ଚକ୍ର ଓ କଳସ ଚୋରିକୁ ବିତିଲାଣି ୫୦ ଦିନ; ଖାଲି ପଡ଼ିଛି ମନ୍ଦିର ଚୂଡା

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ତଳି ଟାମ୍ପରସରା ଗ୍ରାମର ନବନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ଚୋରି ହୋଇଥିବା ଅଷ୍ଟଧାତୁର କଳସ ଓ ଚକ୍ର ଏଯାବତ ମିଳିପାରିନାହିଁ । ଗତ ଜାନୁଆରୀ ୧୮ ତାରିଖରୁ ୨୨ ତାରିଖ ଯାଏଁ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଥିଲା। ମନ୍ଦିରର ଦୁଇଟି ଚୂଡା ପାଇଁ ଦୁଇଟି କଳସ ଓ ଦୁଇଟି ଚକ୍ର କଣ୍ଟିଲୋରୁ ଅଣାଯାଇ ପୂଜା ମଣ୍ଡପରେ ରଖାଯାଇ ଦୈନିକ ବିଧିବିଧାନ କରାଯାଉଥିଲା। ଅନ୍ତିମ ଦିବସର ରାତି ପ୍ରାୟ ୩ ଘ. ସମୟରେ ଛୋଟ କଳସ ଓ ଚକ୍ର ପୂଜା ମଣ୍ତପରୁ ଚୋରି ହୋଇଯାଇଥିଲା। ଯାହାର ଓଜନ ୧୫ ଓ ୭ କେଜି ଥିବାବେଳେ ଆନୁମାନିକ ମୂଲ୍ୟ ୪୫୦୦୦ ଟଙ୍କା। ଯାହା ୨୨ ତାରିଖରେ ମନ୍ଦିରର ଦ୍ବିତୀୟ ଚୂଡାରେ ଲାଗିବାର ଥିଲା । ଅନ୍ୟ କଳସ ଚକ୍ର ପ୍ରାୟ ୮୫ କେଜି ଥିବାରୁ ତାକୁ ଚୋର ନେଇ ପାରିନଥିଲା । ମଣ୍ଡପରୁ ପ୍ରାୟ ୨୦୦ ମିଟର ଦୂରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିବା ବେଳେ ଏତେ ଜନଗହଳିପୂର୍ଣ୍ଣ ସ୍ଥାନରୁ କଳସ, ଚକ୍ର ଚୋରି ହେବାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କିଛି ସୁରାକ ନ ମିଳିବାରୁ ୨୬ ତାରିଖରେ ଗୋଡଭଗା ଫାଣ୍ଡିରେ କେସ ନଂ ୩୨ ତା ୨୬.୦୧.୨୦୨୪ ରେ ଏକ ମାମାଲା ରୁଜୁ ହୋଇଛି । ସନ୍ଦେହ ଘେରରେ କିଛି ଲୋକଙ୍କୁ ପୁଲିସ ପଚରାଉଚରା କରିଥିବା ସତ୍ତ୍ବେ କୌଣସି ସୁଫଳ ମିଳିପାରିନାହିଁ । ଧର୍ମ ପ୍ରତି ଆଘାତ ସହ ସଂପ୍ରତି ଦେବାଦେବୀଙ୍କ ଅଳଙ୍କାର ଚୋରି ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ହାତରେ ଚୋର ଧରା ପଡୁନାହିଁ । ଏଭଳି ଘଟଣା ଅତାବିରା ଅଞ୍ଚଳରେ ବାରମ୍ବାର ଦେଖିବାକୁ ମିଳୁଥିବାରୁ ଜନ ଅସନ୍ତୋଷ ଦେଖାଯାଉଛି । ଏବେବି ମନ୍ଦିରର ଚୂଡା ଖାଲି ରହିଛି। ଗ୍ରାମବାସୀଙ୍କ ଭରସା ପୁଲିସ ଉପରେ ରହିଛି। ତେବେ ଆଉ କେତେ ଦିନ ପରେ ପୁଲିସ ଚକ୍ର ଓ କଳସକୁ ଉଦ୍ଧାର କରିବାରେ ସଫଳ ହେଉଛି ଅପେକ୍ଷାରେ ଅଞ୍ଚଳବାସୀ ।

Comments are closed.