ମୁମ୍ବଇ: ବଲିଉଡ୍ର ବରିଷ୍ଠ ଅଭିନେତା ଇରଫାନ ଖାନଙ୍କର ଆଜି ମୃତ୍ୟୁ ଘଟିଛି। ମୁମ୍ବଇର କୋକିଳାବେନ ଧିରୁଭାଇ ଆମ୍ବାନୀ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତେବେ ବଲିଉଡ୍ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ଯାଦୁକରୀ ଅଭିନୟକୁ କଳାକାର ଜଗତ ଭୂଲିବା କଷ୍ଟକର ହେବ। ତେବେ ଇରଫାନ ଏବେ ନାହାନ୍ତି ସତ, କିନ୍ତୁ ତାଙ୍କ ନାମକୁ ନେଇ ରହିଛି କିଛି ସ୍ବତନ୍ତ୍ରତା। ତାହା ହେଉଛି ତାଙ୍କ ନାମର ବନାନ୍। ଇରଫାନ ତାଙ୍କ ନାମରେ ଏକ ଅତିରିକ୍ତ ‘R’ ଯୋଡ଼ିଥିଲେ। ଏହାର ଏକ କାରଣ ମଧ୍ୟ ରହିଛି।
ଇଂଲିଶରେ ଇରଫାନଙ୍କ ନାମର ବନାନ Irfan ଥିଲା। କିନ୍ତୁ ପରେ ସେଥିରେ ଆଉ ଏକ R ଯୋଡ଼ି ସେ Irrfan ବୋଲି ଲେଖିଥିଲେ। ଏହାର କାରଣ ହେଉଛି ଖୋଦ ତାଙ୍କ ନାମ। ଇରଫାନଙ୍କ ପୂରା ନାମ ଥିଲା ସାହାବଜାଦେ ଇରଫାନ ଅଲି ଖାନ। କିନ୍ତୁ ଏତେ ଲମ୍ବା ନାମ ତାଙ୍କର ପସନ୍ଦ ନ ଥିଲା। ତେଣୁ ଇରଫାନ ନିଜ ନାମ ପଛରୁ ’ସାହାବଜାଦେ’ ଶବ୍ଦକୁ ହଟାଇ ଦେଇଥିଲେ। ଏହା ବଦଳରେ ସେ ‘Irfan’ ଶବ୍ଦରେ ଆଉ ଏକ R ଯୋଡ଼ି ‘Irrfan’ ଲେଖିଥିଲେ। ସେବେଠାରୁ ତାଙ୍କ ନାମ ଏପରି ଲେଖାଯାଉଛି।



