ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ସିରିଜ : ପାକିସ୍ତାନ ଚମ୍ପିଆନ

0

ହରାରେ : ଓପନିଂ ବ୍ୟାଟସମ୍ୟାନ ଫକର ଜମାନଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ସିରିଜରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନ ୬ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୮୩ ରନ କରିଥିଲା। ଜବାବରେ ପାକିସ୍ତାନ ୧୯.୨ ଓଭରରେ ୪ ୱିକେଟ ବିନିମୟରେ ୧୮୭ ରନ କରି ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‍ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଡି’ଆର୍ସି ସର୍ଟ ଓ ଫିଞ୍ଚ୍‍ ପାକ୍‍ ବୋଲରଙ୍କ ଉଚିତ ମୁକାବିଲା କରି ପ୍ରଥମ ୱିକେଟ ପାଇଁ ୯.୫ ଓଭରରେ ୯୫ ରନ ଯୋଗକରିଥିଲେ। ତେବେ ଫିଞ୍ଚ୍‍ଙ୍କୁ (୪୭) ଆଉଟ କରି ଲେଗ୍‍ସ୍ପିନର ସଦାବ ଖାନ୍‍ ପାକିସ୍ତାନ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ। ସର୍ଟ ୭ଟି ଚୌକା ଓ ୪ଟି ଛକା ସହାୟତାରେ ସର୍ବାଧିକ ୭୬ ରନ କରି ଚତୁର୍ଥ ଖେଳାଳିଭାବେ ଆଉଟ ହୋଇଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୮୩ ରନ କରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର ୩ଟି ଓ ସଦାବ ଖାନ୍‍ ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ଫଇମ ଅସ୍ରଫ୍‍, ହାସନ ଅଲ୍ଲୀ ଓ ସହିନ ଶାହା ଆଫ୍ରିଦି ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
୧୮୪ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨ ରନରେ ଦଳ ସାହେବଜାଦା ଫରହାନ୍‍ ଓ ହୁସେନ ତଲାତ୍‍ଙ୍କ ୱିକେଟ ହରାଇଥିଲା। ଉଭୟ ବ୍ୟାଟସମ୍ୟାନ ଖାତା ଖୋଲିବା ପୂର୍ବରୁ ଗ୍ଲେନ ମ୍ୟାକ୍ସୱେଲଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ ଓପନର ଫକର ଜମାନ ଓ ଅଧିନାୟକ ସର୍ଫରାଜ ଅହମ୍ମଦ (୨୮) ୩ୟ ୱିକେଟ ପାଇଁ ୪୫ ରନ ଯୋଗକରି ସ୍ଥିତିକୁ କିଛିମାତ୍ରାରେ ସୁଧାରିଥିଲେ। ତେବେ ସର୍ଫରାଜ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ରନଆଉଟ ହେବାଫଳରେ ଏହି ଯୋଡି ଭାଙ୍ଗିଯାଇଥିଲା। ତେବେ ଫକର ଜମାନ ଓ ଅଭିଜ୍ଞ ସୋଏବ ମଲ୍ଲିକ ୪ର୍ଥ ୱିକେଟ ପାଇଁ ୧୦୭ ରନ ଯୋଗକରି ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। ଜମାନ ୯୧ ରନ (୧୨ ଚୌକା, ୩ ଛକା) କରି ଚତୁର୍ଥ ଖେଳାଳି ଭାବେ ଆଉଟ ହୋଇଥିଲେ। ଜମାନଙ୍କ ପ୍ରସ୍ଥାନ ପରେ ସୋଏବ ଓ ଆସିଫ ଅଲ୍ଲୀ ୫ମ ୱିକେଟ ପାଇଁ ଅବିଭାଜିତ ୩୩ ରନ ସ୍କୋର କରିଥିଲେ। ଫଳରେ ପାକିସ୍ତାନ ୧୯.୨ ଓଭରରେ ୪ ୱିକେଟ ବିନିମୟରେ ୧୮୭ ରନ କରି ବିଜୟୀ ହୋଇଥିଲା। ସୋଏବ ଓ ଆସିଫ୍‍ ଯଥାକ୍ରମେ ୪୩ ଓ ୧୭ ରନରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାକ୍ସୱେଲ ୨ଟି ଓ ରିଚାର୍ଡସନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଫକର ଜମାନ ଉଭୟ ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ଓ ‘ପ୍ଲେୟାର ଅଫ୍‍ ଦି ସିରିଜ’ ବିବେଚିତ ହୋଇଛନ୍ତି।

kalyan agarbati
Leave A Reply