ଭାରତ ସିରିଜ୍‍ ବିଜୟୀ

0

ବ୍ରିଷ୍ଟଲ : ଚଳିତ ଇଂଲଣ୍ଡ ଗସ୍ତରେ ପ୍ରଥମ ସିରିଜ୍‍ ଜିତିନେଇଛି ଭାରତ। ରୋହିତ ଶର୍ମାଙ୍କ ଅପରାଜିତ ଶତକ ବଳରେ ରବିବାର ୩ୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ଇଂଲଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‍ର ଟ୍ୱେଣ୍ଟି୨୦ ସିରିଜ୍‍କୁ ଭାରତ ୨-୧ରେ ଜିତିନେଇଛି। ଜେସନ୍‍ ରୟଙ୍କ ବିସ୍ଫୋରକ ୬୭ ରନ୍‍ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୯ ୱିକେଟରେ ୧୯୮ ରନ୍‍ କରିଥିଲା। ପରେ ରୋହିତଙ୍କ ଅପରାଜିତ ୧୦୦ ରନ୍‍ ବଳରେ ୧୮.୪ ଓଭରରେ ୩ ୱିକେଟ ହରାଇ ଭାରତ ଜିତିଥିଲା। ୧୨ରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳାଯିବ।
ଭାରତ ସମ୍ମୁଖରେ ୧୯୯ ରନ୍‍ର ବିଶାଳ ବିଜୟଲକ୍ଷ୍ୟ ଥିବା ବେଳେ ଭାରତୀୟ ବ୍ୟାଟ୍‍ସମ୍ୟାନ୍‍ ମଧ୍ୟ ମୂଳରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ସାହସିକ ପ୍ରୟାସ ଯୋଗୁଁ ଭାରତ ୬ ଓଭରର ପାୱରପ୍ଲେ ଶେଷରେ ୭୦ ରନ୍‍ କରିଥିଲେ ହେଁ ୨ଟି ୱିକେଟ ପଡ଼ି ଯାଇଥିଲା। ଶିଖର ଧାୱନ ୫ ଓ କେ.ଏଲ୍‍. ରାହୁଲ ୧୦ ବଲ୍‍ରୁ ୨ଟି ଛକା ସହ ଦ୍ରୁତ ୧୯ ରନ୍‍କରି ଆଉଟ ହୋଇଥିଲେ। ଦର୍ଶନୀୟ କ୍ୟାଚ୍‍ ଯୋଗୁଁ ଉଭୟ ୱିକେଟ ଇଂଲଣ୍ଡକୁ ମିଳିଥିଲା। ତେବେ ୩ୟ ୱିକେଟ ପାଇଁ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂକରି ସ୍କୋର୍‍କୁ ବଢ଼ାଇ ଚାଲିଥିଲେ ଏବଂ ଆବଶ୍ୟକ ରନ୍‍ହାରଠାରୁ ଅଧିକ ଗତିରେ ସ୍କୋର୍‍ କରିଥିଲେ। ୧୪ ଓଭରରେ ଭାରତ ୨ ୱିକେଟରେ ୧୪୮ ରନ୍‍ କରିଥିବା ବେଳେ ଶେଷ ୬ ଓଭରରୁ ଭାରତ ଆଉ ୫୧ ରନ୍‍ ଆବଶ୍ୟକ କରୁଥିଲା। ପୁଣି ଏକ ଦର୍ଶନୀୟ କ୍ୟାଚ୍‍ରେ ଭାରତର ୩ୟ ୱିକେଟ ପଡ଼ିଥିଲା। ଅଧିନାୟକ କୋହଲି ୨୯ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୩ ରନ୍‍କରି ଆଉଟ୍‍ ହୋଇଥିଲେ। ରୋହିତ-କୋହଲି ୩ୟ ୱିକେଟ ପାଇଁ ୫୭ ବଲ୍‍ରୁ ୮୯ରନ୍‍ ଯୋଗ କରିଥିଲେ। ପରେ ହାର୍ଦିକ ପାଣ୍ଡ୍ୟା ଆସି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ରୋହିତଙ୍କ ସହ ଦଳକୁ ବିଜୟୀ କରାଇଥିଲେ। ୩ୟ ଟି୨୦ ଶତକ ହାସଲ କରିଥିବା ରୋହିତ ୫୬ ବଲ୍‍ରୁ ୫ଟି ଛକା ଓ ୧୧ଟି ଚୌକା ସହ ୧୦୦ ରନ୍‍କରି ଅପରାଜିତ ଥିଲେ। ହାର୍ଦିକ ପାଣ୍ଡ୍ୟା ୧୪ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୩୩ ରନ୍‍କରି ଅପରାଜିତ ଥିଲେ। ରୋହିତ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ଓ ପ୍ଲେୟର ଅଫ୍‍ ଦି ସିରିଜ୍‍ ହୋଇଥିଲେ।
ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଇଂଲଣ୍ଡର ପ୍ରାୟ ସମସ୍ତ ବ୍ୟାଟ୍‍ସମ୍ୟାନ୍‍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ତେବେ ଭାରତୀୟ ବୋଲର ଶେଷ ୭ ଓଭରରେ ୭ଟି ୱିକେଟ ନେବାରୁ ଇଂଲଣ୍ଡ ୨୦ରୁ ୨୫ ରନ୍‍ କମ୍‍ କରି ପାରିଥିଲା। ଇଂଲଣ୍ଡ ତା’ର ୬ ଓଭରର ପାୱରପ୍ଲେରେ ବିସ୍ଫୋରକ ବ୍ୟାଟିଂକରି ୭୩ ରନ୍‍କରି ବିଶାଳ ସ୍କୋର୍‍ର ମୂଳଦୁଆ ପକାଇଥିଲା। ଜୋସ୍‍ ବଟ୍‍ଲର ଓ ଜେସନ୍‍ ରୟଙ୍କ ଭାଗିଦାରୀ ୮ମ ଓଭର ପର୍ଯ୍ୟନ୍ତ ଚାଲିଥିଲା। ଦୁହେଁ ଓପ୍‍ନିଂ ଯୋଡ଼ିରେ ୯୪ ରନ୍‍ ଭାଗିଦାରୀ କରିଥିଲେ। ବଟ୍‍ଲର ମାତ୍ର ୨୧ ବଲ୍‍ରୁ ୭ଟି ଚୌକା ସହ ୩୪ ରନ୍‍କରି ଆଉଟ ହୋଇଥିଲେ। ଦେଢ଼ ଓଭର ପରେ ରୟ ଆଉଟ ହୋଇଥିଲେ। ଏହି ଓପ୍‍ନର ଅତ୍ୟନ୍ତ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୩୧ ବଲ୍‍ରୁ ୭ଟି ଛକା ଓ ୪ଟି ଚୌକା ସହ ୬୭ ରନ୍‍ କରିଥିଲେ। ପରେ ମୋର୍ଚ୍ଚା ସମ୍ଭାଳିଥିଲେ ୨ୟ ମ୍ୟାଚ୍‍ର ହିରୋ ଆଲେକ୍ସ ହେଲ୍‍ସ। ଅଧିନାୟକ ଇଓନ୍‍ ମୋର୍ଗାନ୍‍ ୬ ଓ ବେନ୍‍ ଷ୍ଟୋକ୍‍ସ ୧୪ ରନ୍‍କରି ଆଉଟ ହୋଇଥିଲେ। ହେଲ୍‍ସ ୨୪ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୩୦ ରନ୍‍ କରିଥିଲେ। ଜନି ବେୟାରଷ୍ଟୋ ପୁଣି ଏକ ବିସ୍ଫୋରକ ଇନିଂସ ଖେଳି ୧୪ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍‍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ୪ଟି ଓ ସିଦ୍ଧାର୍ଥ କୌଲ ୨ଟି ୱିକେଟ ପାଇଥିଲେ।

Leave A Reply