ଆଠଗଡ: କଟକର ନବନିଯୁକ୍ତ ଜିଲ୍ଲାପାଳ ଦତାତ୍ତ୍ରେୟ ଭାଉସାହେବ ସିନ୍ଦେ ଶୁକ୍ରବାର ଅଚାନକ ଆଠଗଡ ଗସ୍ତ କରିଥିବା ଦେଖାଯାଇଛି । କଟକରେ ଜିଲ୍ଲାପାଳ ଭାବେ ଯୋଗଦେବା ପରେ ସିନ୍ଦେଙ୍କର ଏହା ଆଠଗଡକୁ ପ୍ରଥମ ଗସ୍ତ ଥିଲା । ଜିଲ୍ଲାପାଳ ସକାଳେ ଏଠାରେ ପହଞ୍ଚିବା ପରେ ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଶେଷକରି ନୂତନ ସୁଭଦ୍ରା ଯୋଜନାର ସଫଳତା, ଫସଲ ସର୍ବେକ୍ଷଣ, ବେଆଇନ ମଦ କାରବାର ଏବଂ ଲଘୁ ଖଣିଜ ସମ୍ପଦର ଚୋରା କାରବାର ଉପରେ ଅଙ୍କୁଶ ଲଗାଇବା ଉପରେ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ । ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଓ ଏହି ଯୋଜନାରୁ ଯୋଗ୍ୟ ହିତାଧିକାରୀ ଯେପରି ବଞ୍ଚିତ ନ ହେବେ ସେ ଦିଗରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଉପସ୍ଥିତ ସିଡିପିଓ ଓ ଅନ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଖରିଫ ଫସଲର ଠିକ ସର୍ବେକ୍ଷଣ ସହିତ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ତହସିଲଦାର ଓ କୃଷି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଠଗଡ, ଖୁଣ୍ଟୁଣୀ ଓ ତିଗିରିଆ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଭାଟି, ଦେଶୀ ମଦ ପ୍ରସ୍ତୁତି ଓ ଚାଲାଣ ସହ ଲଘୁ ଖଣିଜ ସମ୍ପଦର ଚୋରା କାରବାର ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ, ଭାରପ୍ରାପ୍ତ ବିଡିଓ ବିଜୟ କେତନ ଚୌଧୁରୀ, ସିଡିପିଓ ନିବେଦିତା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Popular Categories



