www.samajalive.in
Monday, December 8, 2025
14.1 C
Bhubaneswar

ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମୃତ

କୋଲାବନଗର : କୋରାପୁଟ ଜିଲା କୋଲାବ ଡ୍ୟାମ୍ ନିକଟ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ରହିଛନ୍ତି। ମୃତକମାନେ ହେଲେ କୋରାପୁଟ ବ୍ଲକ ବଡ଼କେରେଙ୍ଗା ପଞ୍ଚାୟତ ସଲମନଗୁଡ଼ା ଗାଁର ପୂର୍ଣ୍ଣିମା ବଡ଼ନାଏକ, ସୋନୁମତି ଜାନୀ ଓ ଚମ୍ପା ବଡ଼ନାଏକ। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃ​‌ଷ୍ଟି ହୋଇଛି। ‌ ସଲମନଗୁଡ଼ା ଗାଁର କିଛି ନାବାଳିକା ଓ ମହିଳା ଦୁଇଟି ଟ୍ରକ୍‌ରେ ମୋର୍‌ମ ନେବା ପାଇଁ ଉକ୍ତ ପାହାଡ଼କୁ ଯାଇଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ୪୦ରୁ ୫୦ ଫୁଟ୍‌ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସିଥିଲା। ପୂର୍ଣ୍ଣିମା, ସୋନୁମତି ଓ ଚମ୍ପା ଅତଡ଼ା ତଳେ ଚାପି ହୋଇଯାଇଥିଲେ। ପୂର୍ଣ୍ଣିମା ଓ ସୋନୁମତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସଙ୍ଗେ ସଙ୍ଗେ କୋରାପୁଟରୁ ଓଡ୍ରାଫ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥି​‌ଲେ। ଏନେଇ ମୃତକଙ୍କ ପରିବାରବର୍ଗ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତି ପୂରଣ ଦାବି କରିଥିଲେ। ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିଲା। ‌କୋରାପୁଟ ଅତିରିକ୍ତ ଜିଲାପାଳ ବେଣୁଧର ଶବର, ଅତିରିକ୍ତ ଦହସିଲଦାର କାହ୍ନୁଚରଣ ପଟ୍ଟନାୟକ, ଟାଉନ୍‌ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, କୋଲାବନଗର ଫାଣ୍ଡି ଅଧିକାରୀ ଗଣେଶକୁମାର ବେହେରା, କୋରାପୁଟ ବିଧାୟକ ରଘୁରାମ ମାଛ, ରାଜସ୍ବ ପରିଦର୍ଶକ ଦେବପ୍ରସାଦ ପଣ୍ଡା, ରାଜସ୍ବ ନିରୀକ୍ଷକ ହରଗୌରୀ ମସ୍ତି ଓ ପୁଲିସ ଦଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପିଛା ୮୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ବୋଲି ଦୁଇ ଟ୍ରକ୍‌ର ମାଲିକ କହିବା ପରେ ଲୋକେ ଶାନ୍ତ ପଡ଼ିଥିଲେ। ଏଥିସହ ରେଡ୍‌କ୍ରସ ତରଫରୁ ମୃତକଙ୍କ ପରିବାରବର୍ଗଙ୍କୁ ୨୦ ହଜାର ଲେଖାଏଁ ସହାୟତା ଦିଆଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ଶବର କହିଥିଲେ। ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଅନ୍ୟପଟେ ବେଆଇନ ଭାବେ ଉକ୍ତ ସ୍ଥାନରୁ କିଛି ମାଫିଆ ମୋର୍‌ମ ନେଉଛନ୍ତି ଏବଂ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁ​‌ଷ୍ଠାନ ନିଆଯାଉ ନ ଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। କିଛି ବର୍ଷ ତଳେ ସେହି ସ୍ଥାନରେ ମାଟି ଅତଡା ଖସି ୩ ଜଣଙ୍କର ମୃତ୍ୟୁ ହୋଇଥିବା ନଜିର ରହିଛି। ଉକ୍ତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories