ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଆଡେଣିଗଡ ଛାତ୍ରୀନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ରାତିରୁ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା ଛାତ୍ରୀଙ୍କୁ ରାତିସାରା ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ପତ୍ତା ନ ମିଳିବାରୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ସାହୁ ଏସଂର୍ପକରେ ଶନିବାର ସକାଳେ ଆଡେଣିଗଡ ଫାଣ୍ଡିରେ ଏତଲା ଦେଇଛନ୍ତି।
ପ୍ରଧାନ ଶିକ୍ଷକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ହରଭଙ୍ଗା ବ୍ଲକ ଆଡେଣିଗଡସ୍ଥିତ ଛାତ୍ରୀ ନିବାସରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୯୪ଜଣ ଛାତ୍ରୀ ରହୁଛନ୍ତି। ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଝରାଶ୍ରୀ ମହାନନ୍ଦିଆ ନାମକ ଜଣେ ନବମ ଶ୍ରେଣୀ ଛାତ୍ରୀ ହଠାତ୍ ନିଖୋଜ ହୋଇ ଯାଇଥିଲେ। ରାତି ତମାମ୍ ବହୁ ଖୋଜାଖୋଜି କରିବା ସତ୍ତ୍ବେ ତାଙ୍କର କୌଣସି ପତ୍ତା ମିଳିନଥିଲା।ଶେଷରେ ଏନେଇ ଛାତ୍ରୀଙ୍କ ସଂର୍ପକୀୟ ନୂଆପଡାସ୍ଥିତ ଚକାଡୋଳା ମହାନନ୍ଦିଆଙ୍କୁ ଜଣାଇ ଦିଆଯାଇଥିଲା। ଏହା ପରେ ମଧ୍ୟ ନିଖୋଜ ଛାତ୍ରୀଙ୍କ କୌଣସି ପତ୍ତା ନ ମିଳିନଥିଲା। ନିଖୋଜ ଥିବା ଛାତ୍ରୀଙ୍କ ଘର ବୌଦ୍ଧ ବ୍ଲକ ବଘିଆପଡା ଅଞ୍ଚଳର ଗୁଡ୍ ବାହାଲିରେ ବୋଲି ସୂଚନା ମିଳିଛି। ହଷ୍ଟେଲ ସୁରକ୍ଷା ଦାୟିତ୍ୱରେ ୱାଡେନ୍ ରହିଥିଲେ ମଧ୍ୟ କିଭଳି ଜଣେ ଛାତ୍ରୀ ରାତିରେ ନିଖୋଜ ହେଲେ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।



