ପୁଣି ତେଜିଲା ବ୍ଲକ ବିଭାଜନ ଓ ସବଡିଭିଜନ ଦାବି

ଲଖନପୁର/ବେଲପାହାଡ଼/କନକତୋରା/ଇବଥର୍ମାଲ: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ପୁନର୍ଗଠନ କରି ତିନୋଟି ବ୍ଲକରେ ବିଭାଜନ କରିବା ସହିତ ସବଡିଭିଜନର ମାନ୍ୟତା ପ୍ରଦାନ କରିବା ଦାବି ନେଇ ଲଖନପୁର ନାଗରିକ ପରିଷଦ ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲଖନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଉଭୟ ଦାବି ନେଇ ଲଢ଼େଇ ଜାରି ରଖି‌ବେ ବୋଲି ଉପସ୍ଥିତ ସଦସ୍ୟମାନେ ମତପ୍ରକାଶ କରିଥିଲେ ।

ତଥ୍ୟ ଅନୁସାରେ ୩୩ଟି ପଞ୍ଚାୟତକୁ ନେଇ ୧୯୫୮ ମସିହାରେ ଗଠିତ ଲଖନପୁର ବ୍ଲକ ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଦ୍ୱିତୀୟ ସର୍ବବୃହତ ବ୍ଲକ ଭାବରେ ପରିଚିତ । ୨୦୧୧ ଜନଗଣନା ଅନୁଯାୟୀ ପ୍ରାୟ ୧ଲକ୍ଷ ୪୨ହଜାର ୪୫୩ ଜନସଂଖ୍ୟା ଥିବା ବେଳେ ଏବେ ପ୍ରାୟ ୨ଲକ୍ଷକୁ ଟପିଯାଇଥିବା ଅନୁମାନ କରାଯାଏ । ସମୁଦାୟ ଜନସଂଖ୍ୟାର ଶତକଡ଼ା ୪୭.୨ ଭାଗ ଅନୁସୂଚିତ ଶତକଡ଼ା ଜନଜାତି ୧୪.୭ ଭାଗ ଅନୁସୂଚିତ ଜାତି ବର୍ଗର ବାସ କରନ୍ତି। ବେଲପାହାଡ଼ ଟିଆରଏଲ, ମହାନଦୀ କୋଇଲା ଖଣି ଓ ବନହରପାଲି ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣ ସକାଶେ ବ୍ଲକବାସୀ ଭିଟାମାଟି ତଥା ଉର୍ବର ଚାଷଜମି ଓ ଐତିହ୍ୟକୁ ହରାଇଛନ୍ତି । ହୀରାକୁଦ ଜଳଭଣ୍ଡାର ଉପକଣ୍ଠରେ ୩୬୮ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବ୍ଲକର ପୂର୍ବରୁ ପଶ୍ଚିମ ସୀମାକୁ ଦୂରତା ପ୍ରାୟ ୧୧୩ କିଲୋ ମିଟର, ଉତ୍ତର ଦକ୍ଷିଣ ସୀମାକୁ ୪୨ କିଲୋମିଟର । ଦୀର୍ଘ ରାସ୍ତା ଅତିକ୍ରମ କରି ଲୋକେ ବିଭିନ୍ନ ସମୟରେ ଉପଯୁକ୍ତ ସରକାରୀ ସେବା ପାଇନପାରି ଲଖନପୁର ତହସିଲ, ବ୍ଲକ ଆଦି ବିଭିନ୍ନ କାର୍ୟ୍ୟାଳୟକୁ ଆସିବାରେ ହଇରାଣ ହେଉଛନ୍ତି । ଗୋଟିଏ ଦିନର ସରକାରୀ କାର୍ୟ୍ୟ ପାଇଁ ଲୋକେ ମାସ ମାସ ଧରି ଦୌଡ଼ିବାକୁ ବାଧ୍ୟ ହୁଅନ୍ତି । ବୃହତକାୟ କ୍ଷେତ୍ର ହୋଇଥିବାରୁ ପ୍ରଶାସନିକ ସ୍ତରରେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ସମୁଚିତ ବିକାଶ ହୋଇ ନ ପାରି ସମସ୍ୟା ଦେଖାଦେଇଛି । ଏହା ସହିତ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ଲୋକମାନଙ୍କ ପାଖକୁ ଠିକ ଭାବରେ ପହଞ୍ଚି ପାରୁନଥିବାରୁ ଅଭିଯୋଗ ହେଉଛି । ଲଖନପୁର ବ୍ଲକକୁ ବିଭାଜନ ସହ ସବ୍ଡ଼ିଭିଜନ ମାନ୍ୟତା ପ୍ରଦାନ କରାଗଲେ ଆଗାମୀ ଦିନରେ ଲୋକେ ନିକଟରେ ସହଜରେ ସରକାରୀ ସୁବିଧା ପାଇବେ ବୋଲି ଆଶାପୋଷଣ କରାଯାଇଛି ।
ବ୍ଲକର ବିଭାଜନ ଓ ସବଡିଭିଜନ ମାନ୍ୟତା ପାଇଁ ୧୯୯୩, ୧୯୯୮ ଓ ୨୦୨୦ ମସିହାରେ ପଞ୍ଚାୟତ ସମିତି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରାଯାଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଫଳପ୍ରଦ ହୋଇନଥିବା ଅଭିଯୋଗ ହୋଇଛି ।

ଆଜି ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ଅଧିବେଶନ ବେଳେ ଲଖନପୁର ନାଗରିକ ପରିଷଦର ଏକ ପ୍ରତିନିଧି ଦଳ ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସଚିବ ତଥା ପଦାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଲଖନପୁର ନାଗରିକ ପରିଷଦର ସଂଯୋଜକ ପିତାମ୍ବର ମିଶ୍ର, ବାସୁଦେବ ଭୋଇ, ବିରଞ୍ଚି ସାହୁ, ବେଣୁଧର ଭୋଇ, ପୂର୍ବତନ ଅଧ୍ୟକ୍ଷ ଗୌତମ ପଧାନ, ରଘୁନନ୍ଦନ ପଣ୍ଡା, ନରୋତ୍ତମ ପଧାନ, କୁନ୍ଦନ ସିଂହଦେଓ, ବ୍ରଜମୋହନ କଲ୍ୟାରୀ ପ୍ରମୁଖଙ୍କ ସହ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ସାମିଲ ଥିଲେ।

Comments are closed.