ଝଲସୁଛି ବଡଦାଣ୍ଡ, ସୁନାବେଶରେ ସଜ୍ଜିତ ତିନି ଠାକୁର
ପୁରୀ: ଝଲସୁଛି ବଡଦାଣ୍ଡ, ନବଦିନାତ୍ମମ ଯାତ୍ରାର ଅନ୍ତିମ ଦିବସରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ତିନିରଥ ଉପରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି। ଆଜି ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବାହୁଡା ଏକାଦଶୀ ତିଥିରେ ରଥ ଉପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମହାପ୍ରଭୁ ସୁନାବେଶ ହୋଇଥାନ୍ତି। ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ।
ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବାପରେ ଶ୍ରୀମନ୍ଦିର ପରିସରରେ ଥିବା ଭିତର ରତ୍ନଭଣ୍ଡାରକୁ ଅପରାହ୍ନରେ ଖୋଲାଯାଇଥିଲା। ପରେ ସେଠାରେ ଥିବା ମହଣ ମହଣ ଓଜନର ବିଭିନ୍ନ ରତ୍ନଖଚିତ ର୍ଦୁମୂଲ୍ୟ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ସବୁକୁ ବାହାର କରାଯାଇ ମାଜିଷ୍ଟ୍ରେଟ୍ ଓ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ସେବାୟତମାନେ ତିନିରଥ ଉପରକୁ ଆଣିଥିଲେ। ଶ୍ରୀବିଗ୍ରହମାନଙ୍କୁ ସ୍ୱର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଢିଆଣି, ଚନ୍ଦ୍ରସୂର୍ଯ୍ୟ, ଆଡକାନୀ, ଘାଗରାମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଚକ୍ର, ହଳମୂଷଳ, ବାହାଡା ମାଳି, କଦମ୍ବମାଳି, ତାବିଜମାଳି, ସେବତୀମାଳି, ତ୍ରିଖଣ୍ଡିକା କମରପଟି ଆଦି ଅଳଙ୍କାରରେ ସଜ୍ଜିତ କରାଯାଇଛି। ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ ହୋଇଥାଏ। ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି। ରଥ ଉପରେ ସୁନାବେଶ ବେଶରେ ମହାପ୍ରଭୁଙ୍କୁ ୧୩୮ ପ୍ରକାର ରତ୍ନ ଖଚିତ ସ୍ୱର୍ଣ୍ଣାଳଙ୍କାର ଲାଗି ହୋଇଥାଏ।
ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ରଥ ଉପରେ ସୁନାବେଶ ପାଇଁ ଭଣ୍ଡାର ଗୃହରୁ ପାଳିଆ ଭଣ୍ଡାରି ମେକାପ, ପାଳିଆ ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ ପୋଲିସ ଓ ଶ୍ରୀମନ୍ଦିର ଅଫିସରଙ୍କ ଉପସ୍ଥିତିରେ ବେଶ ଅଳଙ୍କାର ଗଣତି କରି ଆଣିଥାନ୍ତି। ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ସୁନାବେଶ ଆଭୁଷଣ ଲାଗି କରିଥାନ୍ତି।
ଆସନ୍ତାକାଲି ତିନିରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ପାରମ୍ପରିକ ରୀତି ମତେ ଅଧରପଣା ଭୋଗ କରାଯିବ ଏବଂ ଏହାପରେ ନିଳାଦ୍ରୀ ବିଜେରେ ଠାକୁରମାନେ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଅଧିଷ୍ଠିତ ହେବେ।
Comments are closed.