ସମାଜ ଡିଜିଟାଲ ଡେସ୍କ: ସୀମା ବିବାଦକୁ ନେଇ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି। ଥାଇଲାଣ୍ଡ ପକ୍ଷରୁ ଏଫ-୧୬ ଯୁଦ୍ଧ ବିମାନ ସହାୟତାରେ କାମ୍ବୋଡିଆର ସାମରିକ ଘାଟିଗୁଡ଼ିକ ଉପରେ ଏୟାରଷ୍ଟ୍ରାଇକ କରାଯାଇଛି। ଆକାଶ ମାର୍ଗରୁ ବୋମା ବର୍ଷଣ କରାଯାଇଛି। କାମ୍ବୋଡିଆ ସେନା ପକ୍ଷରୁ ବି ପାଲଟା ଜବାବ ଦିଆଯାଉଛି। ଏହି ଉତ୍ତେଜନାରେ ଅନେକ ସାଧାରଣ ନାଗରିକ ଏବଂ କିଛି ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି।
ଗୁରୁବାର ଦୁଇ ଦେଶ ପକ୍ଷରୁ ସୀମାନ୍ତରେ ପରସ୍ପରର ଶିବିର ଉପରେ ଆକ୍ରମଣ କରାଯାଇଥିଲା। କାମ୍ବୋଡିଆ ଆକ୍ରମଣରେ ଥାଇଲାଣ୍ଡର ୯ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି। ଥାଇଲାଣ୍ଡ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ସୁରାସାନ୍ତ କୋଙ୍ଗସିରି କହିଛନ୍ତି, ଦୁଇ ଦେଶର ସୀମାନ୍ତବର୍ତ୍ତୀ ୬ଟି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପ୍ରାଚୀନ ତା ମୁଏନ ଯମ ମନ୍ଦିର ନିକଟରେ ଗୁରୁବାର ପ୍ରଥମେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏହା ପରେ ଅନ୍ୟ ସ୍ଥାନଗୁଡ଼ିକରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। କାମ୍ବୋଡିଆ ସେନାର ଗୁଳିମାଡ଼ରେ ଥାଇଲାଣ୍ଡର ୯ ନାଗରିକ ପ୍ରାଣ ହରାଇଥିଲେ। ଏହାର ଜବାବ ଦେବାକୁ ଯାଇ ଥାଇଲାଣ୍ଡ ସେନା ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଥିଲା।



