mission shakti banner

ଖଣିନିଲାମ ରୟାଲ୍‍ଟିରେ ରାଜ୍ୟ ସରକାର ସନ୍ତୁଷ୍ଟ ସେପଟେ କଞ୍ଚାମାଲ ଅଭାବରୁ ଶିଳ୍ପରେ ଝୁଲୁଛି ତାଲା

nua o banner

କଟକ : ସ୍ୱାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସେହି ସମୟରେ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ଦ୍ୱାରା ରାଜ୍ୟରେ ହାତଗଣତି ଶିଳ୍ପ ସ୍ଥାପନ କରାଯାଇଥିଲା। ଓଡ଼ିଶା ବିଭିନ୍ନ ଖଣିଜସମ୍ପଦରେ ଭରପୂର ଥିବାରୁ କେବଳ ଖଣିଜ ପଦାର୍ଥ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେବେ ଦୀର୍ଘବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ବିଭିନ୍ନ କାରଣରୁ ମନ୍ଥର ରହିଥିଲା, ଯାହା ମୁଖ୍ୟତଃ ନିଯୁକ୍ତି ଓ ରାଜ୍ୟ ଅର୍ଥନୀତିରେ ପ୍ରମୁଖ ଯୋଗଦାନ କରିବା କଥା। ଏ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ୨୦୦୧ରେ ରାଜ୍ୟରେ ଉଦାର ଶିଳ୍ପ ନୀତି ପ୍ରଣୟନ କରାଗଲା। ଏହାର ଉଦ୍ଦେଶ୍ୟ ଥିଲା ଶିଳ୍ପ ସ୍ଥାପନରେ ଘରୋଇ ଉଦ୍ୟୋଗର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ତାହାସହିତ ଶିଳ୍ପ କ୍ଷେତ୍ରରେ ମାନଗତ, ଉତ୍ପାଦନଗତ ଏବଂ କୁଶଳତାରେ ବିକାଶ ଘଟାଇବା। ଏସବୁ ସହିତ ସରକାରୀ ସ୍ତରରେ ପ୍ରକଳ୍ପ ମଞ୍ଜୁରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଶିଳ୍ପଗୁଡିକୁ ଗୋଟିଏ ସ୍ଥାନରେ ସମସ୍ତ ଅନୁମୋଦନ ସୁବିଧା ଯୋଗାଇବାକୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଗଲା।

ସରକାର ରାଜ୍ୟରେ ଖଣିଭିତ୍ତିକ ଶିଳ୍ପଠାରୁ ଆରମ୍ଭ କରି ଖାଦ୍ୟ ପ୍ରକ୍ରିୟାକରଣ, କୃଷିଭିତ୍ତିକ ଶିଳ୍ପ, ରାଜ୍ୟରେ ଉତ୍ପାଦିତ ଧାତୁକୁ ବିନିଯୋଗ କରି ଆନୁଷଙ୍ଗିକ ଯନ୍ତ୍ରାଂଶ, ଉପକରଣ ଆଦି ତିଆରି କରିବା ଆଦି ଶିଳ୍ପ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। କିନ୍ତୁ ପ୍ରାୟ ୨୦ବର୍ଷ ପରେ ସମ୍ପ୍ରତି ସେ କ୍ଷେତ୍ରରେ ବିଶେଷ କିଛି ସଫଳତା ହାସଲ ହୋଇଥିବାଭଳି ମନେହେଉନାହିଁ। ଇତିମଧ୍ୟରେ ରାଜ୍ୟରେ ସ୍ଥାପିତ ଅଧିକାଂଶ ଶିଳ୍ପ ଖଣିଜ ପଦାର୍ଥ ଭିତ୍ତିକ। ତାହା ମୁଖ୍ୟତଃ ଲୌହ ଇସ୍ପାତ, ଆଲୁମିନିୟମ, ସିମେଣ୍ଟ ଅଥବା ଫେରୋ ଆଲଏଜ ଭଳି ଶିଳ୍ପ ଅଟେ। ସରକାରଙ୍କ ଶିଳ୍ପନୀତିରେ ଆକୃଷ୍ଟ ହୋଇ ବହୁ ବୃହତ ଘରୋଇ ଉଦ୍ୟୋଗ ଓଡ଼ିଶାରେ ଶିଳ୍ପ ସ୍ଥାପନ କଲେ। କିନ୍ତୁ ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହେଲା କଞ୍ଚାମାଲ। ସେମାନଙ୍କୁ ଖଣି ମିଳିଲା ନାହିଁ। ଫଳରେ ଇତିମଧ୍ୟରେ ଅନେକ ଏହିଭଳି ଶିଳ୍ପରେ ତାଲା ଝୁଲିଲାଣି। ଯେଉଁମାନଙ୍କୁ ଖଣି ଲିଜ୍‍ ମିଳିଛି ସେମାନଙ୍କର ସମସ୍ତଙ୍କର ନିଜସ୍ୱ ଶିଳ୍ପ ରାଜ୍ୟରେ ନାହିଁ। ଏଭଳି ଏକ ପରିସ୍ଥିତି ସରକାରଙ୍କର ଶିଳ୍ପାୟନ ପ୍ରୟାସକୁ ବ୍ୟର୍ଥ କରିବା ଭଳି ହୋଇଛି।

ଜଣାଯାଇଛି ଯେ ଓଡ଼ିଶାରେ ଖଣି ନିଲାମରେ ଖଣି ପାଇବାକୁ ସଫଳ ହୋଇଥିବା କେତେକ ସଂସ୍ଥା ଖଣିଖୋଳି କଞ୍ଚାମାଲ ଅନ୍ୟ ରାଜ୍ୟକୁ ପରିବହନ କରୁଛନ୍ତି। ତାହାକୁ ରାଜ୍ୟରେ ବିନିଯୋଗ କରାଗଲେ ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧିପାଇବା ସହିତ ରାଜ୍ୟ ରାଜକୋଷକୁ ମଧ୍ୟ ବିପୁଳ ରାଜସ୍ୱ ମିଳିପାରନ୍ତା। କିନ୍ତୁ କଞ୍ଚାମାଲ ବାହାରକୁ ଚାଲିଯାଉଥିବାରୁ ରାଜ୍ୟରେ କଞ୍ଚାମାଲ ଚାହିଦା ଓ ଯୋଗାଣରେ ବିରାଟ ତାରତମ୍ୟ ପରିଲକ୍ଷିତ ହୋଇଛି। ତାହାସହିତ ଯେତିକି କଞ୍ଚାମାଲ ମିଳୁଛି ତାହାର ମୂଲ୍ୟ ବୃଦ୍ଧିପାଇବାରେ ଲାଗିଛି। ଏହାଦ୍ୱାରା ଅନେକ ଶିଳ୍ପର ଉତ୍ପାଦନ ଖର୍ଚ୍ଚ ବୃଦ୍ଧିପାଉଛି ଏବଂ ସେମାନେ ଅନ୍ୟ ଉପାୟ ନଦେଖି ଶିଳ୍ପ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ସରକାର ଯେଉଁ କମ୍ପାନୀଗୁଡିକୁ ଖଣିଲିଜ୍‍ ଦେଉଛନ୍ତି ସେମାନେ ଉତ୍ତୋଳନ କରୁଥିବା ଖଣିଜ ପଦାର୍ଥ ମଧ୍ୟରୁ ଅନ୍ୟୂନ ୬୦% ରାଜ୍ୟ ମଧ୍ୟରେ ବିକ୍ରି କରିବାକୁ ସର୍ତ୍ତ ରଖାଗଲେ ଓଡ଼ିଶାର ଶିଳ୍ପଗୁଡିକ ଉପକୃତ ହୋଇପାରନ୍ତେ ବୋଲି ରାଜ୍ୟର କେତେକ ଶିଳ୍ପ ବିଶାରଦ ମତ ଦେଇଛନ୍ତି। ସେମାନେ ଅଷ୍ଟ୍ରେଲିଆର ଉଦାହରଣ ଦେଇ କହିଛନ୍ତି ଯେ ସେଠାରେ ଖଣିଜ ପଦାର୍ଥର ଉପଯୁକ୍ତ ବ୍ୟବହାର କରାଯାଉଥିବାରୁ ତାହା ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ ହୋଇପାରିଛି।

ସେମାନଙ୍କ ମତରେ ରାଜ୍ୟରେ ଖଣିଜ ପଦାର୍ଥକୁ ବିନିଯୋଗ କରାଗଲେ ତାହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଅପରପକ୍ଷେ ଖଣିଖୋଳି ତାହାକୁ କେବଳ ନିଲାମ କରିଦେଲେ ସରକାର ରୟାଲଟି ବାବଦରେ ଯାହା କିଛି ଅର୍ଥ ପାଇବେ। ଏହି ଅବସରରେ ସେମାନେ ରାଜ୍ୟର ବେକାରୀ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି ତାହା ଚେତାଇ ଦେଇଛନ୍ତି। କୋଭିଡ-୧୯ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଜୀବିକା ଉପାର୍ଜନ ପାଇଁ ଅନ୍ୟ ରାଜ୍ୟକୁ ଯାଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ବିଷୟ ଓଡ଼ିଶାର ସାମଗ୍ରିକ ନିଯୁକ୍ତି ଦୃଶ୍ୟପଟ୍ଟ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରୁଥିବା ସେମାନେ ଦର୍ଶାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଲାମ କରାଯାଇଥିବା ୨୧ଟି ଖଣିର ବାର୍ଷିକ ମୋଟ ୮୯ ନିୟୁତ ଟନ୍‍ ଲୁହାପଥର ଉତ୍ତୋଳନ କ୍ଷମତା ରହିଛି।

ଏହି ଖଣି ନିଲାମ ନେଇଥିବା କେତେକ କମ୍ପାନୀର ରାଜ୍ୟରେ ତାହାକୁ ବିନିଯୋଗ କରିବା ପାଇଁ ସେଭଳି ବୃହତ ଉଦ୍ୟୋଗ ନାହିଁ। ଜେଏସଡବ୍ଲୁ, ଆର୍ସେଲର ମିତ୍ତଲ ଭଳି କମ୍ପାନୀ ବାର୍ଷିକ ୫୭.୫ ନିୟୁତ ଟନ୍‍ ଖଣିଜ ପଦାର୍ଥ ଉତ୍ତୋଳନ କରିବାକୁ ନିଲାମରେ ସଫଳ ହୋଇଛନ୍ତି। ସେମାନେ ଉକ୍ତ କଞ୍ଚାମାଲକୁ ରାଜ୍ୟ ବାହାରକୁ ନେଇଯିବାପରେ ଆଉ ମାତ୍ର ୩୧.୫ ନିୟୁତ ଟନ୍‍ କଞ୍ଚାମାଲ ରାଜ୍ୟର ଶିଳ୍ପଗୁଡିକ ପାଇଁ ଉପଲବ୍ଧ ହେବ ବୋଲି ଜଣାଯାଇଛି। ଏତିକି କଞ୍ଚାମାଲକୁ ରାଜ୍ୟର ଲୌହ ଇସ୍ପାତ ଏବଂ ଫେରୋ ଆଲୟ ଶିଳ୍ପ ନେବାକୁ ପ୍ରତିଯୋଗିତା କରିବା ଦ୍ୱାରା ତାହାର ମୂଲ୍ୟ ବୃଦ୍ଧିଘଟିବା ନିଶ୍ଚିତ ଏବଂ ଏହା ଉକ୍ତ ଶିଳ୍ପଗୁଡିକର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ ବୋଲି ଓଡ଼ିଶାରେ ଅବସ୍ଥିତ ଏକ ଷ୍ଟିଲ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ରାଜ୍ୟରେ ଶିଳ୍ପଗୁଡିକ ସମ୍ମୁଖୀନ ହେଉଥିବା ଏହି ଗୁରୁତର ସମସ୍ୟା ସମ୍ପର୍କରେ ଓଡ଼ିଶା ସ୍ପଞ୍ଜ ଆଇରନ ମାନୁଫାକଚରର୍ସ ଆସୋସିଏସନ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ନିକଟକୁ ଏକାଧିକ ଥର ପତ୍ରଲେଖି ଶିଳ୍ପଗୁଡିକୁ ସୁଲଭ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବାକୁ ଅନୁରୋଧ କରାଯାଇଛି। ଆସୋସିଏସନ ପକ୍ଷରୁ ଗତମାସ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇ ପୁନର୍ବାର ଏ ସମ୍ପର୍କରେ ଅବଗତ କରାଯିବା ସହିତ ରାଜ୍ୟରେ ଉତ୍ତୋଳନ କରାଯାଉଥିବା ୭୦% ସାଇଜଡ ଲୁହାପଥର ସ୍ଥାନୀୟ ସ୍ପଞ୍ଜ ଆଇରନ ଶିଳ୍ପଗୁଡିକ ନିମନ୍ତେ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ଦିଆଯାଇଛି।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ଟେଣ୍ଡରରେ ନିଲାମ କରାଯାଉଥିବା ମୋଟ ଖଣିଜ ପଦାର୍ଥ ମଧ୍ୟରୁ ପ୍ରାୟ ୧୯% (ବାର୍ଷିକ ୧୭ ନିୟୁତ ଟନ୍‍) କ୍ୟାପଟିଭ ବ୍ୟବହାର ନିମନ୍ତେ ସଂରକ୍ଷିତ ରଖାଯାଇଥିବାବେଳେ ଅବଶିଷ୍ଟକୁ ଖୋଲା ବଜାର ନିମନ୍ତେ ଉପଲବ୍ଧ କରାଯାଇଥିଲା, ଯାହା ମୁଖ୍ୟତଃ ଓଡ଼ିଶାରେ ଥିବା ଶିଳ୍ପଗୁଡିକ ନିମନ୍ତେ ଉପଲବ୍ଧ ହେବାକଥା। କିନ୍ତୁ ବାସ୍ତବପକ୍ଷେ ତାହା ସମ୍ପୂର୍ଣ୍ଣ ଓଲଟା ହୋଇଛି ଏବଂ ଉତ୍ତୋଳିତ ଖଣିଜ ପଦାର୍ଥର ମୁଖ୍ୟଭାଗ ରାଜ୍ୟ ବାହାରକୁ ଖୋଲା ବଜାରରେ ବିକ୍ରି ପାଇଁ ଚାଲିଯାଉଛି। ସରକାର ଖଣି ନିଲାମକୁ ରୟାଲଟି ପାଇ ସନ୍ତୁଷ୍ଟ ଥିବାବେଳେ ରାଜ୍ୟର ଶିଳ୍ପଗୁଡିକରେ ଗୋଟିକ ପରେ ଗୋଟିଏରେ ତାଲା ଝୁଲିବା ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତ ସରକାରଙ୍କ ‘ପୂର୍ବୋଦୟ ଭାରତ’ ନୀତି କେବଳ ଏକ ସ୍ଲୋଗାନରେ ସୀମିତ ରହିଯାଇଛି ବୋଲି ରାଜ୍ୟରେ ବହୁ ଶିଳ୍ପୋଦ୍ୟୋଗୀ ମତ ଦେଇଛନ୍ତି।

Comments are closed.