www.samajalive.in
Monday, December 15, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କୁ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ୫ବର୍ଷ ଅବଧିର ରିପୋର୍ଟ ପ୍ରଦାନ କଲେ ପଞ୍ଚଦଶ ଅର୍ଥ ଆୟୋଗ

ନୂଆଦିଲ୍ଲୀ : ପଞ୍ଚଦଶ ଅର୍ଥ ଆୟୋଗଙ୍କ ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ୫ବର୍ଷ ଅବଧିର ରିପୋର୍ଟ ପ୍ରଦାନ କରାଯାଇଛି । ଆୟୋଗର ଅଧ୍ୟକ୍ଷ  ଏନ୍‌.କେ. ସିଂହ, ଏହାର ସଦସ୍ୟ  ଅଜୟ ନାରାଣୟ ଝା, ପ୍ରଫେସର ଅନୁପ ସିଂହ, ଡ. ଅଶୋକ ଲାହିଡି, ଡ. ରମେଶ ଚାନ୍ଦ ତଥା ଆୟୋଗର ସଚିବ  ଅରବିନ୍ଦ ମେହେତାଙ୍କ ଗହଣରେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

ସର୍ତ୍ତାବଳୀ ଅନୁସାରେ ପଞ୍ଚଦଶ ଅର୍ଥ ଆୟୋଗ ୨୦୨୧-୨୨ରୁ ୨୦୨୫-୨୬ ଏହି ୫ ବର୍ଷ ପର୍ୟ୍ୟନ୍ତ ନାନାବିଧ ଆର୍ଥିକ ସୁପାରିସ କରିବାକୁ କ୍ଷମତାପ୍ରାପ୍ତ ହୋଇଥିଲେ । ସର୍ତ୍ତ ଅନୁସାରେ ୨୦୨୦ ଅକ୍ଟୋବର ୩୦ ତାରିଖ ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବାର ଥିଲା । ଗତବର୍ଷ ଆୟୋଗ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ତାଙ୍କ ସୁପାରିସ ସରକାରଙ୍କୁ ପ୍ରଦାନ କରିଥିଲେ । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହିତ ୨୦୨୦ ଜାନୁୟାରୀ ୩୦ ତାରିଖରେ ସଂସଦରେ ଉପସ୍ଥାପନ କରିଥିଲେ । ସର୍ତ୍ତାବଳୀ ଅନୁସାରେ ବିଭିନ୍ନ ତଥା ଅଦ୍ୱିତୀୟ ପ୍ରସଙ୍ଗରେ ନିଜର ସୁପାରିସ ସରକାରଙ୍କୁ ଦେବା ପାଇଁ ଆୟୋଗ ଅଧିକୃତ ହୋଇଥିଲେ । ଟିକସ ବଣ୍ଟନ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁପାରିସ କରିବା ପାଇଁ ଆୟୋଗଙ୍କୁ କୁହାଯାଇଥିଲା । ଉପରୁ ତଳକୁ ଏବଂ କେନ୍ଦ୍ରରୁ ସମାନ୍ତରାଳଭାବେ ଟିକସ ବଣ୍ଟନ ବ୍ୟବସ୍ଥା କରିବା, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଅନୁଦାନ ପ୍ରଦାନ, ବିପତ୍ତି ପରିଚାଳନା ପାଇଁ ଅଧିକ ଅନୁଦାନ ଯୋଗାଣ ଆଦି କ୍ଷେତ୍ରରେ ଉପଯୁକ୍ତ ମାର୍ଗରେ ଅର୍ଥ ଯୋଗାଇ ଦେବା ସହିତ ଆଉ କେତେକ ବିଷୟକୁ ମଧ୍ୟ ସର୍ତ୍ତାବଳୀରେ ଗୁରୁତ୍ୱ ଦିଆଯାଇଥିଲା ।

- Advertisement -

ସେହିଭଳି ଯେଉଁସବୁ ରାଜ୍ୟ ଉର୍ଜ୍ଜା କ୍ଷେତ୍ରର ପରିଚାଳନା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର କାର୍ୟ୍ୟକାରିତା, କଠିନ ବର୍ଜ୍ୟ ପରିଚାଳନା ଭଳି କ୍ଷେତ୍ରରେ ଉତ୍ତମ କାର୍ୟ୍ୟ କରୁଛନ୍ତି ସେମାନଙ୍କୁ ଟିକସ ବଣ୍ଟନ କ୍ଷେତ୍ରରେ ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ ଦିଆଯିବାର ଔଚିତ୍ୟ ଆଦି ସଂପର୍କରେ ପରୀକ୍ଷା ନିରୀକ୍ଷା କରି ସୁପାରିସ କରିବାକୁ ମଧ୍ୟ କୁହାଯାଇଥିଲା । ଏହାଛଡା ଦେଶର ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପାଇଁ ଅର୍ଥ ଯୋଗାଇ ଦେବା ନିମନ୍ତେ ଏକ ସ୍ୱତନ୍ତ୍ର ଅର୍ଥ ଯୋଗାଣ ବ୍ୟବସ୍ଥା (ଫଣ୍ଡିଂ ମେକାନିଜମ) କରାଯିବା ଉଚିତ କି ନୁହେଁ ତାହା ମଧ୍ୟ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆୟୋଗକୁ ସରକାର କହିଥିଲେ । ଆହୁରି ମଧ୍ୟ ଏଥିରେ କୁହାଯାଇଥିଲା ଯେ ଯଦି ଏଭଳି ଏକ ଫଣ୍ଡିଂ ବ୍ୟବସ୍ଥା କରାଯିବା ଉଚିତ, ତେବେ ତାହା କିପରି କାର୍ୟ୍ୟକାରୀ ହେବ ତାହାର ଉପାୟ ମଧ୍ୟ ଦର୍ଶାଇବାକୁ ଏଥିରେ କୁହାଯାଇଥିଲା । ଯେଉଁ ସର୍ତ୍ତାବଳୀ ସବୁ ଆୟୋଗ ଆଗରେ ଥିଲା ସେ ସମସ୍ତ ବିଷୟରେ ଏହି ରିପୋର୍ଟରେ ସରକାରଙ୍କୁ ଆୟୋଗ ସୁପାରିସ କରିଛନ୍ତି ।

ସମଗ୍ର ରିପୋର୍ଟଟି ୪ ଭାଗରେ ବିଭକ୍ତ । ପୁରୁଣା ବ୍ୟବସ୍ଥା ଭଳି ଏହାର ପ୍ରଥମ ଓ ଦ୍ୱିତୀୟ ଖଣ୍ଡରେ ମୁଖ୍ୟ ରିପୋର୍ଟ ସହିତ ପରିଶିଷ୍ଟ ଯୋଡାଯାଇଛି । ତୃତୀୟ ଖଣ୍ଡରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଷୟ ସଂପର୍କରେ ସୁପାରିସ ସ୍ଥାନ ପାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ୟ୍ୟକୁ ଏଥିରେ ସବିଶେଷ ଆଲୋଚନା କରାଯାଇଛି । ଏହିସବୁ ବିଭାଗର ମଧ୍ୟମ ମିଆଦି ଆହ୍ୱାନ ଓ ସମସ୍ୟାବଳୀ ଏବଂ ସେସବୁର ସମାଧାନ ସୂତ୍ର ଏହି ଖଣ୍ଡରେ ଉଲ୍ଲେଖ ଅଛି । ରିପୋର୍ଟର ଚତୁର୍ଥ ଖଣ୍ଡଟି ଦେଶର ସମସ୍ତ ରାଜ୍ୟଗୁଡିକ ପାଇଁ ଉଦ୍ଦିଷ୍ଟ ରହିଛି । ଏଥିରେ ଆୟୋଗ ସବୁ ପ୍ରଦେଶର ଆର୍ଥିକ ସ୍ଥିତି ଓ ଅର୍ଥ ବ୍ୟାପାରକୁ ଗଭୀରତାର ସହ ଅନୁଧ୍ୟାନ କରିଛନ୍ତି । ସଂପୃକ୍ତ ରାଜ୍ୟର ପ୍ରମୁଖ ସମସ୍ୟାବଳୀ ଏବଂ ଏହାର ସମାଧାନ ସୂତ୍ର ଆଦି ବିଷୟରେ ଏଥିରେ ରାଜ୍ୟୱାରୀ ନିର୍ଦ୍ଦିଷ୍ଟଭାବେ ସୁପାରିସ କରାଯାଇଛି ।

କେନ୍ଦ୍ର ସରକାର ଏହି ରିପୋର୍ଟ ସହିତ ଏହାର ବ୍ୟାଖ୍ୟାତ୍ମକ ବିବରଣୀ ଏବଂ ଆୟୋଗଙ୍କ ସୁପାରିସ ଉପରେ କାର୍ୟ୍ୟାନୁଷ୍ଠାନ ରିପୋର୍ଟ ସହିତ ସମସ୍ତ ଦସ୍ତାବିଜକୁ ସଂସଦରେ ଉପସ୍ଥାପନ କରିବା ପରେ ଏହା ସର୍ବସାଧାରଣରେ ଉପଲବ୍ଧ ହେବ । ପଞ୍ଚଦଶ ଅର୍ଥ ଆୟୋଗଙ୍କ ରିପୋର୍ଟର ପ୍ରଚ୍ଛଦ ପୃଷ୍ଠାଟି ବେଶ ଅନୁପମ ହୋଇଛି । ଏହାର ନାମ ରଖାଯାଇଛି ‘ଫାଇନାନ୍ସ କମିଶନ ଇନ୍‌ କୋଭିଡ୍‌ ଟାଇମ୍ସ’ ବା କରୋନା ସମୟରେ ଅର୍ଥ ଆୟୋଗ । ଏହାଛଡା ପ୍ରଚ୍ଛଦ ପୃଷ୍ଠାର ସର୍ବାଗେ ଅଶୋକ ସ୍ତମ୍ଭ ଏବଂ ମଧ୍ୟଭାଗରେ ଏକ ନିକିତିର ଚିହ୍ନ ରହିଛି । ଏହି ନିକିତିର ଚିହ୍ନ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଆର୍ଥିକ ଭାରସାମ୍ୟ ରକ୍ଷାର ସୂଚନା ବହନ କରୁଛି ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories