ଇଂଲଣ୍ଡରେ ପୁଣି କରୋନା ମାଡ଼: ଦେଶର ବିଭିନ୍ନ ସ୍ଥାନରେ ୪ର୍ଥ ପର୍ଯ୍ୟାୟ କଟକଣା ଜାରି
ଲଣ୍ଡନ: ଇଂଲଣ୍ଡରେ କରୋନା ସ୍ଥିତି ଅତ୍ୟନ୍ତ ଗୁରୁତର । ପରିସ୍ଥିତି ଏପରି ହୋଇଛି ସରକାର ସେଠାରେ ୪ର୍ଥ ପର୍ଯ୍ୟାୟ କଟକଣା ଜାରି କରିଛନ୍ତି । ଏହି କଟକଣାକୁ କଠୋରରୁ କଠୋରତମ ଭାବରେ ପାଳନ କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇଂଲଣ୍ଡବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଲଣ୍ଡନ ଓ ଇଂଲଣ୍ଡର ଦକ୍ଷିଣପୂର୍ବ ଅଞ୍ଚଳରେ ଏହାକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଏପରିକି ଏହି ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଖ୍ରୀସମାସ ସମୟରେ ମଧ୍ୟ ଏହି ନିୟମ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଜନସନ୍ କହିଛନ୍ତି ଯେ କୋଭିଡ଼ ୧୯ର ଏହି ନୂଆ ଷ୍ଟ୍ରେନ୍ ସହଜରେ ଅନ୍ୟକୁ ସଂକ୍ରମଣ କରିପାରୁଛି । ପୂର୍ବ ତୁଳନାରେ ଏହା ୭୦% ପର୍ଯ୍ୟନ୍ତ ଅଧିକ ସଂକ୍ରାମକ । ତେଣୁ ଜନସାଧାରଣ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ପର୍ଯ୍ୟାୟ ୩ (ଟାୟାର୩) ପ୍ରତିବନ୍ଧକ ଥିବା ସମସ୍ତ ଅଞ୍ଚଳରକୁ ୪ର୍ଥ ପର୍ଯ୍ୟାୟ କଟକଣାକୁ ପରିବର୍ତିତ କରାଯାଇଛି । ଗ୍ରେଟର ଲଣ୍ଡନ, ବରେକଶାୟର୍, ବକିଙ୍ଗହାମଶାୟର୍, ହର୍ଟଫୋର୍ଡଶାୟର୍, ହାଷ୍ଟିଙ୍ଗସ୍, କେଣ୍ଟ ଏବଂ ପୋର୍ଟସମାଉଥ୍ ଅଞ୍ଚଳରେ ଏହା ଜାରି କରାଯାଇଛି।
ଏହା ସହ ଏହି ଅଞ୍ଚଳରେ ବାର୍, ବିୟୁଟି ସେଲୁନ୍ ଏବଂ ଅନ୍ୟାନ୍ୟ ସ୍ପା ସେବା କୁ ବନ୍ଦ କରାଯାଇଛି । ଘର ଭିତରର ଥିବା ଲୋକମାନେ ବାହାର ଲୋକଙ୍କ ସହ ମିଶାମିଶି କରିପାରିବେ ନାହିଁ । ବାହାରେ ଅନ୍ୟ ପରିବାରର ବ୍ୟକ୍ତିଙ୍କ ସହ ମିଳାମିଶା ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ବାହାର ଲୋକଙ୍କୁ ଘରକୁ ଆସିବାକୁ ମଧ୍ୟ ବାରଣ କରାଯାଇଛି । ଯଦି କାହାରିକୁ ଭେଟିବା ଅତ୍ୟନ୍ତ ଜରୁରୀ ରହିଛି ତେବେ କେୟାର ହାଉସରେ ପରଦା ଆଢ଼ୁଆଳରେ ବା କାଚ ଝରକା ବାହାରେ ତାଙ୍କୁ ଭେଟ କରାଯାଇ ପାରିବ ବୋଲି କୁହାଯାଇଛି । ଏହା ସହ ଦେଶର ଲୋକମାନଙ୍କୁ ଅନ୍ୟତ୍ର ଯିବା ଉପରେ ବାରଣ କରାଯାଇଛି ।
Comments are closed.