ଗୁମ୍ଫାରେ ଫସିଥିବା ୮ ଫୁଟ୍‍ବଲ ଖେଳାଳି ଉଦ୍ଧାର

0

ବ୍ୟାଂକକ୍‍ : ଥାଇଲାଣ୍ଡର ଏକ ଗୁମ୍ଫା ମଧ୍ୟରେ ଫସିଥିବା ୧୨ଜଣ ଫୁଟ୍‍ବଲ ଖେଳାଳି ଓ ସେମାନଙ୍କର ଜଣେ ପ୍ରଶିକ୍ଷକଙ୍କ ମଧ୍ୟରୁ ୮ଜଣଙ୍କୁ ଉଦ୍ଧାର କରାଯାଇଛି। ରବିବାର ୪ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ସୋମବାର ଆଉ ୪ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ଉଦ୍ଧାର ହୋଇଥିବା ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ତେବେ ପିଲାମାନଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଏପରିକି ଉଦ୍ଧାର ହୋଇଥିବା ପିଲାମାନଙ୍କ ନିକଟକୁ ଯିବା ଲାଗି ସେମାନଙ୍କ ପିତାମାତାଙ୍କୁ ଅନୁମତି ଦିଆଯାଇ ନାହିଁ। ଉଦ୍ଧାରକାରୀ ଦଳର ମୁଖ୍ୟ ନାରୋଙ୍ଗସାକ୍‍ ସୋଟ୍ଟାନାକୋର୍ଣ୍ଣଙ୍କ କହିବା ଅନୁଯାୟୀ ପିଲାମାନଙ୍କୁ ସଂକ୍ରମଣ ହେବା ଆଶଙ୍କାରେ ସେମାନଙ୍କ ନିକଟକୁ କାହାକୁ ଯିବା ଲାଗି ଅନୁମତି ଦିଆଯାଇ ନାହିଁ। ତେବେ ଅମ୍ଳଜାନ ଅଭାବରୁ ପିଲାମାନେ ଦୁର୍ବଳ ହୋଇପଡିଥିବା ଡାକ୍ତରଖାନା ଅଧିକାରୀ କହିଛନ୍ତି।ପିଲାମାନଙ୍କୁ କିଏ ଓ କିପରି ଉଦ୍ଧାର କରିଛି ସେ ବାବଦରେ ସାମ୍ବାଦିକ ସମ୍ମିଳନୀରେ କୁହାଯିବ ବୋଲି ସୋଟ୍ଟାନାକୋର୍ଣ୍ଣ କହିଛନ୍ତି। ପ୍ରଶିକ୍ଷକ ଓ ଅନ୍ୟ ୪ ପିଲାମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଜାରି ରହିଛି। ସମସ୍ତ ପିଲା ଯଦି ଉଦ୍ଧାର ହୋଇ ଖୁବଶୀଘ୍ର ସୁସ୍ଥ ହୁଅନ୍ତି ତେବେ ସେମାନେ ମସ୍କୋରେ ହେବାକୁ ଥିବା ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏ ନେଇ ଫିଫା ପରିଚାଳନା ପରିଷଦ ଅଧ୍ୟକ୍ଷ ପିଲାମାନଙ୍କୁ ନିମନ୍ତ୍ରଣ କରିଛନ୍ତି।
ଥାଇଲାଣ୍ଡର ଚିଆଙ୍ଗ ରାଇ ପ୍ରଦେଶର ଥାମ ଲୁଆଙ୍ଗ ଗୁମ୍ଫା ଭିତରେ ପିଲାମାନେ ୧୭ ଦିନ ଫସି ରହିଥିଲେ। ଜୁନ୍‍ ୨୩ ତାରିଖରେ ପିଲାମାନେ ପୁଟ୍‍ବଲ ଅଭ୍ୟାସ ପରେ କୌତୂହଳବଶତଃ ଗୁମ୍ଫା ଭିତରେ ପଶିଥିଲେ। ତେବେ ବର୍ଷା ଯୋଗୁଁ ଗୁମ୍ଫା ଭିତରେ ପାଣି ପଶିଯାଇଥିଲା। ଫଳରେ ପିଲାମାନେ ବାହାରକୁ ଆସିବା ଲାଗି ରାସ୍ତା ପାଇପାରି ନଥିଲେ। ପିଲାମାନଙ୍କ ବୟସ ୧୧ରୁ ୧୬ବର୍ଷ ହୋଇଥିବାବେଳେ ପ୍ରଶିକ୍ଷକଙ୍କ ବୟସ ୨୫ବର୍ଷ। ପିଲମାନେ ୱାଇଲ୍ଡ ବୋଅର୍ସ ଫୁଟବଲ ଦଳର ସଦସ୍ୟ। ଜୁନ୍‍ ୨୫ରେ ପିଲାମାନଙ୍କୁ ଖୋଜିବା ଲାଗି ଥାଇଲାଣ୍ଡ ନୌସେନାର ଯବାନମାନେ ଗୁମ୍ଫାରେ ପଶିଥିଲେ। ଜୁଲାଇ ୨ରେ ପିଲାମାନଙ୍କୁ ଠାବ କରାଯାଇଥିଲା ଓ ସେମାନେ ଜୀବିତ ଥିବା ଜଣାପଡିଥିଲା। ପିଲମାନଙ୍କୁ ପାଣିରେ ବୁଡିବା ସମୟରେ ମାସ୍କ ଓ ଅମ୍ଳଜାନ ବ୍ୟବହାର ବିଷୟରେ ଶିକ୍ଷା ଦିଆଯାଇଥିଲା। ଜୁଲାଇ ୮ରେ ପ୍ରଥମ ପର୍ଯ୍ୟାୟ ୪ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଜୁଲାଇ ୯ରେ ଆଉ ୪ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଥାଇଲାଣ୍ଡ ନୌସେନାର ୫ ଯବାନଙ୍କ ସହିତ ୧୩ଜଣ ବିଦେଶୀ ସାମିଲ ହୋଇଛନ୍ତି। ବିଦେଶୀ ଉଦ୍ଧାରକାରୀମାନେ ଆମେରିକା, ବ୍ରିଟେନ, ଜାପାନ, ଚୀନ, ଅଷ୍ଟ୍ରେଲିଆ, ଲାଓସ ଓ ମ୍ୟାଁମାରର ସଦସ୍ୟ। ଗୁମ୍ଫାର ଲମ୍ବ ୪ କିମି ହୋଇଥିବାବେଳେ ଏହାର ୧ କିମି ରାସ୍ତା ଅତ୍ୟନ୍ତ ଦୁର୍ଗମ। ଗୁମ୍ଫା ଭିତରକୁ ଥରେ ଯାଇ ଆସିବା ପାଇଁ ୧୧ଘଣ୍ଟା ଲାଗୁଛି। ଗୁମ୍ଫାର ଗୋଟିଏ ଗୋଟିଏ ସ୍ଥାନରେ ରାସ୍ତା ୩/୨ଫୁଟ ରହିଛି। ଗୁମ୍ଫା ଭିତରର ତାପମାତ୍ରା ୨୦ଡିଗ୍ରୀ ସେଲସିୟସ ରହିଛି। ଉଦ୍ଧାର ହେଉଥିବା ପିଲାମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବା ଲାଗି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହେଲିକପ୍ଟର ଓ ଆମ୍ବୁଲାନ୍ସ ମୁତୟନ କରାଯାଇଛି। ପ୍ରାଥମିକ ଚିକିତ୍ସା ପାଇଁ ଗୁମ୍ଫା ବାହାରେ ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି।

Leave A Reply