ପଞ୍ଚାୟତ ନିର୍ବାଚନ ପରିକ୍ରମା; ଠେଲକୋଲୋଇ ଗ୍ରାମପଞ୍ଚାୟତରେ ୧୨ ଜଣ ସରପଞ୍ଚ ପ୍ରାର୍ଥୀ
ମୁଖ୍ୟ ସମସ୍ୟା ନିଯୁକ୍ତି, ପାନୀୟ ଜଳ, ପ୍ରଦୂଷଣ ଓ ବିପର୍ଯ୍ୟସ୍ତ ପରିମଳ
ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକର ଅଧିକାଂଶ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ବହୁମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ଦେଖିବାକୁ ମିଳୁଛି। ଏହି ବ୍ଳକର ଝାଙ୍କରପାଲି ଗ୍ରାମପଞ୍ଚାୟତରେ ରାଜ୍ୟର ସର୍ବାଧିକ ୨୭ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରି ରେକର୍ଡ ସୃଷ୍ଟି କରିଛି। ଝାଙ୍କରପାଲି ବ୍ୟତୀତ ରେଙ୍ଗାଲିରେ ୧୪ ଜଣ ଏବଂ ଠେଲକୋଲୋଇରେ ୧୨ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଠେଲକୋଲୋଇ ଏବଂ ଧୁବେନଛାପଲଞ୍ଚ ଦୁଇଟି ରାଜସ୍ୱ ଗ୍ରାମକୁ ନେଇ ୨୦୧୭ମସିହାରେ ଏହି ଗ୍ରାମପଞ୍ଚାୟତ ଗଠିତ ହୋଇଥିଲା। ୧୧ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ମୋଟ ଭୋଟର ସଂଖ୍ୟା ୨୩୧୭। ପୁରୁଷ ଭୋଟର ସଂଖ୍ୟା ୧୧୮୧ ଏବଂ ମହିଳା ଭୋଟର ସଂଖ୍ୟା ୧୧୩୬। ପୂର୍ବରୁ ଏହି ପଞ୍ଚାୟତରୁ ଦୁଇଟିଯାକ ଗ୍ରାମ ଖିଣ୍ଡା ପଞ୍ଚାୟତ ଅଧିନରେ ରହିଥିଲା। ସମ୍ବଲପୁର ଜିଲ୍ଲାରେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବୃହତ୍ ଶିଳ୍ପାୟନର ମୂଳଦୁଆ ଠେଲକୋଲୋଇ ଗ୍ରାମରେ ପଡିଥିଲା। ଶିଳ୍ପାୟନର ପ୍ରଭାବରେ ଏକଦା ଏକ କ୍ଷୁଦ୍ର ଗାଁ ଥିବା ଠେଲକୋଲୋଇ ଏବେ ସହର ଭଳି ହୋଇ ଗଲାଣି। ତେବେ ଶିଳ୍ପାୟନର ପ୍ରଭାବ ସତ୍ତ୍ବେ ଠେଲକୋଲୋଇ ଏବଂ ଧୁବେନଛାପଲ ଗ୍ରାମର ସର୍ବନିମ୍ନ ମୌଳିକ ସମସ୍ୟା ଏବେ ମଧ୍ୟ ଅସମାହିତ ହୋଇ ରହିଯାଇଛି।
ଶିଳ୍ପାୟନର ଦୁଇ ଦଶନ୍ଧି ବିତିଗଲା ପରେ ବି ଜମିବାଡି ହରାଇ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହୋଇଥିବା ପରିବାରର ବହୁ ସଂଖ୍ୟକ ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ନମିଳିବା ଏକ ସମସ୍ୟା ହୋଇ ରହିଯାଇଛି। ପଞ୍ଚାୟତ ଅଞ୍ଚଳର ପରିମଳ ବ୍ୟବସ୍ଥା ଅତି ଦୟନୀୟ। ନାଳ ନର୍ଦ୍ଦମା ସଫା ହେଉ ନଥିବାରୁ ପୋତି ହୋଇ ଗଲାଣି। ରାସ୍ତା ପାର୍ଶ୍ବରେ ଜମା ହୋଇ ରହୁଥିବା କୁଢକୁଢ ଅଳିଆ ଆବର୍ଜନାର ନିଷ୍କାସନ ଓ ପ୍ରକ୍ରିୟା କରଣ ହେଉ ନଥିବାରୁ ପରିବେଶ ପ୍ରଦୁଷିତ ହେଉଛି। ପ୍ରଦୁଷଣ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଠେଲକୋଲୋଇ ଅଞ୍ଚଳ ଶିଳ୍ପ ସମୃଦ୍ଧ ହେଲାପରେ ଅହେତୁକ ଭାବରେ ଜନ ସଂଖ୍ୟା ବୃଦ୍ଧି ପାଇଥିବାରୁ ଏଠାରେ ସାର୍ବଜନୀନ ଶୌଚାଳୟର ଜରୁରୀ ଆବଶ୍ୟକତା ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ବି ଶୌଚାଳୟ ନିର୍ମାଣ ହୋଇ ନାହିଁ। ଏହି ପଞ୍ଚାୟତରେ ଥିବା ଉତ୍କଟ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମଧାନ ହେଉ ନାହିଁ। ଟେଙ୍କର ରେ ଅସ୍ଥାୟୀ ଭାବରେ ଯୋଗାଇ ଦିଆଯାଉଥିବା ପିଇବା ପାଣି ଉପରେ ଲୋକେ ନିର୍ଭର କରୁଛନ୍ତି। ସ୍ଥାୟୀ ପାନିୟ ଜଳ ଯୋଗାଣ ବ୍ୟବସ୍ତା କରାଯିବାର ନିତାନ୍ତ ଜରୁରୀ ହୋଇପଡିଛି। ଏହି ପଞ୍ଚାୟତ ଅଞ୍ଚଳରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ପ୍ରାୟ ଅକାମୀ ହୋଇ ପଡିଛି। ଦୀର୍ଘ ବର୍ଷ ହେଲା ଠେଲକୋଲୋଇ ଗ୍ରାମର କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ ଅବସ୍ଥାରେ ପଡ ରହିଥିବା ବେଳେ ଧୁବେନଛାପଲ ଗ୍ରାମରେ ଏପର୍ଯ୍ୟନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇ ନାହିଁ। ବନ୍ଧ, କଟା, ପୋଖରୀ ଆଦି ପାରମ୍ପାରିକ ଜଳ ଉତ୍ସ ଗୁଡିକର ପୁନଃରୁଦ୍ଧାର ତଥା ରକ୍ଷଣାବେକ୍ଷଣ କରାଯାଉ ନଥିବାରୁ ଏସବୁ ର ଜଳ ଦୂଷିତ ହେବା ସହିତ ଜଳାଶୟଗୁଡିକର ଆକାର ସଙ୍କୁଚିତ ହୋଇ ପୋତି ହେଲା ଭଳି ଅବସ୍ଥାକୁ ପହଞ୍ଚିବାକୁ ବସିଲାଣି। ପଞ୍ଚାୟତର ଜମି, ଜଳ, ଜଙ୍ଗଲ କାରଖାନା ପାଇଁ ଅଧିଗ୍ରହଣ କରାଯାଇ ଥିବା ସତ୍ତେ୍ୱ ପାରିପାର୍ଶ୍ବିକ ବିକାଶ ଯେଭଳି ହେବା କଥା ହୋଇ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଶିଳ୍ପାୟନ ସତ୍ତ୍ବେ ଅଞ୍ଚଳର ସିଂହଭାଗ ଲୋକେ କୃଷି ଉପରେ ନିର୍ଭର କରୁଛନ୍ତି। ତେବେ ଜଳ ସେଚନର ସୁବିଧା ନଥିବାରୁ ବର୍ଷା ଜଳ ଉପରେ ନିର୍ଭରଶୀଳ ଚାଷୀ ଅନିୟମିତ ବର୍ଷ ଯୋଗୁଁ ପ୍ରାୟ ପ୍ରତିବର୍ଷ ମରୁଡିର ପ୍ରଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି।
Comments are closed.