www.samajalive.in
Monday, December 15, 2025
16.1 C
Bhubaneswar

କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ପ୍ରୟାସ

ଶ୍ରୀକାନ୍ତ, ଜୟଦେବ ଅନୁପସ୍ଥିତ; ଦଳ ଛାଡ଼ିଲେ କୋରାପୁଟର ଶିବ

ଭୁବନେଶ୍ୱର : ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେବା ପରେ ଅଣନିଃଶ୍ୱାସୀ ହୋଇ ପଡିଥିବା କଂଗ୍ରେସରେ ନେତା ଠାରୁ କର୍ମୀ ସଂଗଠିତ ହେବାର ସୁଯୋଗ ପାଇଛନ୍ତି। ତୃଣମୂଳସ୍ତରରୁ କର୍ମୀ ଓ ନେତାମାନଙ୍କୁ ନେଇ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନୂଆ ରଣକୌଶଳ ଆପଣେଇଛନ୍ତି। ପିସିସି ସଭାପତି ଭାବେ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ନେବାପରେ କଂଗ୍ରେସ ଭବନରେ ପ୍ରଭାରୀ ଶ୍ରୀ ସିଂହ ନବନିଯୁକ୍ତ ତିନିଜଣ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ବିଧାୟକ ନବ ଦାସ, ପ୍ରଦୀପ ମାଝୀ, ଏଆଇସିସିର ୩ ସମ୍ପାଦକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସଙ୍କ ସମେତ ବିରୋଧୀ ଦଳ ନେତା, ଦଳର ବିଧାୟକ ଓ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକମାନଙ୍କ ସହ ଆଲୋଚନା କରି କେନ୍ଦ୍ରର ବିଜେପି ଓ ରାଜ୍ୟର ଶାସକ ବିଜେଡିକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ବିଚାରବିମର୍ଶ କରିଛନ୍ତି। ୩୩ ଜଣ ଜିଲା ସଭାପତିମାନଙ୍କ ସହିତ ଆଲୋଚନା କରି କିଭଳି ସଂଗଠନକୁ ଆଗକୁ ବଢାଇ ହେବ ସେ ସମ୍ପର୍କରେ ମନ୍ତ୍ର ଦେଇଛନ୍ତି। କଂଗ୍ରେସ ଭବନରେ ଦଳର ଛାମୁଅାଁ ସଙ୍ଗଠନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ, ମହିଳା କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ଓ ଛାତ୍ର କଂଗ୍ରେସ ନେତାଙ୍କ ସହିତ ଆଲୋଚନା କରି ଦଳରେ ଏକତା ଓ ଶୃଙ୍ଖଳା ରକ୍ଷା ଲାଗି ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନା ଓ ପୂର୍ବତନ ପିସିସି ସଭାପତି ତଥା ଏବର ପିସିସି କୋର୍‌ କମିଟି ଅଧ୍ୟକ୍ଷ ଜୟଦେବ ଜେନା ଅନୁପସ୍ଥିତ ଥିଲେ। ଏକ ରାଲିରେ ଯୋଗଦେବା ପାଇଁ ସେ ଦିଲ୍ଲୀ ଆସିଥିବା ଜୟଦେବ କହିଛନ୍ତି। ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧି ଓଡ଼ିଶା ପାଇଁ ଯେଉଁ ନୂଆ ଟିମ୍‍ ଗଠନ କରିଛନ୍ତି ସବୁ ଦୃଷ୍ଟିରୁ ସନ୍ତୁଳନ ରଖିବା ପାଇଁ ଉଦ୍ୟମ କରିଛନ୍ତି। ଏଆଇସିସିର ୩ଜଣ ସମ୍ପାଦକଙ୍କୁ ୩ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କ ସହ ରହି କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଭାରୀ ଶ୍ରୀ ସିଂ ଦାୟିତ୍ୱ ବଣ୍ଟନ କରିଛନ୍ତି। ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ସହିତ ଏଆଇସିସି ସମ୍ପାଦକ ଶେଖ୍‍ ମସ୍ତାନ ୱାଲିଙ୍କୁ ପଶ୍ଚିମ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ଅନ୍ୟତମ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ସହିତ ଏଆଇସିସି ସମ୍ପାଦକ ରୁଦ୍ର ରାଜୁଙ୍କୁ ଉପକୂଳ ଦାୟିତ୍ୱ ଦିଆଯାଇଛି। ଦକ୍ଷିଣ ଓଡ଼ିଶା ଦାୟିତ୍ୱରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଏଆଇସିସି ସମ୍ପାଦକ ଅନିଲ ଚୌଧୁରୀଙ୍କୁ ରଖାଯାଇଛି। ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମାଙ୍କୁ ଛାମୁଅାଁ ସଙ୍ଗଠନ ସହିତ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଜିଲା ଦାୟିତ୍ୱ ଏବଂ ନିର୍ବାଚନ ପ୍ରକ୍ରିୟା ଦାୟିତ୍ୱ ଦିଆଯାଇଛି। ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ଯେ ସାମାଜିକ ନ୍ୟାୟ, ଆଞ୍ଚଳିକ ବୈଷମ୍ୟ, ଆଦିବାସୀ ଦଳିତଙ୍କ ପାଇଁ ରାଜ୍ୟରେ ଚାକିରି ଖାଲି ପଡିଥିବା ସ୍ଥାନ ପୂରଣ, ଚାଷୀ ଋଣ ଛାଡ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଦଳରେ ଏକତା ଫେରିଛି ଏଣିକି ବିଜେପି ଓ ବିଜେଡି ବିରୁଦ୍ଧରେ ଏକାଠି ହୋଇ ଲଢିବୁ ଓ ସଫଳତା ପାଇବୁ। ଦଳରେ ଏକତା ଓ ଶୃଙ୍ଖଳା ରଖି କାର୍ଯ୍ୟ କରିବାକୁ କର୍ମକର୍ତ୍ତାଙ୍କୁ ବୈଠକରେ କୁହାଯାଇଛି। ନିର୍ବାଚନ ଆଉ ମାତ୍ର ୧ ବର୍ଷରୁ କମ୍‍ ସମୟ ରହିଥିବାବେଳେ ଆଗୁଆ ପ୍ରାର୍ଥୀ ମନୋନୟନ ପାଇଁ ଦଳ ନିଷ୍ପତ୍ତି ନେଇଛି। ଯେଉଁ ଜିଲା ସଭାପତିମାନେ ସଠିକ୍‍ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ ୧ ମାସ ମଧ୍ୟରେ ପରିବର୍ତ୍ତନ କରିବାକୁ ଦଳ ଗୁରୁତର ସହ ବିଚାର କରୁଛି। ବିଶେଷ କରି ସାମାନ୍ୟ କଥାକୁ ନେଇ ଦଳୀୟ କନ୍ଦଳ ଓ ମତପାର୍ଥକ୍ୟ ଦୂର ପାଇଁ ଦଳ ଧ୍ୟାନ ଦେବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି। ଗତକାଲି ସମାବେଶରେ ଏକତା ପାଇଁ ସବୁ ନେତା ଆହ୍ୱାନ ଦେଇଛନ୍ତି। ୧୯୯୫ରେ କଂଗ୍ରେସର ୧୦ଜଣ ବିଧାୟକ ରହିଥିଲେ କିନ୍ତୁ କଂଗ୍ରେସ ଶାସନ କ୍ଷମତାକୁ ଫେରିଥିଲା। ସେହି ଢଙ୍ଗରେ କାମ କରିବାକୁ ଦଳର କର୍ମକର୍ତ୍ତା, ଛାମୁଆ ସଙ୍ଗଠନ ବିଭିନ୍ନ ସେଲର ନେତୃମଣ୍ଡଳୀକୁ ତତ୍ପରତା ସହ କାର୍ଯ୍ୟ କରିବାକୁ କୁହାଯାଇଛି। ଏହି ବୈଠକରେ ଏଆଇସିସି ସମ୍ପାଦକ ଶେଖ୍‍ ମସ୍ତାନ ୱାଲି, ଅନିଲ ଚୌଧୁରୀ, ରୁଦ୍ର ରାଜୁ, ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

    ନୂଆ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପିସିସିର ପ୍ରଥମ ବୈଠକ କରିଥିବାବେଳେ ବରିଷ୍ଠ ନେତା ତଥା ପୂର୍ବତନ ଜିଲା ସଭାପତି ଶିବ ପ୍ରସାଦ ପଟ୍ଟନାୟକ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୩୦ବର୍ଷ ଧରି ଦଳ ପାଇଁ କାମ କରିଥିଲେ ହେଁ ତାଙ୍କୁ ଉପେକ୍ଷା କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଦଳର ବିପର୍ଯ୍ୟୟ ପାଇଁ ଶ୍ରୀ ପଟ୍ଟନାୟକ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଦାୟୀ କରିଥିବାବେଳେ ନୂଆ ପିସିସିରେ କୋରାପୁଟର ଟାଣୁଆ ନେତା ତାରା ବାହିନୀପତିଙ୍କୁ କୌଣସି ପଦ ମିଳି ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories