ଭୁବନେଶ୍ବର: ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଶେଷଜ୍ଞ ଏବଂ ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥା ଆକଳନ କରିଥିବା ବେଳେ ଭାରତ ପାଣିପାଗ ବିଭାଗ ସ୍ପଷ୍ଟ କରି ନଥିଲା। ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବା ରବିବାର ପାଣିପାଗ ବିଭାଗ ସ୍ପଷ୍ଟ କରିଛି; କିନ୍ତୁ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ଗତିପଥ, ତୀବ୍ରତା ଏବଂ ସ୍ଥଳଭାଗ ଅତିକ୍ରମ କରିବା ସମ୍ବନ୍ଧରେ କିଛି ସ୍ପଷ୍ଟ କରିନାହିଁ।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଦୁଇଟି ସିଷ୍ଟମ ଯୋଗୁଁ ମଡେଲ ଗୁଡ଼ିକର ଆକଳନରେ କୌଣସି ସ୍ପଷ୍ଟତା ଆସୁନାହିଁ। କାରଣ ଯେଉଁ ସିଷ୍ଟମ ଅଧିକ ଘନୀଭୂତ ହେବ ଓ କେଉଁଟି ଦୁର୍ବଳ ହେବ ତାକୁ ନେଇ ମଡେଲ ଗୁଡ଼ିକର ଆକଳନ ଦ୍ବନ୍ଦ୍ବରେ ପକାଉଛି। ୟୁଏଇ ସମ୍ଭାବ୍ୟ ବାତ୍ୟାର ନାମ ‘ସେନ୍ୟାର’ କରିଛି। ସେନ୍ୟାର ଅର୍ଥ ସିଂହ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ମାଲାକ୍କା ପ୍ରଣାଳୀ ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ସମୁଦ୍ର ପତ୍ତନରୁ ୭.୬କି.ମି. ପର୍ଯ୍ୟନ୍ତ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ। ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡ଼କୁ ଆହୁରି ଅଗ୍ରସର ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି।
ଅନ୍ୟପଟେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୨୫ ତାରିଖ ସୁଦ୍ଧା କ୍ୟାମରିନ ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।
୨୫ କିମ୍ବା ୨୬ ତାରିଖ ସୁଦ୍ଧା ବାତ୍ୟା ସୃଷ୍ଟି ହେବାପରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ୨୫ ତାରିଖ ସନ୍ଧ୍ୟାରୁ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କି.ମି., ସର୍ବାଧିକ ୭୦ କି.ମି. ରହିବ। ୨୬ ତାରିଖ ସକାଳୁ ପବନର ବେଗ ବଢ଼ି ଘଣ୍ଟାପ୍ରତି ୬୦ରୁ ୭୦ କି.ମି. ସର୍ବାଧିକ ୮୦ କି.ମି. ହେବ। ସେହିପରି ୨୭ ତାରିଖ ସକାଳୁ ଘଣ୍ଟାପ୍ରତି ୮୦ରୁ ୯୦ କି.ମି. ସର୍ବାଧିକ ୧୦୦କି.ମି. ପର୍ଯ୍ୟନ୍ତ ପବନ ବହିପାରେ।
ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଦୁଇଟି ଲଘୁଚାପ ସୃଷ୍ଟି ଯୋଗୁଁ କେଉଁଟି ବାତ୍ୟା ରୂପ ନେବ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇପାରୁ ନାହିଁ। ଆସନ୍ତା ୨୭ ତାରିଖ ବେଳକୁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଆକଳନ କରାଯାଇପାରିବ। ଡିସେମ୍ବର ପହିଲା ହୋଇଗଲେ ବାତ୍ୟା ଉପକୂଳ ଛୁଇଁବା ସମ୍ଭାବନା କମ୍। ସମୁଦ୍ର ଭିତରେ ଦୁର୍ବଳ ହୋଇଯିବ। ଅନ୍ୟତମ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୬ କିମ୍ବା ୨୭ତାରିଖ ବେଳକୁ ବାତ୍ୟା ସୃଷ୍ଟି ହେବା ନିଶ୍ଚିତ; କିନ୍ତୁ ଗତିପଥ ଏବଂ ତୀବ୍ରତା ନେଇ ବର୍ତ୍ତମାନ ସ୍ପଷ୍ଟ ଆକଳନ କରାଯାଇପାରୁନି। ହେଲେ, ଆସନ୍ତା ୨୭ ବେଳକୁ ଉତ୍ତର ଭାରତରୁ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟକୁ ପ୍ରବାହ କରିବ। ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ ଏବଂ ଶୀତ ପଡ଼ିବ। ଯଦି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଲା, ତେବେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ମୁହଁାଇବାକୁ ପାଣିପାଗ ଅନୁକୂଳ ରହିବ ନାହିଁ। ୨୭ ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ।
ଅନ୍ୟତମ ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁ କହିଛନ୍ତି, ଯୋଡ଼ା ଲଘୁଚାପ ଯୋଗୁଁ ଏବେ ବି ମଡେଲ ଗୁଡ଼ିକ ମଧ୍ୟରେ କେଉଁ ଲଘୁଚାପ ଘନୀଭୂତ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଜିଏସ୍ଏଫ ଓ ଇସିଏମଡବ୍ଲ୍ୟୁଏଫ ମଡେଲ ଆକଳନ ଭିନ୍ନ ରହୁଛି। ଜିଏସ୍ଏଫ ମଡେଲ ଆକଳନ କହୁଛି, ମାଲାକ୍କା ପ୍ରଣାଳୀ ଲଘୁଚାପ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବ। ଅନ୍ୟପଟେ ଇସିଏମଡବ୍ଲ୍ୟୁଏଫ ମଡେଲ ଆକଳନ କରିଛି ଯେ, ମାଲାକ୍କା ପ୍ରଣାଳୀ ଲଘୁଚାପ ଅବପାତ ପର୍ଯ୍ୟନ୍ତ ଯିବ। ପରବର୍ତ୍ତୀ ସମୟରେ ଏହା ଦୁର୍ବଳ ହୋଇଯିବ। କ୍ୟାମରିନ ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଶ୍ରୀଲଙ୍କା ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ଯଦି ଜିଏସଏଫ ଆକଳନ ଅନୁସାରେ ମାଲାକ୍କା ପ୍ରଣାଳୀ ଅବପାତ ରୂପରେ କ୍ୟାମରିନ ଅଞ୍ଚଳ ଲଘୁଚାପ ସହିତ ମିଶ୍ରଣ ହୁଏ, ତେବେ ଅତି ଭୀଷଣ ବାତ୍ୟା ରୂପ ନେଇ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶରୁ ମିଆଁମାର ମଧ୍ୟରେ କୌଣସି ସ୍ଥାନରେ ଉପକୂଳ ଅତିକ୍ରମ କରିପାରେ।
ସେହିପରି ଯଦି ଇସିଏମଡବ୍ଲ୍ୟୁଏଫ ମଡେଲ ଆକଳନ ଅନୁଯାୟୀ, କୋମରିନ ଅଞ୍ଚଳ ଲଘୁଚାପ ବାତ୍ୟା ରୂପ ଧାରଣ କଲେ ତାମିଲନାଡୁ-ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହା ଗୋଟିଏ ସାଧାରଣ ବାତ୍ୟାରେ ଉପକୂଳ ଆଡ଼କୁ ମୁହଁାଇବ। ସୋମବାର ମାଲାକ୍କା ପ୍ରଣାଳୀ ଅବପାତ ରୂପ ନେବାକୁ ଥିବାବେଳେ ଶ୍ରୀଲଙ୍କା ଅଞ୍ଚଳ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇପାରେ। ଲଘୁଚାପ ଓ ଅବପାତ ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟା ଉପରେ ଆକଳନ କରାଯାଇପାରିବ।



