ନୂଆଦିଲ୍ଲୀ: ଟ୍ରାକ୍ଟର ରାଲି ନାଁରେ ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ହେଉଛନ୍ତି ଅଭିନେତା ଦୀପ ସିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟର ଲଖା ସିଦ୍ଧାନା। ଏହି ଦୁଇଜଣଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଟ୍ରାକ୍ଟର ରାଲିକୁ ଏମାନେ ହିଂସାରେ ପରିବର୍ତ୍ତନ କରିଦେଇଥିଲେ।

ଦୀପ୍ ସିଦ୍ଧୁ ହେଉଛନ୍ତି ପଞ୍ଜାବର ଜଣେ ଲୋକପ୍ରିୟ ଅଭିନେତା। ସେ କେତେକ ହିନ୍ଦୀ ଚଳଚ୍ଚିତ୍ରରେ ବି କାମ କରିଛନ୍ତି। ତାଙ୍କ ସମେତ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଲଖା ସିଦ୍ଧାନାଙ୍କ ଇସାରାରେ ହିଂସା ସୃଷ୍ଟି କରାଯାଇଥିବା ପୁଲିସ ତଥ୍ୟ ପାଇଛି। ଦୀପ୍ ସିଦ୍ଧୁ ଲାଲ୍କିଲାରେ ନିଶାନ ସାହିବଙ୍କ ଧାର୍ମିକ ପତାକା ଉଡ଼ାଇଥିଲେ। ଏହା ବ୍ୟତୀତ ସେ ବିକ୍ଷୋଭ ମଞ୍ଚରେ ନେତୃତ୍ଵ ନେଇଥିଲେ, ନାରାବାଜି କରିଥିଲେ ଏବଂ ଟ୍ରାକ୍ଟର ରାଲିକୁ ରିଙ୍ଗ୍ ରୋଡ୍କୁ ଡାଇଭର୍ଟ ମଧ୍ୟ କରାଇଥିଲେ।
ଏ ହେଉଛନ୍ତି ସେହି ଦୀପ୍ ସିଦ୍ଧୁ, ଯାହାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସାଂସଦ ତଥା ଅଭିନେତା ସନି ଦେଓଲ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଫଟୋ ମଧ୍ୟ ରହିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅନ୍ୟପଟେ ଲାଖା ସିଧାନା ଅପରାଧ ଦୁନିଆରୁ ରାଜନୀତି ଦୁନିଆରେ ପାଦ ଦେଇଛନ୍ତି। ପଞ୍ଜାବରେ ଅନେକ ଆପରାଧିକ କାର୍ଯ୍ୟକଳାପରେ ତାଙ୍କର ସମ୍ପୃକ୍ତି ରହିଛି। ହତ୍ୟା, ଲୁଟ୍ ଏବଂ ଅପହରଣ ଭଳି ସମ୍ବେଦନଶୀଳ ଘଟଣାରେ ତାଙ୍କ ନାମରେ ଅନେକ ମାମଲା ରୁଜୁ ହୋଇଛି। ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲଙ୍କ ତରଫରୁ ଗଠନ କରାଯାଇଥିବା ଦଳ ପଞ୍ଜାବ ପିପୁଲ୍ସ ପାର୍ଟିରେ ସେ ପୂର୍ବରୁ ଇନ୍ଚାର୍ଜ ରୂପେ କାର୍ଯ୍ୟ କରିଛନ୍ତି। ଏବେ ଦିଲ୍ଲୀ ହିଂସାରେ ତାଙ୍କ ନାମ ସାମ୍ନାକୁ ଆସିଛି। ପୁଲିସ ଏ ଦିଗରେ ତଦନ୍ତ ଚଳାଇଛି।
କୃଷକ ନେତା ଗୁରନାମ ସିଂହ ଚଢ଼ୁନୀ ଗଣମାଧ୍ୟମକୁ କହିଛନ୍ତି ଯେ, ଦୀପ୍ ସିନ୍ଧୁ ହିଁ କୃଷକ ଆନ୍ଦୋଳନକୁ ହିଂସାତ୍ମକ ବାଟକୁ ନେଇଛନ୍ତି। କୃଷକ ସଂଗଠନଗୁଡ଼ିକ ଆରମ୍ଭରୁ ଦୀପ ସିଦ୍ଧୁଙ୍କୁ ଆନ୍ଦୋଳନରୁ ଦୂରେଇ ରଖିଥିଲେ। ଅନ୍ୟ ଜଣେ କୃଷକ ନେତା ରାଜେୱାଲ ମଧ୍ୟ ସିଦ୍ଧୁଙ୍କ ବିରୋଧରେ ଅନୁରୂପ ଅଭିଯୋଗ କରିଛନ୍ତି।
ଭାରତୀୟ କୃଷକ ସଂଗଠନର ପ୍ରମୁଖ ଚୌଧୁରୀ ହରପାଲ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ୩୦ରେ ଆମର କିଛି କୃଷକ ରାସ୍ତା ଭୁଲିଯାଇ ଫ୍ଲାଏଓଭର ଉପରେ ଚଢ଼ିଯାଇଥିଲେ। ସେମାନେ ଅକ୍ଷରଧାମ ମନ୍ଦିର ପର୍ଯ୍ୟନ୍ତ ଚାଲିଯାଇଥିଲେ। କିନ୍ତୁ ପରେ ସେମାନଙ୍କୁ ଆମେ ଡକାଇବା ସହିତ ପୁଲିସ ସ୍ଥିର କରିଥିବା ରୁଟ୍ରେ ଯାଇଥିଲୁ। ତେବେ ରାଲିକୁ ବଦନାମ କରିଥିବା ସବୁ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ହରପାଲ୍ଙ୍କ ସମେତ ଅନ୍ୟ କୃଷକ ନେତାମାନେ ଦାବି କରିଛନ୍ତି।
ସେପଟେ ଦୀପ ସିଦ୍ଧୁ ଫେସବୁକ ଜରିଆରେ ଏକ ଭିଡିଓ ଶେୟାର କରି ସଫେଇ ଦେଇଛନ୍ତି ଯେ, କୃଷକ ଆନ୍ଦୋଳନକୁ କଠୋରପନ୍ଥୀମାନଙ୍କ ଦ୍ବାରା ସାମ୍ପ୍ରଦାୟିକ ରଙ୍ଗ ଦିଆଯାଇ ବଦନାମ କରାଯାଉଛି। ପ୍ରତୀକାତ୍ମକ ବିରୋଧ ଭାବେ ସେ ନିଶାନ ସାହିବ ଏବଂ କୃଷକ ସଂଗଠନର ପତାକା ଉଡ଼ାଇଥିଲେ। କୃଷକ ଏକତା ମଞ୍ଚ ଜିନ୍ଦାବାଦ ନାରା ବି ଦେଇଥିଲେ। ତିରଙ୍ଗା ପତାକା ପୂର୍ବରୁ ଉଡୁଥିଲା ଏବଂ ସେହି ସମୟରେ ତିରଙ୍ଗାର ଅପମାନ କରାଯାଇ ନାହିଁ। ଯେତେବେଳେ ଲୋକମାନଙ୍କର ବାସ୍ତବିକ ଅଧିକାରକୁ ଅଣଦେଖା କରାଯାଇଥାଏ, ସେତେବେଳେ ଏପରି ଜନଆନ୍ଦୋଳନରେ ଲୋକଙ୍କ ରାଗ ବଢ଼ିଯାଇଥାଏ। ଆଜିର ପରିସ୍ଥିତିରେ ବି ତାହା ହୋଇଥିଲା।



