ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା; ଆସିପାରେ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନାର ତୃତୀୟ ଲହରକୁ ନେଇ ଆଶଙ୍କାରେ ରହିଥିବାବେଳେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତାହାସହିତ ଏଥିପାଇଁ ଅତ୍ୟନ୍ତ ସତର୍କ ରହିବାର ଆବଶ୍ୟକତା ଥିବା ଲିଣ୍ଡର ଶନିବାର ଦିନ କହିଛନ୍ତି । ସେ କହିଛନ୍ତି, ଚତୁର୍ଥ ଲହରରେ କରୋନା ଭୂତାଣୁ ଅଧିକ ସଂକ୍ରାମକ ଏବଂ ଘାତକ ହେବ । ଏପରିକି ତାହା ଉପରେ ଟିକାର ପ୍ରଭାବ ମଧ୍ୟ କାମ କରିନପାରେ ।
ଏକ ଟ୍ୱିଟ୍‍ରେ ସେ କହିଛନ୍ତି, କିଛି ରାଷ୍ଟ୍ରରେ କୋଭିଡ ପ୍ରଭାବ ହ୍ରାସ ପାଉଥିବାରୁ ସେଠାରେ କଟକଣା କୋହଳ କରାଯାଉଛି । ସେହି ସମୟରେ ଏହି ଭୂତାଣୁ ନିଜର ରୂପ ବଦଳାଇବା ସହିତ ଅଧିକରୁ ଅଧିକ ଘାତକ ହେବାରେ ଲାଗିଛି ଏବଂ ବିଭିନ୍ନ ରାଷ୍ଟ୍ରରେ ଏହାର ଯେଉଁ ଭାରିଆଣ୍ଟ ଠାବ କରାଯାଉଛି, ସେ କ୍ଷେତ୍ରରେ ଟିକା ମଧ୍ୟ କିଛି କାମ କରିନପାରେ । ଏଥିରେ ସେ ଡେଲ୍‍ଟା ଭାରିଆଣ୍ଟର ଉଦାହରଣ ଦେଇଛନ୍ତି । ସେଥିପାଇଁ ପୂର୍ଣ୍ଣ ସତର୍କ ନରହିଲେ କୋଭିଡ ମୁକାବିଲା କ୍ଷେତ୍ରରେ ଯାହା କିଛି ସଫଳତା ହାସଲ କରାଯାଇଛି, ତାହା ପାଣିଫାଟିଯିବ ବୋଲି ସେ କହିଛନ୍ତି । ଲିଣ୍ଡର କହିଛନ୍ତି, ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଗସ୍ତକୁ ନେଇ ରହିଥିବା କଟକଣା ଉଠାଇବା ଏକ ସହଜ ନିଷ୍ପତ୍ତି ନୁହେଁ । ଏହା ବହୁ ଭାବିଚିନ୍ତି ନେବାକୁ ପଡିବ । ଏଭଳି ସ୍ଥିତିରେ ନିଜ ଦେଶର ନାଗରିକଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ ତାହା ଦେଖିବା ଦାୟିତ୍ୱ ଭୂତାଣୁ ବିଶାରଦ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର । ସୂଚନାଯୋଗ୍ୟ ଯେ କରୋନା ଭୂତାଣୁର ଡେଲ୍‍ଟା ଭାରିଆଣ୍ଟ ଭାରତରେ ମୁଖ୍ୟତଃ ଠାବ କରାଯାଇଥିବାବେଳେ ଏବେ ତାହା ପୁଣି ନିଜ ରୂପ ବଦଳାଇ ଡେଲ୍‍ଟା ପ୍ଲସରେ ପରିଣତ ହୋଇଛି ଏବଂ କିଛି ରାଜ୍ୟରେ ଏହି ଭାରିଆଣ୍ଟକୁ ଠାବ କରାଯାଇଛି ।

Comments are closed.