ଦାନଗଦି/କୋରାଇ: ବିଳମ୍ବିତ ରାତିରେ ବୀଭତ୍ସ ଭାବେ ହତ୍ୟା କରିବା ପରେ ସକାଳେ ସୋସିଆଲ ମିଡିଆରେ ମୃତ ଯୁବକଙ୍କ ପାଇଁ ସମବେଦନା ଜଣାଇଥିଲା ହତ୍ୟାକାରୀ। ନିଜ ଫେସବୁକ୍ ଓ ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ଲେଖିଥିଲା ‘ମିସ୍ ୟୁ ଭାଇ…’। ଯାଜପୁରରୋଡ଼ ଥାନା ଅନ୍ତର୍ଗତ ସୋବରା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀର ତୀକ୍ଷ୍ଣ ମସ୍ତିଷ୍କ ପୁଲିସକୁ ବି ଚଳିତ କରିଛି। ପୁଲିସ ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ୍ ମଙ୍ଗଳବାର ସନ୍ଧ୍ୟାରେ ଯାଜପୁର ରୋଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି। ନିଜ ଗାଆଁରେ ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ଚଳାଇ ଆସୁଥିବା ଷ୍ଟୁଡିଓ ମାଲିକ ଦୀପକ କୁମାର ସାହୁ ହତ୍ୟା ଘଟଣାରେ ଯେଉଁ ଦୁଇ ଜଣ ହତ୍ୟାକାରୀ ସମ୍ପୃକ୍ତ ଅଛନ୍ତି ସେମାନେ ଦୀପକଙ୍କ ପୂର୍ବତନ ଦୋକାନ କର୍ମଚାରୀ। ଜଣେ ଦୀପକଙ୍କ ଗ୍ରାମର ଶ୍ରୀଧର କବି ଓ ଅନ୍ୟ ଜଣେ ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡା ଗ୍ରାମର ବିଶ୍ୱରଞ୍ଜନ ପଟ୍ଟନାୟକ। ଦୀପକ ସହିତ ବିଶ୍ବରଞ୍ଜନର ଟଙ୍କା ପଇସା କାରବାରକୁ ନେଇ ପୂର୍ବରୁ ତିକ୍ତତା ରହିଥିଲା। ଏପରିକି ଗତ ୮ ତାରିଖରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଏହାପୂର୍ବରୁ ଟଙ୍କା ପଇସା କାରବାରକୁ ନେଇ ଦୀପକର ଶ୍ରୀଧର କବି ସହିତ ମଧ୍ୟ ବଚସା ହୋଇଥିଲା। ଚୋରଦା ନିକଟରେ ସର୍ବସାଧାରଣ ସ୍ଥାନରେ ଶ୍ରୀଧରକୁ ଦୀପକ ଏକ ଚାପୁଡ଼ା ମାରିଥିଲା। ଘଟଣା ଦିନ ଦୀପକ ରାତି ଖାଇବା ଖାଇ ସାରି ଷ୍ଟୁଡିଓ ଭିତରେ ଶୋଇଥିଲା। ହତ୍ୟାକାଣ୍ଡ ପାଇଁ ବ୍ଲୁ-ପ୍ରିଣ୍ଟ ରଚନା କରିଥିବା ଉଭୟ ଶ୍ରୀଧର ଓ ବିଶ୍ୱରଞ୍ଜନ ସେଦିନ ବିଳମ୍ବିତ ରାତିରେ ଦୀପକକୁ ପ୍ରଥମେ ଫୋନ କରିଥିଲେ। ପରେ ଷ୍ଟୁଡିଓ ନିକଟରେ ପହଞ୍ଚି କବାଟ ବାଡ଼େଇଥିଲେ। ଦୀପକ କବାଟ ଖୋଲିବା ମାତ୍ରେ ଉଭୟ ତାକୁ ମାଡ ମାରି ତଳେ ପକାଇ ଦେଇଥିଲେ। ଶ୍ରୀଧର ଦୋକାନରେ ଥିବା ଏକ ଇଲେକ୍ଟ୍ରି ତାରରେ ଦୀପକର ଗୋଡ଼କୁ ବାନ୍ଧି ଦେଇଥିଲା। ପରେ ବିଶ୍ୱରଞ୍ଜନ ଏକ ପଥର ଆଣି ଦୀପକର ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଦୀପକର ଶରୀର କିଛି ସମୟ ପରେ ନିସ୍ତେଜ ହୋଇଯାଇଥିଲା। ତାଙ୍କ ଉପରୁ ଦୃଷ୍ଟି ହଟାଇବା ପାଇଁ ଲୁଟ୍ ପାଇଁ ହତ୍ୟାକାଣ୍ଡ ଘଟିଥିବା ଦିଗରେ ପୁଲିସକୁ ଭୁଆଁ ବୁଲାଇବା ପାଇଁ ଯୋଜନା କରିଥିଲେ ଉଭୟ ହତ୍ୟାକାରୀ। ଷ୍ଟୁଡିଓରେ ଥିବା ୩ଟି ମୂଲ୍ୟବାନ କ୍ୟାମେରା, ୪ଟି ଲେନ୍ସ, ଚାର୍ଜର, ଲାଇଟ୍, ୩ଟି କିଟ୍ ବ୍ୟାଗ୍, ଭିଡ଼ିଓ କ୍ୟାମେରା, ଡ୍ରୋନ ସହିତ ୩ଟି ସ୍ମାର୍ଟ ଫୋନ ଓ ଏକ ସୁନା ମୁଦି ନେଇ ସେଠାରୁ ଚମ୍ପଟ ମାରିଥିଲେ। ସେହିପରି ପରଦିନ ପୂର୍ବାହ୍ନରେ ଉଭୟ ନିଜ ନିଜ ଫେସବୁକ୍ ଓ ହ୍ୱାଟ୍ସଆପ୍ ଷ୍ଟାଟସ୍ରେ ସମବେଦନା ଜଣାଇ ଲେଖିଥିଲେ ‘ମିସ୍ ୟୁ ଭାଇ…’। ଦୃଷ୍ଟି ଏଡାଇବା ପାଇଁ ଉଭୟ ବାହାରେ ଥାଇ ଘଟଣା ସମ୍ପର୍କରେ ଜାଣି ଘରକୁ ଫେରୁଥିବା ପରି ଅଭିନୟ ମଧ୍ୟ କରିଥିଲେ। ପୁଲିସ ଜଣକୁ ବଡ଼ଚଣା ନିକଟରୁ ବସରୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଗାଁରୁ ଗିରଫ କରିଥିଲା। ତେବେ ଖୁବ୍ କମ୍ ସମୟ ମଧ୍ୟରେ ପୁଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଉଭୟ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ। ପୁଲିସ ଚୋରି ଯାଇଥିବା ସବୁ ସାମଗ୍ରୀ ସହିତ ଘଟଣା ଘଟାଇବା ବେଳେ ବ୍ୟବହୃତ ମଟର ସାଇକଲକୁ ଜବତ କରିଥିବା ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଉଭୟଙ୍କୁ ସନ୍ଧ୍ୟାରେ ଅଦାଲତ ଚାଲାଣ କରାଯାଇଛି।
Popular Categories



