ମେଘା ସ୍କୁଲରୁ ଚୋରୀ ସାମଗ୍ରୀ ଉଦ୍ଧାର, ଚୋରକୁ ଧରିଲେ ଗ୍ରାମବାସୀ
ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ମେଘାସ୍ଥିତ ବିଶ୍ୱେଶ୍ୱର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରୁ ଗତ ରବିବାର ବିଳମ୍ବିତ ରାତ୍ରିରେ କମ୍ପ୍ୟୁଟର ଶ୍ରେଣୀକକ୍ଷର ଲୁହା କବାଟ ଭାଙ୍ଗି କମ୍ପ୍ୟୁଟର ଓ ମାଇକ ସେଟ ଆଦି ଚୋରୀ ହୋଇଥିଲା । ଏ ସଂପର୍କରେ ସୋମବାର ସକାଳେ ଜାଣିବା ପରେ ପ୍ରଧାନଶିକ୍ଷକ ଆଠଗଡ ଥାନାରେ ଏତଲା ଦେଇଥିଲେ । ଆଇଆଇସି ବାମଦେବ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତକାରୀ ଅଧିକାରୀ ସହକାରୀ ନିରୀକ୍ଷକ ବିଶ୍ୱଜିତ୍ ଜେନା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ ଚୋର କିମ୍ବା ଚୋରୀ ସାମଗ୍ରୀ ଧରିବାରେ ସକ୍ଷମ ହୋଇନଥିଲେ । ତେବେ ମେଘା ଗ୍ରାମବାସୀ ସନ୍ଦେହରେ ସେହି ଗ୍ରାମର ଆମ୍ବୁଲି ସାହୁଙ୍କ ପୁଅ ଚନ୍ଦନ ସାହୁଙ୍କୁ ଧରି ପଚରାଉଚୁରା କରିବାରେ ସେ ଚୋରୀ କରିଥିବା ମାନି ଯାଇଥିଲା । ତା’ ଠାରୁ ତଥ୍ୟ ସଂଗ୍ରହ କରି ଗ୍ରାମବାସୀ କନ୍ଦରପୁର ଗ୍ରାମରେ ଜଣଙ୍କ ଘରେ ଲୁଚାଇ ରଖିଥିବା ବିଦ୍ୟାଳୟର ମାଇକ ମେସିନ, ବକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଦାର କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୫ହଜାର ଟଙ୍କା ହେବ ବୋଲି ଜଣାପଡିଛି । ହେଲେ ଗ୍ରାମବାସୀ ସଂପୃକ୍ତ ଚୋରକୁ ପୁଲିସକୁ ହସ୍ତାନ୍ତର ନକରି ଗ୍ରାମସଭା କରି ତାକୁ ଅର୍ଥଦଣ୍ଡରେ ଦଣ୍ଡିତ କରିବା ସହ ତା’ ଠାରୁ କେବେ ଜୀବନରେ ଆଉ ଚୋରୀ କରିବନି ବୋଲି ଲେଖାଇ ରଖିଥିବା ଜଣାପଡିଛି। ତତ୍ସହିତ ଗ୍ରାମବାସୀ ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରିଛନ୍ତି।
Comments are closed.