ଠାକୁରମୁଣ୍ଡା: ଆକ୍ସନ ମୋଡରେ ପୁଲିସ, ଗତ ଦୁଇଦିନରେ ୩ଟି ପିକଅପ ଭ୍ୟାନ ଜବତ, ୪୦ ଗୋରୁ ଉଦ୍ଧାର, ଜଣେ ଡ୍ରାଇଭର ଅଟକ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ହୋଇ ଯାଉଥିବା ୨ଟି ପିକଅପ ଭ୍ୟାନକୁ ଜବତ କରିଥିଲା। ପୁଣି ମହୁଲଡିହା ଥାନା ପୁଲିସ ଗୋଟିଏ ଭ୍ୟାନ ଜବତ କରିବା ସହିତ ୨୦ ବଳଦ ଉଦ୍ଧାର କରିଛି। ତିନିଟି ଗାଡ଼ିରୁ ମୋଟ ୪୦ଟି ଗୋରୁକୁ ଉଦ୍ଧାର କରିଥିବା ବେଳେ ସେଥିରୁ ଗୋଟିଏ ମୃତ ଗୋରୁକୁ ଉଦ୍ଧାର କରିଥିବାର ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ଥାନା ଅଧିକରିଣୀ ସାବିତ୍ରୀ ଦଳେଇ ଓ ଅନ୍ୟ କର୍ମଚାରୀମାନେ ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିଲେ। ପେଟ୍ରୋଲିଂ ସମୟରେ ଠାକୁରମୁଣ୍ଡା – କରଞ୍ଜିଆ ରାସ୍ତାର କେନ୍ଦୁଜିଆଣି ନିକଟରେ ଠାକୁରମୁଣ୍ଡା ପଟୁ ଆସୁଥିବା ଦୁଇଟି ପିକଅପ ଭ୍ୟାନକୁ ଅଟକାଇଥିଲେ। ସେଥିରେ ଗୋଟିଏ ଭ୍ୟାନରେ ୧୧ଟି ଓ ଅନ୍ୟଟିରେ ୯ଟି ଗୋରୁ ଥିବାର ଦେଖି ଭ୍ୟାନ ଦୁଇଟିକୁ ଜବତ କରି ଥାନାକୁ ଆଣିଥିଲେ। କିନ୍ତୁ ଗୋଟିଏ ଭ୍ୟାନରେ ବୋଝେଇ ଯାଉଥିବା ୯ଟି ଗୋରୁ ମଧ୍ୟରୁ ୧ଗୋରୁ ମୃତ ଥିବାର ଜଣା ପଡିଥିଲା। ଘଟଣାସ୍ଥଳରେ ପୁଲିସକୁ ଦେଖି ଗୋଟିଏ ଭ୍ୟାନର ଡ୍ରାଇଭର ଖସି ପଳାଇ ଯାଇଥିବା ବେଳେ ଆଉ ଜଣକୁ ଧରିବାରେ ସଫଳ ହୋଇଥିଲା।
ସେହିପରି ମହୁଲଡିହା ଥାନା ପୁଲିସ ଏଏସଆଇ ବିଜୟ ସାନ୍ତରାଙ୍କ ନେତୃତ୍ବରେ ପେଟ୍ରୋଲିଂ କରିଥିବା ବେଳେ ଗୋଟିଏ ଚୋରା ଗୋ ଚାଲାଣ ଗାଡି ସହିତ ୨୦ ବଳଦ ଜବତ କରିଛି। ଏଇ ଅଞ୍ଚଳ ଦେଇ ପ୍ରତେକ ଦିନ ଚୋରା ବଳଦ ଓ ମଇଁଷି ଚାଲାଣ କରାଯାଉଥିବା ବେଳେ ଏକ ମାସ ମଧ୍ୟରେ ୧୫ରୁ ଉର୍ଦ୍ଧ୍ବ ଗାଡି ଜବତ କରିବା ସହିତ ୧୦୦ରୁ ଉର୍ଦ୍ଧ୍ବ ଗାଈ ଏବଂ ମଇଁଷି ଜବତ କରିବାରେ ସଫଳ ହୋଇଛି ପୁଲିସ।



