BJD Bijuli 480×75 Mob

୨୦ରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ

BJD Bijuli 480×75 Mob

କଲମ୍ବୋ : ଶ୍ରୀଲଙ୍କାର ରାଜନୈତିକ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ଆବେୱର୍ଦ୍ଧନା କାମଚଳା ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ ଏବଂ ଆସନ୍ତା ୨୦ରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ଆପାତତଃ ଧାର୍ଯ୍ୟ ହୋଇଛି। ଜୁଲାଇ ୧୫ରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ବସିବ ବୋଲି ସୋମବାର ବାଚସ୍ପତିଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଖୁବ୍ ଶୀଘ୍ର ଏକ ସର୍ବଦଳୀୟ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ ଏବଂ ଆସନ୍ତା ବର୍ଷ ମାର୍ଚ୍ଚରେ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ପର୍ଯ୍ୟନ୍ତ ଆୱେବର୍ଦ୍ଧନା ରାଷ୍ଟ୍ରପତି ରହିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଇତିମଧ୍ୟରେ କ୍ୟାବିନେଟ୍‌ ମନ୍ତ୍ରୀ ୱିଜେଦାସା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାଦ୍ବାରା ସର୍ବଦଳୀୟ ସରକାର ଗଠନ ପାଇଁ ରାସ୍ତା କ୍ରମଶଃ ସ୍ପଷ୍ଟ ହେଉଛି। ଚଳିତ ସପ୍ତାହରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ଅନ୍ୟ ବୈଦେଶିକ ପ୍ରତିନିଧି ଦଳଙ୍କର କଲମ୍ବୋ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେ ସୋମବାର ସନ୍ଧ୍ୟାରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତ। ଅଜ୍ଞାତ ସ୍ଥାନରେ ଥିବା ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷ ପୂର୍ବ ଘୋଷଣା ଅନୁସାରେ ୧୩ତାରିଖ, ବୁଧବାର ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏପରିସ୍ଥଳେ ବିରୋଧୀ ଦଳ ନେତା ସାଜିତ ପ୍ରେମଦାସା କହିଛନ୍ତି ଯେ, ସେ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି; ତେବେ ଡଲାସ୍‌ ଆଲ୍ଲାପେରୁମାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବେ। ଦେଶର ଦୁଇ ବିରୋଧୀ ଦଳ ସାମାଗି ଜନ ବଲୱେଗୟା ଓ ଶ୍ରୀଲଙ୍କା ଫ୍ରିଡମ୍‌ ପାର୍ଟି ପକ୍ଷରୁ କୌଣସି ପରିସ୍ଥିତିରେ ରାଜପକ୍ଷ କିମ୍ବା ବିକ୍ରମସିଂହେ ଯେମିତି କ୍ଷମତାକୁ ନ ଫେରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଘୋଷଣା କରାଯାଇଛି।

Comments are closed.