୧୬ ପ୍ରସ୍ତାବକୁ କ୍ୟାବିନେଟ ମୋହର : କଳା,ସାହିତ୍ୟ ଓ ସଂସ୍କୃତିକୁ ପ୍ରାଧାନ୍ୟ
୫ ଜିଲାରେ ଜଳସେଚନ ଲାଗି ୧୮୬୩ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବିନିଯୋଗ ଲକ୍ଷ୍ୟ, ଭୂ-ସଂସ୍କାର ଆଇନରେ ସଂଶୋଧନ
ଭୁବନେଶ୍ୱର : ଓଡ଼ିଶାରେ କଳା, ସାହିତ୍ୟ ଓ ସଂସ୍କୃତି କିଭଳି ଉଜ୍ଜୀବିତ ହେବ ଏବଂ କୃଷକଙ୍କୁ ବିଲ ମୁଣ୍ଡରେ ପାଣି ମିଳିବ, ସାର ଠିକଣା ସମୟରେ ଯୋଗାଇ ଦିଆଯାଇ ପାରିବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ତିନୋଟି ନୂତନ ନିର୍ଦେଶାଳୟ ଗଠନ କରାଯିବା ସହିତ ପ୍ରାୟ ୧୮୬୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ନିବେଶ କରି ଜଳସେଚନ ବ୍ୟବସ୍ଥା ତ୍ବରାନ୍ବିତ କରାଯିବାକୁ ଲକ୍ଷ୍ୟ ରହିଛି।
ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ, ଓଡ଼ିଶା ଭୂ-ସଂସ୍କାର ଆଇନର ଉପଧାରା ସଂଶୋଧନ କରାଯାଇଛି। ଭୂ-ସଂସ୍କାର ଆଇନର-୧୯୬୦ ଅନୁସାରେ ସିକିମ ଜମିରେ ରଏତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା । ସମସ୍ତ ସିକିମ ଚାଷୀ ଏହି ସମୟ ଅବଧି ଭିତରେ ଆବେଦନ କରିପାରି ନ ଥିଲେ । ଚିଠା ବିଲରେ ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିଲେ। ସେହି ଜମିରେ ରଏତି ଅଧିକାର ପାଇବା ପାଇଁ ଏହି ସଂଶୋଧନ ଆଇନର ବିଜ୍ଞପ୍ତି ପ୍ରକାଶନର ଦୁଇ ବର୍ଷ ମଧ୍ୟରେ ରାଜସ୍ବ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ। ଆବଶ୍ୟକତା ଅନୁସାରେ ସରକାର ଏହି ସମୟ ସୀମାକୁ ବୃଦ୍ଧି କରିପାରନ୍ତି। ରାଜସ୍ବ ଅଧିକାରୀ ଆଦେଶନାମା ଜାରି କଲାବେଳେ ଷ୍ଟାଣ୍ଡାର୍ଡ ଏକର ପିଛା ୧୪,୨୦୦ ଟଙ୍କା ହିସାବରେ କ୍ଷତିପୂରଣ ସ୍ଥିର କରିବେ। ଏହି କ୍ଷତିପୂରଣ ଟଙ୍କା ଉପ-ରଏତ କିମ୍ବା ଅଧସ୍ତନ-ରଏତ ଅଥବା ସେମାନଙ୍କର ଉତ୍ତରାଧିକାରୀମାନେ
ସିକିମ ଜମିର ମୂଳ ରଏତଙ୍କୁ କିମ୍ବା ଉତ୍ତରାଧିକାରୀଙ୍କୁ ପ୍ରଦାନ କରିବେ। କ୍ଷତିପୂରଣ ରାଶିର ପରିମାଣ ସମୟାନୁକ୍ରମେ ପରିବର୍ତ୍ତନ ହୋଇପାରେ। ଏହାପରେ ଏହି ସିକିମ ଜମି ଉପରେ ଉପ-ରଏତ କିମ୍ବା ଅଧସ୍ତନ-ରଏତ ଅଥବା ସେମାନଙ୍କ ଉତ୍ତରାଧିକାରୀମାନେ ରଏତ ଭାବରେ ଘୋଷିତ ହେବେ ଏବଂ ଏହି ଜମି ଉପରେ ସେମାନଙ୍କର ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତି ହେବେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ରାଜ୍ୟ କ୍ୟାବିନେଟ୍ ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ ଯେ, ୭ଟି ବିଭାଗର ୧୬ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛି। ସେଥିମଧ୍ୟରେ ୨୦୧୮ ଜୁଲାଇ ୨୭ ତାରିଖ ପ୍ରଥମ ଐତିହାସିକ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦେଶାଳୟ ଗଠନ ପ୍ରସ୍ତାବ ରହିଛି। ଏହି ନିର୍ଦେଶାଳୟ ଗଠନ ହେଲେ ହରେକୃଷ୍ଣ ମହାତାବ ଗ୍ରନ୍ଥାଗାର ବିଭିନ୍ନ ଜିଲାରେ ଥିବା ଗ୍ରନ୍ଥାଗାର ଓ ବ୍ଲକସ୍ତରରେ ଥିବା ଗ୍ରନ୍ଥାଗାରଗୁଡ଼ିକର ସମନ୍ବୟ ଓ ସୁପରିଚାଳନା ହୋଇପାରିବ। ଏଥିଲାଗି ଅମଲା ପଦ ସୃଷ୍ଟି ଲାଗି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ସେହିପରି ସ୍ବତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦେଶାଳୟ ଓ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦେଶାଳୟ ଗଠନ କରାଯିବ। ଓଡ଼ିଶାର ବହୁ ପୁରାତନ ମନ୍ଦିର ଓ ବିଭିନ୍ନ ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜି ଆବିଷ୍କୃତ ହୋଇଥିବା ସ୍ଥଳେ ଆଉ କେତେକ ଆବିଷ୍କୃତ ହେଉଛି। ଏହି ନିର୍ଦେଶାଳୟ ସ୍ଥାପନ ହେଲେ ଓଡ଼ିଶାର କୋଣ ଅନୁକୋଣରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜିଗୁଡିକ ସଂରକ୍ଷଣ ହୋଇପାରିବ। ଆବିଷ୍କୃତ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ, ଗବେଷଣା ଓ ପ୍ରଚାର ଲାଗି ଏହା ବିଶେଷ ସହାୟକ ହେବ। ଏହାଦ୍ବାରା ରାଜ୍ୟର ଅସରନ୍ତି କଳା, ଭାସ୍କର୍ଯ୍ୟ ଓ ଐତିହ୍ୟଗୁଡିକର ସୂଚାରୁ ରୂପେ ସଂରକ୍ଷଣ, ପରିଚାଳନା ଓ ଗବେଷଣା ସହ ଉପଯୁକ୍ତ ପ୍ରଚାର ହୋଇପାରିବ।
ଶ୍ରୀ ଜେନା କହିଥିଲେ ଯେ, ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ପରିକ ପ୍ରବହମାନ ଜଳସେଚନ ପଦ୍ଧତି ଦ୍ବାରା ସେଗୁଡ଼ିକ ଜଳସେଚିତ କରିବା ସମ୍ଭବପର ହୋଇ ନ ଥାଏ । ଏହି ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ‘ବୃହତ୍ ଉଠା ଜଳସେଚନ ଯୋଜନା’ କାର୍ଯ୍ୟକାରୀ କରିଥିଲେ ଓ ଏହାର ଉପଯୋଗିତାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଉକ୍ତ ଯୋଜନା ମାଧ୍ୟମରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ। ଏହି ଯୋଜନା ଅନ୍ତର୍ଗତ ଉପରୋକ୍ତ ପ୍ରକଳ୍ପ ମାଧ୍ୟମରେ ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର ଜିଲାରେ ପ୍ରାୟ ୫୫ହଜାର ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ତ୍ବରାନ୍ବିତ ହୋଇପାରିବ। ଅନୁଗୋଳ ଓ ଢ଼େଙ୍କାନାଳ ଜିଲାରେ ମଞ୍ଜୋର ଜଳଭଣ୍ଡାର, ବ୍ରାହ୍ମଣୀ ନଦୀ, ରେଙ୍ଗାଲି ବାମ ପାର୍ଶ୍ବ ମୁଖ୍ୟ କେନାଲ ଏବଂ ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ମୁଖ୍ୟ କେନାଲରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ଦ୍ବାରା ୧୯,୨୪୨ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିବ। ଏହାସହିତ ପ୍ରକଳ୍ପ ଗୁଡିକର ବିଦ୍ୟୁତ ସଂଯୋଗୀକରଣ ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଞ୍ଚଶହ ତେୟାଳିଶି କୋଟି କୋଡିଏ ଲକ୍ଷ ଟଙ୍କା ଓ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ନିମିତ୍ତ ତେୟାଳିଶି କୋଟି ଷାଠିଏ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ପ୍ରକଳ୍ପଟି ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି। ସେହିପରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ଖଡ଼ଖାଇ ଜଳଭଣ୍ଡାର, ଖଇରୀ ନଦୀ, ବୁଢ଼ାବଳଙ୍ଗ, କଣ୍ଟାଖଇରୀ ଓ ସୀମାକୋଇ ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥାରେ ଏହି ଦୁଇ ଜିଲାରେ ୧୫ହଜାର ୯୦ ହେକ୍ଟର ଜମିକୁ ଜଳସେଚନ କରାଯିବ। ଏଥିଲାଗି ୪୨୩.୭୯ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି। ୧୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଲାଗି ୩୩.୯୮କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟ ରହିଛି।
ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଏହି ବ୍ୟବସ୍ଥା ଜରିଆରେ ଜିଲାର ୯୯୦୦ହେକ୍ଟର ଜମିକୁ ଜଳସେଚନ କରାଯିବ। ଏଥିଲାଗି ୩୯୧.୪୨କୋଟି ଟଙ୍କା ଏବଂ ଏହାର ୧୫ବର୍ଷର ରକ୍ଷଣାବେକ୍ଷଣ ଲାଗି ୩୧.୪୦କୋଟି ଟଙ୍କା ଖର୍ଚ୍ଚ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ ଦେଇଛି। ସେହିପରି ଜିଲାରେ ଆଉ ଏକ ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା କରାଯିବ। ଏହାଦ୍ବାରା ୯୭୦୨ ହେକ୍ଟର ଜମିକୁ ଜଳସେଚନ ହେବ। ଏଥିଲାଗି ୩୬୯.୬୫ କୋଟି ଏବଂ ଏହାର ୧୫ବର୍ଷର ରକ୍ଷଣାବେକ୍ଷଣ ଲାଗି ୨୯.୯୫କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ନବରଙ୍ଗପୁରର କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।
ରାଜ୍ୟରେ ସାର ସଂଗ୍ରହ ଓ ଆଗୁଆ ମହଜୁଦ ଲାଗି କର୍ପସ ପାଣ୍ଠିର ପରିମାଣ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ବର୍ତ୍ତମାନ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ ୨୦ରୁ ୨୫ ପ୍ରତିଶତ ସାର ମହଜୁଦ କରାଯାଉଛି। ଏଥିପାଇଁ ୯୦ କୋଟି ଟଙ୍କା ବାର୍ଷିକ ବ୍ୟବସ୍ଥା କରାଯାଇଥିବାବେଳେ ଆଗାମୀ ବର୍ଷଠାରୁ ଏହାକୁ ୧୫୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ୫ବର୍ଷ(୨୦୨୩-୨୪ରୁ ୨୦୨୭-୨୮) ଲାଗି ୭୦୦କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ଏହାବାଦ୍ ସଘନ କୃଷି କାର୍ଯ୍ୟକ୍ରମ ସହିତ ବିଲୁପ୍ତ ପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ହୋଇଛି। ନୂତନ ଭାବେ ପ୍ରଣୟନ କରାଯାଇଥିବା ‘ମୁଖ୍ୟମନ୍ତ୍ରୀ ମକା ମିଶନ’ ଏହି ଯୋଜନାରେ କାର୍ଯ୍ୟକାରୀ ହେବ। ଯାହାଦ୍ବାରା ରାଜ୍ୟରେ ମକା ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବ। ଏହାକୁ ମୂଲ୍ୟଯୁକ୍ତ କରାଯିବା ସହିତ ବଜାରୀକରଣର ସୁବିଧା ଉପଲବ୍ଧ ହୋଇପାରିବ ବୋଲି ଶ୍ରୀ ଜେନା କହିଥିଲେ।
କଳା,ସାହିତ୍ୟ…
Comments are closed.