ଭୁବନେଶ୍ୱର: କରୋନା ସଂକ୍ରମଣ ଯୋଗୁଁ ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍ର ବ୍ୟବସ୍ଥା କରାଯାଇଛି। ଅଗଷ୍ଟ ୧ ତାରିଖ ଦିନ ଦର୍ଶକମାନେ ଫେସ୍ବୁକ୍ ଓ ଟୁଇଟର୍ ପେଜ୍ @stscdev, @scstrti ଖୋଲି ଗୋଣ୍ଡ ଜନଜାତିଙ୍କ ଘର ସଂପର୍କରେ ଜାଣିପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି। ଓଡ଼ିଶାର ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଗୋଣ୍ଡ ଜନଜାତି ବସବାସ କରିଥାନ୍ତି। ଗୋଣ୍ଡ ଜନଜାତି ଗୋଟିଏ କୋଠରିବିଶିଷ୍ଟ ଘରେ ରୁହନ୍ତି। ଘରର ତିନିପଟେ ବାରଣ୍ଡା ରହିଥାଏ। ଘରର କାନ୍ଥଗୁଡ଼ିକୁ ପାରମ୍ପରିକ ଗୋଣ୍ଡ ଚିତ୍ରକଳାରେ ସୁନ୍ଦର ଭାବେ ରଙ୍ଗ ସାହାଯ୍ୟରେ ଅଙ୍କନ କରାଯାଇଥାଏ। ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ପ୍ରାଣୀମାନଙ୍କୁ ପ୍ରତୀକ ସ୍ୱରୂପ ନିଆଯାଇ କାନ୍ଥରେ ଚିତ୍ର ଅଙ୍କନ କରାଯାଏ। ଘରର ଗୋଟିଏ ପାଖରେ ଚୁଲି ସ୍ଥାନିତ କରାଯାଇଥିବାବେଳେ ଅନ୍ୟ ପଟରେ ମାଛମରା ଉପକରଣ ରଖାଯାଇଥାଏ। ଘରର ମୁଖ୍ୟ ସ୍ଥାନରେ ଖାଦ୍ୟଶସ୍ୟ ରଖିବା ନିମନ୍ତେ କାଠତିଆରି ମଞ୍ଚ ମଧ୍ୟ କରାଯାଇଥାଏ ।
ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ ଟୁର, ଦେଖିପାରିବେ ଗୋଣ୍ଡ ଜନଜାତିଙ୍କ ଘର
Popular Categories



