ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କର ସହଯୋଗୀ ବଚ୍ ୱିଲମୋର ଚଳିତମାସ ୫ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସ୍ରେ ୯ ଦିନ ରହିବା ପରେ ଜୁନ ୧୪ରେ ସୁନିତା ପୃଥିବୀ ପୃଷ୍ଠକୁ ଫେରିବା କଥା। ତେବେ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ସୁନିତାଙ୍କ ଫେରିବା ଏବେମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଜୁନ୍ ୨୬ରେ ସୁନିତା ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଥିଲା। ତେବେ ଷ୍ଟାରଲାଇନର୍ରେ ହିଲିୟମ୍ ଲିକ୍ ଦେଖାଦେଇଛି। ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ଷ୍ଟାରଲାଇନରରେ ଅତିକମରେ ୧୪ଟି ଥ୍ରଷ୍ଟରର ଆବଶ୍ୟକତା ରହିଛି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ବର୍ତ୍ତମାନ ଆଇଏସଏସ୍ରେ ସୁନିତା ଓ ବଚ୍ ୱିଲମୋରଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହାକାଶଚାରୀ ଅବସ୍ଥାନ କରୁଛନ୍ତି। ସେମାନେ ସୁରକ୍ଷିତ ଥିବାବେଳେ ଆଇଏସଏସ ସହ ସଂଯୁକ୍ତ ହୋଇଥିବା ଷ୍ଟାରଲାଇନର ମଧ୍ୟ ସ୍ବାଭାବିକଭାବେ କାର୍ଯ୍ୟ କରୁଛି। ତେବେ ପୃଥିବୀକୁ ଫେରିବା ନିମନ୍ତେ ଷ୍ଟାରଲାଇନରେ ଥିବା ଇନ୍ଧନ କ୍ରମଶଃ ଶେଷ ହୋଇ ଆସୁଛି। ତେଣୁ କୌଣସି ଜରୁରୀ ପରିସ୍ଥିତି ଉପୁଜିବା ପୂର୍ବରୁ ଏହି ତ୍ରୁଟିଗୁଡିକୁ କିପରି ସୁଧାରି ହେବ, ସେଥିନେଇ ନାସା ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଅହରାତ୍ର ପରିଶ୍ରମ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ମହାକାଶକୁ ଯିବା ପୂର୍ବରୁ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାର ଉତ୍କ୍ଷେପଣକୁ ଦୁଇ ଥର ସ୍ଥଗିତ ରଖିବାକୁ ପଡିଥିଲା।
Popular Categories



