www.samajalive.in
Sunday, December 14, 2025
23.1 C
Bhubaneswar

କାନ୍ଥ କାହାଣୀ

କାନ୍ଥ କଥା କହିଲେ, ପ୍ରଥମେ ସୁରକ୍ଷାର କଥା ମନକୁ ଆସିଥାଏ। ଘର ଭିତରର କାନ୍ଥଗୁଡିକ ଆମକୁ ଖରା, ବର୍ଷା, ଶୀତ, ବନ୍ୟଜନ୍ତୁ, ଚୋର ଇତ୍ୟାଦିରୁ ସୁରକ୍ଷା ପ୍ରଦାନ କରିଥାଏ। ମନୁଷ୍ୟର ଆବଶ୍ୟକତାଗୁଡିକୁ ଶ୍ରେଣୀଭୁକ୍ତ କଲେ, ସୁରକ୍ଷାର ଆବଶ୍ୟକତା ନିଶ୍ଚିତ ଭାବରେ ପ୍ରାଧାନ୍ୟ ରଖେ। ଚୀନର ବିଶାଳ ପ୍ରାଚୀରର କାନ୍ଥଗୁଡିକ ଚୀନକୁ ବାହ୍ୟଶତ୍ରୁ କବଳରୁ ସୁରକ୍ଷା ପ୍ରଦାନ ନିମନ୍ତେ ଗଠନ କରାଯାଇଥିଲା। ୨୧୧୯୬ କିଲୋମିଟର ଦୀର୍ଘ ଏହି ପ୍ରାଚୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ। ବର୍ଲିନର ପ୍ରାଚୀରର କାନ୍ଥ ହେଉ କିମ୍ବା ଟ୍ରୟ ନଗରୀର ପ୍ରାଚୀର (ଯାହା ହୋମରଙ୍କ ଇଲିଆଡ‌େ‌ର ବର୍ଣିତ) ସବୁ ବାହ୍ୟ ଶତ୍ରୁଠାରୁ ନଗରୀର ସୁରକ୍ଷା ନିମିତ୍ତ ନିର୍ମିତ ହୋଇଛି।

କାନ୍ଥ ଖାଲି ମାଟି ସିମେଣ୍ଟରେ ଗଢା ଅସାଡ଼ ଦେହଟିଏ ନୁହଁ, ସେ ବି କେବେକେବେ କହେ ଏତିହ୍ୟର କଥା; ପୁଣି କେବେ ସଂସ୍କୃତି ଓ ଇତିହାସର ଗାଥା। ୱାଶିଂଟନ ଡିସିରେ ଥିବା “ଭିଏତ୍‌ନାମ ଭେଟେରାନ୍ ମେମୋରିଆଲ’’ ତା ବକ୍ଷରେ ଭିଏତ୍‌ନାମ ଯୁଦ୍ଧରେ ସହିଦ ହୋଇଥିବା ଓ ଯୁଦ୍ଧରେ ହଜି ଯାଇଥିବା ପ୍ରତ୍ୟେକ ବୀରର ନାଁକୁ ସଗର୍ବ ତୋଳି ଧରିଛି। ଗୋଟିଏ ଛବି ବର୍ଣ୍ଣନା କରେ ହଜାରହଜାର ଶବ୍ଦର ଭାଷା। ତେଣୁ ପୁରାତନ ଗୁମ୍ଫାର କାନ୍ଥ ଖୋଦିତ ଚିତ୍ରରୁ ଐତିହାସିକମାନେ ଉନ୍ମୋଚନ କରନ୍ତି ଅନେକ ଅନ୍ଧାରି ମୁଲକର ଅଜଣା ରହସ୍ୟ, ଯାହା ନୂତନ ଯୁଗ ପାଇଁ ଆଲୋକବର୍ତ୍ତିକାଟିଏ ହୋଇ ବାଟ ଦେଖାଏ। କେବେ ମଗୁଶିର ମାସର କଅଁଳ ଖରାରେ ଲିପାପୋଛା ମାଟି କାନ୍ଥରେ ଝଟକି ଉଠୁଥାଏ ଅବଗୁଣ୍ଠନବତୀ ଓଡ଼ିଆଣୀର ହସ୍ତକଳାର ଅପୂର୍ବ ଚାତୁରୀ। ଆଜିକାଲି ତ ଅନେକ ଛୋଟବଡ଼ ସହରର କାନ୍ଥର ଚାରୁଚିତ୍ର ମଧ୍ୟ ଆଗନ୍ତୁକ ଅତିଥିକୁ ସହରର ଇତିବୃତ୍ତି ସହ ପରିଚିତ କରାଇଥାଏ। କାନ୍ଥ ଦେହରେ ଲେଖା ହୁଏ ସମାଜ ପାଇଁ କେତେ ବାର୍ତ୍ତା, କେତେ ସନ୍ଦେଶ। ଏଇ ଯେମିତି ମା’ ହେଲେ ପାଠୋଇ, ଦେଶ ଯିବ ଆଗେଇ; ସବୁଜ ସୁନ୍ଦର, ଆମ ଏଇ ସହର ଇତ୍ୟାଦି । କାନ୍ଥକୁ ନେଇ କେତେ ଲୋକକଥା। ଏଇ ଯେମିତି କାନ୍ଥର ବି କାନ ଥାଏ। ହଁ ଆଜ୍ଞା ବୋଧହୁଏ ଥାଏ। ନହେଲେ ଗୋଲକୁଣ୍ଡା ଦୁର୍ଗର ଫତେ ଦରଜାର ଶବ୍ଦ ଦୁର୍ଗର କାନ୍ଥ ଦେଇ ଦୁର୍ଗ ଉପରକୁ ଶୁଣାଯାଆନ୍ତା କେମିତି! କାନ୍ଥ କେବେ ସହନଶୀଳତାର ଜୀବନ୍ତ ମୂର୍ତ୍ତିଟିଏ। କଣ୍ଟାଟିଏ ବିଦ୍ଧ ହେବାର ବେଦନାର ଚିତ୍କାରକୁ ଯିଏ ନିଃଶବ୍ଦରେ ମିଳାଇ ଦେଇ ନିଜ ବକ୍ଷରେ ତୋଳି ଧରେ କେବେ ଘଣ୍ଟା, କେବେ କୃତି ଫଳକ କିମ୍ବା ନବବଧୂର ହସ୍ତକଳା ବିମଣ୍ଡିତ ଗୃହସଜ୍ଜା ଉପକରଣ ଖଣ୍ଡିକୁ। ପ୍ରଶଂସାରେ ଶତମୁଖ ହୁଏ ଗୃହସଜ୍ଜା ଉପକରଣଟି କିନ୍ତୁ କାନ୍ଥର ଅବଦାନ ପରଦା ଆଢୁଆଳରେ ରହିଯାଏ। ଅଙ୍ଗାରରେ ଲେଖାଥିବା ପ୍ରେମୀଯୁଗଳଙ୍କ ନାଁ ବୋହି କେବେ ପୁଣି ସିଏ ସ୍ମୃତିଟିଏ ।

- Advertisement -

ଯେବେ ସୁରକ୍ଷା ଓ ଐତିହ୍ୟର କଥା ଆସେ, ମା’ର ପଣତ କାନି ଭଳି କାନ୍ଥ ଖୁବ୍ ଅାପଣାର ଲାଗେ, କିନ୍ତୁ କାନ୍ଥ ଯେବେ ବିଭେଦ ଓ ବିଭାଜନର କଥା କହେ କନ୍ଥା ଭଳି ସାତ ସିଆଁ ହୁଏ ସମ୍ପର୍କ। ଗୋଟିଏ ବୁକୁଫଟା ହାହାକାର ଦୂର ଦିଗ୍‌ବଳୟ ସେ ପାଖରେ ମୁହଁ ଲୁଚାଇ କାନ୍ଦୁଥାଏ। କୁହାଯାଏ ଚୀନର ବିଶାଳ ପ୍ରାଚୀରର କାନ୍ଥକୁ ଅନ୍ତରୀକ୍ଷରୁ ମଧ୍ୟ ଦେଖି ହୁଏ। ବିଭାଜନର କାନ୍ଥ କିନ୍ତୁ ଖୁବ୍ ଅଦୃଶ୍ୟ । ଏହା ବାଲି, ସିମେଣ୍ଟରେ ତିଆରି କାନ୍ଥଠାରୁ ହଜାର ଗୁଣ ଶକ୍ତ ଓ ସୁଉଚ୍ଚ। ବାଲି ସିମେଣ୍ଟର କାନ୍ଥକୁ ବଳ ପ୍ରୟୋଗ କରି ଭାଙ୍ଗି ଦେଇ ହୁଏ କିନ୍ତୁ ବିଭେଦର କାନ୍ଥକୁ ଭାଙ୍ଗିବାକୁ ନିଜ ଚେତନାର ଜଡତାକୁ ଭାଙ୍ଗିବାକୁ ହୁଏ। ପୁରାତନ କାଳରୁ ସମାଜର କେତେ କେତେ ଅଦୃଶ୍ୟ କାନ୍ଥ ଯେମିତି କି ଛୁଆଁ-ଅଛୁଆଁ, କଳା-ଗୋରା, ମୁନିବ-କ୍ରୀତଦାସ, ଭଳି ଭେଦଭାବକୁ ଆମର ସମାଜ ସଂସ୍କାରକମାନେ ଚେତନା ଉଜ୍ଜୀବିତ କରି ଭାଙ୍ଗି ଦେଇଛନ୍ତି। ଏବେ ତ ଅଦୃଶ୍ୟ କାନ୍ଥ ଆମ ଚତୁର୍ଦିଗରେ। ବାପପୁଅ, ଭାଇ ଭାଇ, ପଡୋଶୀ-ପଡୋଶୀ, ଗାଆଁ- ଗାଆଁ, ରାଜ୍ୟ-ରାଜ୍ୟ, ଦେଶ-ଦେଶ ଭିତରେ କାନ୍ଥ। ଦେଖି ହୁଏ ନାହିଁ କିନ୍ତୁ ଅନୁଭବୀ ବୁଝେ ସେ ଯାତନା । ୧୯୪୭ ଅଗଷ୍ଟ ୧୪ର ବିଭାଜନର ଦୁଃଖ କଣ ଏଯାଏ ଭୁଲି ହୋଇଛି। ହୃଦୟ ଭିତରର ସେ କାନ୍ଥ ଏବେ ବି ପାହାଡ଼ ହୋଇ ଛିଡ଼ା ହୋଇଛି। ବାଲି ସିମେଣ୍ଟ ନୁହଁ, ବରଂ ଅହଙ୍କାର, ମିଥ୍ୟା ଆତ୍ମବଡ଼ିମା, ଈର୍ଷା, ପରଶ୍ରୀକାତରତାରେ ନିର୍ମିତ କାନ୍ଥ ଦେଇ ମନୁଷ୍ୟ ନିଜକୁ ଏମିତି ଅବରୋଧ କରିଛି ଯେ ନା କାହାକୁ ଶୁଣିପାରୁଛି ନା ବୁଝିପାରୁଛି। ନିଜର ଅହଂର ପ୍ରତିଧ୍ବନି ନିଜେ ଶୁଣୁଛି।

କାନ୍ଥ ଓ ସେତୁ ଗଢ଼ିବା ପାଇଁ ଉପାଦାନ ସମାନ; କିନ୍ତୁ ଆମେ ସେତୁ କମ୍ ଓ କାନ୍ଥ ଅଧିକ ତିଆରି ଥାଉ। ସେତୁ ମଣିଷକୁ ଯୋଡ଼େ, କିନ୍ତୁ କାନ୍ଥ ବିଭେଦ ସୃଷ୍ଟି କରେ। ରବର୍ଟ ଫ୍ରଷ୍ଟଙ୍କ ଲିଖିତ କବିତା ‘ମେଣ୍ଡିଂ ୱାଲ୍’ରେ କବି କହନ୍ତି, ମୋ ପଡୋଶୀର ଗାଈ ନାହିଁ କି ମୋର ମଧ୍ୟ ନାହିଁ, ଯେଉଁମାନେ ପରସ୍ପରର ସମ୍ପତ୍ତିକୁ ନଷ୍ଟ କରିବେ। ମୋ ବଗିଚାରେ ସେଓ ଗଛ, ପଡୋଶୀର ବଗିଚାରେ ପାଇନ୍.। ସେଓ ଗଛ କେବେ ପାଚେରି ଡେଇଁ ପାଇନ ଗଛକୁ ଖାଇଯିବ ନାହିଁ। ତଥାପି ଆମେ ନିରର୍ଥକ ଭାବେ ପାଚେରି ତିଆରି କରି ଚାଲିଛୁ। ଚାଲନ୍ତୁ ନା, ନିରର୍ଥକ ଭାବେ ଗଢି ଉଠୁଥିବା ଅହଙ୍କାରର କାନ୍ଥ ଭାଙ୍ଗି ପ୍ରୀତିର ସେତୁ ତିଆରିବା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories