ଭୁବନେଶ୍ଵର: ଓଡ଼ିଶାରେ ଆସନ୍ତା ୫ ତାରିଖରୁ ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗାମୀ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲାରେ ୨ ସପ୍ତାହ ଧରି ଏହି ନିୟମ ବଳବତ୍ତର ରହିବ। ତେବେ ତାଲାବନ୍ଦ ସମୟରେ ରାଜ୍ୟରେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ତାହାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ତାଲାବନ୍ଦ ସମୟରେ କି କି ସେବା ଚାଲୁ ରହିବ ଏବଂ କାହା ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି ତାହା ଆସନ୍ତୁ ଜାଣିବା
ଏସବୁ ସେବା ବନ୍ଦ ରହିବ:
– ତାଲାବନ୍ଦ ସମୟରେ ବସ୍ରେ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିବ।
– ଚିକିତ୍ସା ସମ୍ବନ୍ଧୀୟ ଆବଶ୍ୟକତା ବ୍ୟତୀତ, ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଆନ୍ତଃ ରାଜ୍ୟ ଯାତାୟାତ ଉପରେ କଟକଣା ଲାଗୁ ହୋଇଛି।
– ସରକାରଙ୍କଠାରୁ ଅନୁମତି ପ୍ରାପ୍ତ ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷା, ପ୍ରଶିକ୍ଷଣ ଏବଂ କୋଚିଂ ଅନୁଷ୍ଠାନ ବନ୍ଦ ରହିବ। ତେବେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଅନୁଷ୍ଠାନଙ୍କ ଦ୍ବାରା ହେବାକୁ ଥିବା ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ।
– ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା, ଷ୍ଟଲ, ବ୍ୟାବସାୟିକ ବୈଠକ କରିବା ନିଷେଧ। ଏସବୁ ଭିଡିଓ କନ୍ଫରେନ୍ସ ଜରିଆରେ ହୋଇପାରିବ।
– ଟ୍ୟାକ୍ସି (ଅଟୋ ଏବଂ ସାଇକେଲ ରିକ୍ସା ସମେତ) ଏବଂ କ୍ୟାବ୍ ଟ୍ୟାକ୍ସି ସେବା ବନ୍ଦ ରହିବ।
– ସମସ୍ତ ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ, ଜିମ୍, ସ୍ପୋର୍ଟ୍ସ କଂପ୍ଲେକ୍ସ, ସୁଇମିଂ ପୁଲ୍, ମନୋରଞ୍ଜନ ଉଦ୍ୟାନ, ଥିଏଟର, ବାର୍ ଏବଂ ପ୍ରେକ୍ଷାଳୟ, ବୈଠକ୍ ଗୃହ, ମୀନା ବଜାର ଏବଂ ଏ ସମ୍ପର୍କିତ କାର୍ଯ୍ୟକଳାପ ବନ୍ଦ ରହିବ।
– ଯାତ୍ରା, ଅପେରା ଏବଂ ମୁକ୍ତାକାଶ ଥିଏଟର ଖୋଲିବ ନାହିଁ।
– ସମସ୍ତ ସେଲୁନ, ସ୍ପା, ବ୍ୟୁଟି ପାର୍ଲର ଆଦି ବନ୍ଦ ରହିବ।
– ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଶିକ୍ଷଣୀୟ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଏବଂ ଅନ୍ୟାନ୍ୟ ଏକତ୍ରୀକରଣ ଉପରେ କଟକଣା ଲାଗୁ ହୋଇଛି।
– ସମସ୍ତ ଧାର୍ମିକ ସ୍ଥଳ, ପୂଜାସ୍ଥଳ ଜନସାଧାରଙ୍କ ପାଇଁ ବନ୍ଦ ରହିବ। ତେବେ ସର୍ବନିମ୍ନ ପୂଜକ ଓ ସେବାୟତଙ୍କ ଜରିଆରେ ଦେବାଳୟରେ ନିତିକାନ୍ତି ଚାଲିବ। ଧାର୍ମିକ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି।
– ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିପାରିବ। କିନ୍ତୁ ଏଥିରେ ୫୦ରୁ ଅଧିକ ବ୍ୟକ୍ତିବିଶେଷ ସାମିଲ ହୋଇପାରିବେ ନାହିଁ। ସେହିପରି ଦଶାହ କାର୍ଯ୍ୟ କିମ୍ବା ଶବଦାହ କାର୍ଯ୍ୟରେ ୨୦ରୁ ଅଧିକ ବ୍ୟକ୍ତି ସାମିଲ ନ ହେବାକୁ ନିର୍ଦେଶ ରହିଛି। ବିବାହ ଏବଂ ଶୁଦ୍ଧିକ୍ରିୟା ସରକାରଙ୍କ ନିର୍ଦେଶାବଳୀ ଅନୁସାରେ କରାଯିବ।
ଏସବୁ ଚାଲୁ ରହିବ:
– ଡାକ୍ତରଖାନା, ନର୍ସିଂ ହୋମ୍, କ୍ଲିନିକ, ଟେଲି ମେଡିସିନ ସେବା ଚାଲୁ ରହିବ।
– ଉପସ୍ବାସ୍ଥ୍ୟକେନ୍ଦ୍ର, ଔଷଧ ଦୋକାନ, ଜନଔଷଧି କେନ୍ଦ୍ର, ଚିକିତ୍ସା ଉପକରଣ ଦୋକାନ ଖୋଲା ରହିବ।
– ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ଲାବରେଟୋରି, କୋଭିଡ-୧୯ ସମ୍ପର୍କିତ ଗବେଷଣା କରୁଥିବା ଅନୁଷ୍ଠାନ ଖୋଲା ରହିବ।
– ପଶୁ ଚିକିତ୍ସାଳୟ, ଉପସ୍ବାସ୍ଥ୍ୟକେନ୍ଦ୍ର, କ୍ଲିନିକ, ପାଥୋଲ୍ୟାବ୍, ଟିକା ବିକ୍ରୟ ଏବଂ ଯୋଗାଣ ଜାରି ରହିବ।
– ଟିକାକରଣ ଏବଂ କରୋନା ପରୀକ୍ଷା ଜାରି ରହିବ।
– ଛାପା, ବୈଦ୍ୟୁତିକ ଗଣମାଧ୍ୟମ ଏବଂ ୱେବ୍ ଗଣମାଧ୍ୟମ ଚାଲୁ ରହିବ।
– ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏବଂ କୋଭିଡ-୧୯ ଲଢ଼େଇରେ ସାମିଲ ହୋଇଥିବା ଘରୋଇ ପ୍ରତିଷ୍ଠାନ, ଡାଏଗ୍ନୋଷ୍ଟିକ ସେଣ୍ଟର, ଡାକ୍ତରଖାନାକୁ ଉପକରଣ ଓ ଔଷଧ ଯୋଗାଣକାରୀ ସଂସ୍ଥା ଖୋଲା ରହିବ।
– ଔଷଧ ପ୍ରସ୍ତୁତକାରୀ ସଂସ୍ଥା, ଫାର୍ମାସିଟିକାଲ୍ସ, ଚିକିତ୍ସା ଉପକରଣ, ଡାକ୍ତରଖାନା ଅମ୍ଳଜାନ, ଏହାର ପ୍ୟାକେଜିଂ ବସ୍ତୁ, କଞ୍ଚା ମାଲ ପ୍ରସ୍ତୁତକାରୀ ସଂସ୍ଥା ଚାଲୁ ରହିବ।
– ମେଡିକାଲ ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଆମ୍ବୁଲାନ୍ସ ନିର୍ମାଣକାରୀ ସଂସ୍ଥା କାର୍ଯ୍ୟକ୍ଷମ ରହିବେ।
– ସମସ୍ତ ମେଡିକାଲ ଏବଂ ପଶୁ ଚିକିତ୍ସାଳୟ କର୍ମଚାରୀ, ବୈଜ୍ଞାନିକ, ନର୍ସ, ପାରା-ମେଡିକାଲ କର୍ମଚାରୀ, ଲ୍ୟାବ୍ ଟେକ୍ନିସିଆନ ଏବଂ ଆମ୍ବୁଲାନ୍ସର ଗତିବିଧି (ଆନ୍ତଃରାଜ୍ୟ ଓ ଆକାଶ ମାର୍ଗରେ) ଜାରି ରହିବ।
– ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆରବିଆଇ ଦ୍ବାରା ନିୟନ୍ତ୍ରିତ ଆର୍ଥିକ ବଜାର ଓ ସଂଗଠନ ଯେପରି କି ଏନପିସିଆଇ, ସିସିଆଇଏଲ, ପେମେଣ୍ଟ ବ୍ୟବସ୍ଥାର ଅପରେଟର କାର୍ଯ୍ୟ କରିବେ। ବ୍ୟାଙ୍କ ଶାଖା, ଏଟିଏମ, ଆଇଟି ଅନୁଷ୍ଠାନ (ବ୍ୟାଙ୍କିଂ କାର୍ଯ୍ୟ ପାଇଁ), ବ୍ୟାଙ୍କିଂ ପ୍ରତିନିଧି, ଏଟିଏମ ପରିଚାଳନା ଏବଂ ମୁଦ୍ରା ପରିଚାଳନା ସଂସ୍ଥା କାର୍ଯ୍ୟକ୍ଷମ ରହିବେ। ତେବେ ଏସବୁ ସଂସ୍ଥା କାର୍ଯ୍ୟ କରିବା ଲାଗି ଅର୍ଥ ବିଭାଗ ନିର୍ଦେଶାବଳୀକୁ ଅନୁସରଣ କରିବାକୁ ହେବ।
– ସାପ୍ତାହିକ ଏବଂ ଦୈନିକ ହାଟ ବନ୍ଦ ରହିବ।
– ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ସମେତ ମାଛ, ମାଂସ, ଅଣ୍ଡା କ୍ଷୀର ଦୋକାନ ଖୋଲା ରହିବ। ତେବେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ଖୋଲା ରହିବ।
– ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଖାଦ୍ୟ ପୁଡ଼ିଆ ଦେଇପାରିବେ ଏବଂ ହୋମ ଡେଲିଭରି ପାଇଁ ବ୍ୟବସ୍ଥା କରିପାରିବେ।
– ହୋମ୍ ଡେଲିଭରି ସେବା ଯୋଗାଉଥିବା ଇ-ବାଣିଜ୍ୟ ଅନୁଷ୍ଠାନ ଯେପରି କି ଆମାଜନ, ଫ୍ଲିପକାର୍ଟ, ବ୍ଲୁ ଡାର୍ଟ, ଡିଟିଡିସି, ଜୋମାଟୋ, ମିନ୍ତ୍ରା, ସ୍ବିଗୀ, କେଏଫସି ଭଳି ସଂସ୍ଥା କାର୍ଯ୍ୟକ୍ଷମ ରହିବେ।
– ବିଗ୍ ବଜାର, ରିଲାଏନ୍ସ ଫ୍ରେଶ, ଓମ୍ଫେଡ୍, ଓପୋଲଫେଡ୍, ଚିଲିକା ଫ୍ରେଶ, ସ୍ପେନ୍ସର୍ସ ଆଦି ହୋମ୍ ଡେଲିଭରି ସେବା ଯୋଗାଇ ପାରିବେ।
– ଗ୍ୟାରେଜ, ଗାଡ଼ି ମରାମତି ଦୋକାନ, ଲୁହା ଛଡ଼, ସିମେଣ୍ଟ, ବହି ଦୋକାନ ଖୋଲା ରହିବ।
– ବିଦ୍ୟୁତ କର୍ମଚାରୀ, ପାଣି ପାଇପ ମିସ୍ତ୍ରି, କାଠ କାରିଗର, ଆଇଟି ମେକାନିକ, ଗାଡ଼ି ମେକାନିକ୍ ଯାତାୟାତ କରିପାରିବେ।
– ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ କରିପାରିବେ ହକର୍।
– ତୈଳ ଏବଂ ଗ୍ୟାସ କ୍ଷେତ୍ର କାର୍ଯ୍ୟକ୍ଷମ ରହିବ। ତୈଳ ଯେପରି କି ପେଟ୍ରୋଲ, ଡିଜେଲ, କିରୋସିନ, ସିଏନଜି, ଏଲପିଜି, ପିଏନଜି ଆଦିର ବିଶୁଦ୍ଧକରଣ, ପରିବହନ, ବଣ୍ଟନ ଓ ବ୍ୟବସାୟ ଚାଲୁ ରହିବ।
– ରାଜ୍ୟସ୍ତରରେ ବିଦ୍ୟୁତ ଉତ୍ପାଦନ, ସଞ୍ଚାରଣ, ବିତରଣ ବ୍ୟବସ୍ଥା ଜାରି ରହିବ।
– ଡାକ ସେବା ଏବଂ କାର୍ଯ୍ୟାଳୟ ଖୋଲା ରହିବ।
– ପୌର ପରିଷଦ ଏବଂ ପଞ୍ଚାୟତ ସ୍ତରରେ ଜଳ, ପରିମଳ ଏବଂ ବର୍ଜ୍ୟ ପରିଚାଳନା କ୍ଷେତ୍ର କାର୍ଯ୍ୟକ୍ଷମ ରହିବ।
– ଦୂର ସଞ୍ଚାର, ଡିଟିଏଚ, ଇଣ୍ଟରନେଟ ସେବା, ଟେଲିକମ ଟାୱାର ପରିଚାଳନା ଆଦି କ୍ଷେତ୍ର ଚାଲୁ ରହିବ।



