ଭଦ୍ରକର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭଦ୍ରକ ଜିଲା ଚାନ୍ଦବାଲି ମାଧପୁର ଗ୍ରାମର ୧୪ ବର୍ଷର ବାଳକ ବାବୁଲି ବାରିକ ସ୍ନାୟୁଗତ ଜଟିଳରୋଗରେ ପୀଡ଼ିତ ଅଛନ୍ତି । ଗରିବ ପରିବାରର ବାବୁଲି ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ଗଣମାଧ୍ୟମରୁ ଅବଗତ ହେବା ପରେ ଜିଲା ପ୍ରଶାସନକୁ ବାବୁଲିଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତାଙ୍କ ପରିବାରକୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏକ ଡାକ୍ତରୀ ଦଳ ବାବୁଲିଙ୍କ ଗ୍ରାମରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କ କଟକ ଏସ୍‌ସିବି ମେଡିକାଲକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲା ପ୍ରଶାସନ ବାବୁଲିଙ୍କ ପରିବାରକୁ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବାକୁ ଯୋଗାଯୋଗରେ ଅଛନ୍ତି।

Comments are closed.