BJD Bijuli 480×75 Mob

୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

କରୋନା କଟକଣାରେ ଚାଲିବ ପାଠପଢ଼ା

BJD Bijuli 480×75 Mob

ଭୁବନେଶ୍ବର : ଆସନ୍ତା ୯ରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। କେବଳ ଶେଷ ବର୍ଷ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନ ଆସି ଶ୍ରେଣୀ ଗୃହରେ ପାଠ ପଢିବେ। ଅନ୍ୟ ବର୍ଷର ଛାତ୍ରଛାତ୍ରୀ ଏବେ ଶିକ୍ଷାନୁଷ୍ଠାନ ଆସିବେ ନାହିଁ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୯ରୁ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ପଲିଟେକ୍ନିକ୍‌ ଓ ଆଇଟିଆଇ ମହାବିଦ୍ୟାଳୟ ଖୋଲିବ। ଏନେଇ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) କୁଳପତି, ଆଇଜିଆଇଟି ସାରଙ୍ଗ ନିର୍ଦେଶକ, ସିଇଟି ଅଧ୍ୟକ୍ଷ, ପିଏମ୍‌ଇସି ବ୍ରହ୍ମପୁର, ଜିସିଇ କଳାହାଣ୍ଡି, ଜିସିଇ କେନ୍ଦୁଝର, ଆଇଏମ୍‌ଆଇଟି କଟକ, ସିଆଇଏମ୍‌ଇ ଭୁବନେଶ୍ବର, ସମସ୍ତ ସରକାରୀ ଇଞ୍ଜିନିୟରିଂ ବିଦ୍ୟାଳୟ, ପଲିଟେକନିକ୍ ଏବଂ ଆଇଟିଆଇ ଅଧ୍ୟକ୍ଷଙ୍କୁ ବିଭାଗ ଚିଠି ଲେଖି ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦେଶ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଛାତ୍ରଛାତ୍ରୀ ଆସିବାକୁ ଥିବାରୁ ଛାତ୍ରାବାସ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଆବଦ୍ଧାଞ୍ଚଳ ଘୋଷିତ ହୋଇଥିବା ଅଞ୍ଚଳରେ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ରହୁଥିଲେ ଶିକ୍ଷାନୁଷ୍ଠାନକୁ ନ ଆସିବାକୁ କୁହାଯାଇଛି। ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ତୁଣ୍ଡି ପିନ୍ଧିବା ଏବଂ ହାତ ବିଶୋଧନକୁ ବାଧ୍ୟତାମୂଳକ କରାଯାଇଛି।
ପ୍ରତିଦିନ ଶ୍ରେଣୀଗୃହ ବିଶୋଧନ କରାଯିବ। ଶ୍ରେଣୀଗୃହ, ପାଠାଗାର ଏବଂ ପରୀକ୍ଷାଗାରରେ ଛାତ୍ରଛାତ୍ରୀ ୬ ଫୁଟ ସାମାଜିକ ଦୂରତ୍ବ ରକ୍ଷା କରି ବସିବେ। ଏଥିପ୍ରତି କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ। ଅଧିକ ଛାତ୍ରଛାତ୍ରୀ ଥିଲେ ଅଲଗା ଅଲଗା କରି ଶିକ୍ଷାଦାନ କରାଯାଇ ପାରିବ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢାକୁ ରେକର୍ଡିଂ କରାଯାଇ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବର୍ଷ ପିଲାଙ୍କ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.