ମହାପ୍ରଭୁଙ୍କ ନୀତି ବିଭ୍ରାଟ ନ ହେଉ: ମୁଖ୍ୟ ପ୍ରଶାସକ

0

ଭୁବନେଶ୍ୱର: ନୀତି ବିଭ୍ରାଟ ଯୋଗୁଁ ଶ୍ରୀଜୀଉ ଗତ କାଲି ଓପାସ ରହିଥିଲେ। ଗତ କାଲି ରନ୍ଧାଯାଇଥିବା ଅମଣିଆ ଭୋଗ ଆଜି କୋଇଲିବୈକୁଣ୍ଠରେ ପାତାଳି କରାଯାଇଛି। କ୍ଷତିପୂରଣ ଦାବିରେ ସୁଆର-ମହାସୁଆର ନିଯୋଗ ଧାରଣାରେ ବସିଛନ୍ତି। ଜିଲାପାଳ ଓ ମନ୍ଦିର ପ୍ରଶାସନ ଅସନ୍ତୁଷ୍ଟ ସେବାୟତଙ୍କ ସହିତ ଆଲୋଚନା କରିଥିଲେ ହେଁ କୌଣସି ସମାଧାନର ସୂତ୍ର ବାହାରି ପାରି ନଥିବା ଜଣାପଡ଼ିଛି।
ଅପରପକ୍ଷରେ ଏହି ନୀତି ବିଭ୍ରାଟ ପାଇଁ ସେବାୟତମାନଙ୍କୁ ଦାୟୀ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ଶ୍ରୀ ଜେନା କହିଛନ୍ତି ଯେ ଜଗମୋହନ ଖୋଲିବା ପରେ ହାଇକୋର୍ଟଙ୍କ ରାୟକୁ ଅନୁପାଳନ କରାଯାଇଥିଲା। ମାତ୍ର ତାହାକୁ ଆଳ କରି କିଛି ସେବାୟତ ନୀତିକାନ୍ତିରେ ଅସହଯୋଗ କରିଥିଲେ। ଯଦି କିଛି ଆପତ୍ତି ଅଭିଯୋଗ ରହିଛି ତେବେ ସେମାନେ ହାଇକୋର୍ଟରେ ପକ୍ଷ ରଖନ୍ତୁ। କିନ୍ତୁ ନୀତିକାନ୍ତିରେ ସହଯୋଗ କରନ୍ତୁ ବୋଲି ଆଲୋଚନା ବେଳେ କୁହାଯାଇଥିଲା। ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦେଶ ଅନୁଯାୟୀ ପୁଣି ନୀତିକାନ୍ତି ପାଳିତ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହାକୁ କିଛି ସେବାୟତ ନିଯୋଗ ନ ଶୁଣିବାରୁ ବିଭ୍ରାଟ ଦେଖାଦେଇଥିଲା। କୌଣସି ସେବାୟତଙ୍କୁ ପାରମାଣିକ କ୍ଷତି ପହଞ୍ଚାଇବା ପ୍ରଶାସନର ଉଦ୍ଦେଶ୍ୟ ନାହିଁ। କିନ୍ତୁ ସବୁ ବିବାଦ ଓ ମତାନ୍ତର ସତ୍ତେ୍ୱ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ସୂଚାରୁ ରୂପେ ସମ୍ପନ୍ନ ହେବ ସେଥିପ୍ରତି ଦୃଷ୍ଟି ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଶ୍ରୀ ଜେନା କହିଛନ୍ତି।

Leave A Reply