ଭୁବନେଶ୍ବର: କ୍ରୀଡ଼ାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ହକିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ରୀଡ଼ାରେ କିପରି ଓଡ଼ିଶାର ପିଲା ଭଲ କରିବେ, ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏହିକ୍ରମରେ ରାଜ୍ୟବ୍ୟାପୀ ବିଦ୍ୟାଳୟସ୍ତରରୁ ପ୍ରତିଭା ଚିହ୍ନଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।
ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ୨୦୨୪ ପାଇଁ ବିଦ୍ୟାଳୟ ପଞ୍ଜୀକରଣ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକଙ୍କୁ ଅବଗତ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୮ରୁ ୧୪ ବର୍ଷର (୨୦୧୦ ମେ’ ୧ରୁ ୨୦୧୬ ମେ’ ୧ ମଧ୍ୟରେ ଜନ୍ମିତ) ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ମୋଟ ୧୪ କ୍ରୀଡ଼ା ଯଥା-ଆଥଲେଟିକ୍ସ, ଆର୍ଚେରୀ, ବାସ୍କେଟବଲ, ସାଇକଲିଂ, ଫେନ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍, ହକି, ଜୁଡ଼ୋ, ଖୋ-ଖୋ, ସୁଇମିଂ, ଭଲିବଲ, ଭାରୋତ୍ତଳନ ଏବଂ କୁସ୍ତି ଆଦି ବିଦ୍ୟାଳୟସ୍ତରରେ ହେବ। ଗତ ୨୫ ତାରିଖରୁ ଏଥିପାଇଁ ବିଦ୍ୟାଳୟ ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣର ଶେଷ ତାରିଖ ଆସନ୍ତା ୩୧ ତାରିଖ ରହିଛି। ଏହି କାର୍ଯ୍ୟକ୍ରମରେ କିପରି ବିଦ୍ୟାଳୟଗୁଡ଼ିକ ଅଂଶଗ୍ରହଣ କରିବା ସହ ଶ୍ରେଷ୍ଠ ପ୍ରତିଭା ପଞ୍ଜୀକରଣ କରିବେ; ସେ ଦିଗରେ ପଦକ୍ଷେପ ନେବାକୁ ଓସେପାକୁ ଅନୁରୋଧ କରାଯାଇଛି।



