ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି – ମୁଖ୍ୟମନ୍ତ୍ରୀ

ବାରିପଦାରେ ୬୦ କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ

ଭୁବନେଶ୍ୱର; ମୟୂରଭଞ୍ଜ ଜିଲାର ଗୌରବଜ୍ଜଳ ଇତିହାସ ସର୍ବଜନ ବିଦିତ। ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର୍ ଠାରେ ଆୟୋଜିତ ମୟୂରଭଞ୍ଜ ଉତ୍ସବ ଅବସରରେ କହିଛନ୍ତି।

ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜ ର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ୧୫୦ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଇଂରେଜ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟର ବହୁ ଉନ୍ନତିମୂଳକ କାର୍ଯ୍ୟ ରାଜ ପରିବାର ଦ୍ଵାରା ସମାପନ ହୋଇଥିଲା। ଆଜି ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା କଟକ ବଡ଼ ମେଡ଼ିକାଲ ଓଡ଼ିଶାର ବରପୁତ୍ର ମୟୂରଭଞ୍ଜର ସୁନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅନନ୍ୟ ଅବଦାନ। ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ପାଇଁ ଭଞ୍ଜ ରାଜ ପରିବାରର ଅବଦାନ ରହିଛି। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମଧ୍ୟ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇଥିଲା।

ଗତ ଡ଼ିସେମ୍ବର ମାସରେ ରାଷ୍ଟ୍ରପତି ୬୨୯୪ କୋଟି ଟଙ୍କା ବିନିଯୋଗରେ ଜିଲାରେ ତିନୋଟି ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଇସ୍ପାତ କାରଖାନା ପାଇଁ ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି, ଏଥି ସହିତ ଇମ୍ଫା କମ୍ପାନୀ ସହିତ ଗୋଟିଏ ଇଥାନଲ ପ୍ରକଳ୍ପ ସ୍ଥାପନ ପାଇଁ ଚୁକ୍ତିନାମା ହୋଇଛି। ଆଗାମୀ ଦିନରେ ଜିଲ୍ଲାକୁ ଆହୁରି ଅଧିକ ଶିଳ୍ପ ଆସିବ, ନିଯୁକ୍ତି ବଢିବ ଏବଂ ମୟୂରଭଞ୍ଜ ର ଅର୍ଥନୀତି ସୁଦୃଢ ହେବ ବୋଲି ସେ କହିଥିଲେ। ମୟୂରଭଞ୍ଜ ର ଛଉ ନୃତ୍ୟ ପାଇଁ ଓଡିଶା ଗର୍ବିତ। ମୟୂରଭଞ୍ଜ ରେ ଛଉ ନୃତ୍ୟର ଲୋକପ୍ରିୟତା ଓ ଜିଲ୍ଲା ବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ।

ମୟୂରଭଞ୍ଜ ର ପ୍ରାକୃତିକ ପରିବେଶ, କଳା, ସଂସ୍କୃତି ଓ ପରମ୍ପରା ସର୍ବଦା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପ୍ରଶଂସା ପାଇଛି। ପର୍ଯ୍ୟଟନ କ୍ଷେତ୍ରରେ ଜିଲାର ପ୍ରସିଦ୍ଧି ରହିଥିବାରୁ ଗୁଜରାଟର ସାବରମତୀ ରିଭର ଫ୍ରଣ୍ଟ ପରି ବାରିପଦାରେ ୬୦ କୋଟି ଟଙ୍କା ବିନିଯୋଗରେ ବୁଢ଼ାବଳଙ୍ଗ ରିଭର୍ ଫ୍ରଣ୍ଟ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ମୟୁରଭଞ୍ଜ କଳା ସଂସ୍କୃତିର ଜିଲ୍ଲା, ପ୍ରକୃତିର ଜିଲା। ମୟୁରଭଞ୍ଜର ପ୍ରକୃତିକୁ ବିନିଯୋଗ କରିବାକୁ ଏବେ ସମୟ ଆସିଛି। ମୟୁରଭଞ୍ଜ ବାସୀଙ୍କ ଆର୍ଥିକସ୍ଥିତି ସ୍ୱଚ୍ଛଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ଅଛନ୍ତି । ଆସନ୍ତୁ ଆମେ ସମସ୍ତେ ମିଶି ଏହି ଜିଲ୍ଲାର ବିକାଶ କରି ମୁଖ୍ୟମନ୍ତ୍ରୀଙ୍କ ସମୃଦ୍ଧ ଓଡିଶା ଗଠନରେ ମୟୂରଭଞ୍ଜର ଭାଗିଦାରୀକୁ ଏକ ନମ୍ୱର ସ୍ଥାନରେ ରଖିବା।

ଅନ୍ୟତମ ଅତିଥିଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଥିଲେ ଯେ, ଓଡିଶା ଇତିହାସରେ ମୟୂରଭଞ୍ଜର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହି ଉତ୍ସବ ପ୍ରତି ମୟୂରଭଞ୍ଜିଆଙ୍କ ପାଈଁ ଗର୍ବ ଓ ଗୌରବର ଉତ୍ସବ। ମୟୁରଭଞ୍ଜର ଅସ୍ମିତାକୁ ବିଶ୍ବ ଦରବାରେ ପହଞ୍ଚାଇବା ପାଇଁ ସମସ୍ତେ ଉଦ୍ୟମ କରିବା ପାଇଁ ସେ ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ସାଂସଦ ତଥା ବିଧାୟକ ବୀରଭଦ୍ର ସିଂହ ତାଙ୍କର ବକ୍ତବ୍ୟ ରଖିଥିଲେ। ଅତିଥିମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଉପସ୍ଥିତ ଥିଲେ। ଅତିଥିମାନେ ମୟୂରଭଞ୍ଜ ଉତ୍ସବ ଅବସରରେ ସ୍ମରଣିକା ଉନ୍ମୋଚନ କରିଥିଲେ। ଉତ୍ସବ କମିଟିର ଅଧ୍ୟକ୍ଷ ଅରୁଣ କୁମାର ରଥ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସାଧାରଣ ସମ୍ପାଦକ ଡ ରଜନୀକାନ୍ତ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୁରଭଞ୍ଜ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଭିନେତା ସୁକାନ୍ତ ରଥ ଓ ଅନନ୍ୟା ପରିଚାଳନା କରିଥିଲେ। ଶେଷରେ ଛଉ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Comments are closed.