BJD Bijuli 480×75 Mob

ଖୋଲିବ ବ୍ରହ୍ମ ବିଭ୍ରାଟ ଗୁମର

BJD Bijuli 480×75 Mob
0

ପୁରୀ: ତିନିବର୍ଷ ପରେ ଖୋଲିବ ବ୍ରହ୍ମ ବିଭ୍ରାଟ ଗୁମର। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଙ୍ଗଳବାର ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯିବ। ଶ୍ରୀଜୀଉଙ୍କ ବ୍ରହ୍ମ ସଂସ୍ଥାପନ ବିଭ୍ରାଟ ପାଇଁ ଦାୟୀ ସେବକଙ୍କ ନାମ ପ୍ରଘଟ ହେବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ରିପୋର୍ଟ ୭ମାସ ହେଲା ଷ୍ଟ୍ରଙ୍ଗରୁମ୍‌ରେ ତାଲାପଡି ରହିଛି। ତଦନ୍ତ ସମୟରେ ସେ ପ୍ରାୟ ୧୫ଜଣ ସେବକଙ୍କ ବୟାନ ରେକର୍ଡ କରିଥିଲେ। ୨୦୧୫ ଜୁନ୍‌ ୧୫ତାରିଖ ବିଳମ୍ବିତ ରାତିରେ ନୂତନ ବିଗ୍ରହଙ୍କ ବ୍ରହ୍ମ ସଂସ୍ଥାପନ ପାଇଁ ନୀତି ନିର୍ଦ୍ଧାରଣ ହୋଇଥିଲା । ଏହା ଅତ୍ୟନ୍ତ ଗୋପନୀୟ ସେବା ହୋଇଥିବାରୁ କେବଳ ବାଡ଼ଗ୍ରାହୀ ଦଇତାପତି ବ୍ରହ୍ମ ପରିବର୍ତ୍ତନ କରିବା କଥା। କିନ୍ତୁ ଦଇତାପତି ସେବକଙ୍କ ମଧ୍ୟରେ ବ୍ରହ୍ମ ଦର୍ଶନକୁ କେନ୍ଦ୍ରକରି ବିବାଦ ଦେଖା ଦେଇଥିଲା। ବ୍ରହ୍ମ ଦେଖିବାକୁ କିଛି ଦଇତା ଜିଦ୍‌ ଧରିଥିଲେ। ସେଥିରୁ କେତେଜଣ ବଳପୂର୍ବକ ଭିତରେ ଧସେଇ ପଶିଥିଲେ। ଏଥିଯୋଗୁଁ ନିଶାର୍ଦ୍ଧରେ ହେବାକୁଥିବା ଶ୍ରୀଜୀଉଙ୍କ ବ୍ରହ୍ମ ପରିବର୍ତ୍ତନ ପରଦିନ ଦ୍ୱିପ୍ରହରରେ ହୋଇଥିଲା।
ଏହି ଘଟଣା ଦେଶର କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଥିଲା। ରାଜ୍ୟସାରା ଓକିଲମାନେ ଆନ୍ଦୋଳନ କରିଥିଲେ। ଓଡ଼ିଶା ବନ୍ଦ ହୋଇଥିଲା। ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଜଣ ଦଇତାପତି ସେବକଙ୍କୁ ନିଲମ୍ବନ କରାଯାଇଥିଲା । ତତ୍କାଳୀନ ମୁଖ୍ୟ ପ୍ରଶାସକ ତଥା ବର୍ତ୍ତମାନର ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଘଟଣାର ତଦନ୍ତ କରି ମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଇଛନ୍ତି । ନୂତନ ବିଗ୍ରହ ନିର୍ମାଣରେ ବିଳମ୍ବ ନା ଦଇତାପତିଙ୍କ ବିବାଦ ଯୋଗୁଁ ବ୍ରହ୍ମ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା ତଦନ୍ତ ରିପୋର୍ଟ ପ୍ରଘଟ ହେବାପରେ ତାହା ଲୋକଲୋଚନକୁ ଆସିବ। ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ଏଜେଣ୍ଡାରେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ଉପସ୍ଥାପନ ହେବାର କାର୍ୟ୍ୟକ୍ରମ ରହିଛି।
ସେହିପରି ଶ୍ରୀମନ୍ଦିର ପ୍ରଶାସନିକ ସଂସ୍କାର କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସଙ୍କ ରିପୋର୍ଟ ମଧ୍ୟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବ। ଗର୍ଭଗୃହରେ ସର୍ବସାଧାରଣ ଦର୍ଶନ ବନ୍ଦ, ରୋଷଶାଳା ପୁନରୁଦ୍ଧାର ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ତଦନ୍ତ କମିଶନ ସରକାରଙ୍କୁ ସୁପାରିସ କରିଥିଲେ। ପରିଚାଳନା କମିଟିରେ ଅନୁମୋଦନ ପରେ ତାହାକୁ କାର୍ୟ୍ୟକାରୀ କରାଯିବ। ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ମରାମତି ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆୟବ୍ୟୟ ଅଟକଳ ପରିଚାଳନା କମିଟି ଅନୁମୋଦନ କରିବ। ୭ମାସ ପରେ କମିଟି ବୈଠକ ବସୁଥିବାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିବେ। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ପାଇଁ ପ୍ରଶାସନ ଗ୍ରହଣ କରିଥିବା ନିଷ୍ପତ୍ତି ପରିଚାଳନା କମିଟିରେ ଅନୁମୋଦନ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply