠାବ କରିଥିବା ଶହେ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ଲାଗି ଏସ୍‌ଟିଏଫ୍ ଉକ୍ତ ଅଧ୍ୟାଦେଶ ବଳରେ ଜିଲା ଦୌରାଜଜଙ୍କ ନିକଟରେ ଆବେଦନ କରିବ। ଏନେଇ ଗୃହ ବିଭାଗଠାରୁ ଅନୁମତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଏସ୍‌ଟିଏଫ୍ ଡିଆଇଜି ହିମାଂଶୁ ଲାଲ୍‌।
ସେହିପରି ଟିଟୋର ବେଆଇନ୍ କାରବାର ଏବଂ ସମ୍ପତ୍ତିର ଖୋଳତାଡ ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏବଂ ଆୟକର ବିଭାଗକୁ ମଧ୍ୟ ଏନେଇ ପତ୍ର ଲେଖାଯିବ। ଫୌଜଦାରୀ ଆଇନ(ସଂଶୋଧିତ) ଅଧ୍ୟାଦେଶର ଧାରା ୩ ଅନୁସାରେ ଜିଲା ଦୌରାଜଜ୍ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତର ସମ୍ପତ୍ତିକୁ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଜବତ କରିପାରିବେ। ଆଇପିସିର ଧାରା ୪୧୭ ଓ ୪୨୦ରେ କିମ୍ବା ଅନ୍ୟ ଦଫାରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହେଲେ ତା’ର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯିବ। ଜବତ ସମ୍ପତ୍ତି ମଧ୍ୟରୁ ଯେତିକି ବେଆଇନ୍ ପ୍ରମାଣିତ ହେବ ସେହି ଅଂଶକୁ ଜିଲା ଦୌରାଜଜ୍ ବାଜ୍ୟାପ୍ତ କରିପାରିବେ।
ବତ୍ତର୍ମାନ ଟିଟୋ, ତା’ର ଭାଇ ଓ ସମ୍ପର୍କୀୟଙ୍କର ଯେଉଁ ସମ୍ପତ୍ତି ଠାବ ହୋଇଛି ତାହାର ପରିମାଣ କ୍ରମଶଃ ବଢ଼ିବାରେ ଲାଗିଛି। ତେଣୁ ଏହାକୁ ନେଇ ଏସ୍‌ଟିଏଫ୍‌ ଏକ ତାଲିକା ପ୍ରସ୍ତୁତି କରୁଥିବା ଜଣେ ଅଧିକାରୀ କହିଛନ୍ତି। ଆସନ୍ତାକାଲି ସୁଦ୍ଧା ଟିଟୋର କେତେ ପରିମାଣରେ ସମ୍ପତ୍ତି ରହିଛି ତାହାର ଏକପ୍ରକାର ଚୂଡାନ୍ତ ଆକଳନ ହୋଇପାରିବ; ତଥାପି ଏହା ୧୦୦ କୋଟି ଟପି ଯିବା ଆଶା କରାଯାଉଛି।

Leave A Reply