www.samajalive.in
Sunday, December 14, 2025
19.1 C
Bhubaneswar

ବିତ୍ତୀୟ ସ୍ଥିତି, ସ୍ଥିରତା ଓ ସମୃଦ୍ଧି

ସ୍ବାଧୀନତା ପର ତିନିଦଶକରେ ଆମର ହାରହାରି ଅାର୍ଥିକ ଅଭିବୃଦ୍ଧି ହାର ୩.୫ ପ୍ରତିଶତ। ୧୯୮୦ ମସିହାପରେ ଏହି ଅଭିବୃଦ୍ଧି ହାର ହାରାହାରି ୫.୩ ପ୍ରତିଶତ। ୧୯୯୧ ମସିହାରେ ଉଚ୍ଚ ଅଭିବୃଦ୍ଧି ହାର ଏଭଳି ବିତ୍ତୀୟ ନିଅଣ୍ଟ ସୃଷ୍ଟି କଲା ଯେ ଆମେ ଦେବାଳିଆ ଅବସ୍ଥାକୁ ଆସିଗଲେ। ଏହା ସତ ଯେ ଏକ ଧାରଣୀୟ ଅଭିବୃଦ୍ଧି ପାଇଁ ଆମ ବ୍ୟବସ୍ଥାରେ ଥିବା ଅନେକ ସୂଚକମାନଙ୍କର ସ୍ଥିରତା ଦରକାର। କଲ୍ୟାଣକାରୀ ରାଷ୍ଟ୍ରର ଦ୍ବାହିଦେଇ ଆମ ଦେଶର ବିଭିନ୍ନ ସମୟର ସରକାର ଜନପ୍ରିୟ ହେବା ପାଇଁ ଖର୍ଚ୍ଚ କରିଚାଲିଲେ। ସମଷ୍ଟିଗତ ଅର୍ଥନୀତିରେ ବିଭିନ୍ନ ସୂଚକ ଯାହା ସମତା, ସମୃଦ୍ଧି ଓ ସ୍ଥିରତା ସୂଚାଏ ସେଗୁଡ଼ିକର ସାମୂହିକ ଭାରସାମ୍ୟ ରକ୍ଷାହେବା ଜରୁରୀ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅତ୍ୟଧିକ ଖର୍ଚ୍ଚ ରାଜକୋଷୀୟ ନିଅଣ୍ଟ, ଦରଦାମ ବୃଦ୍ଧି ସହ ବିଦେଶୀ ମୁଦ୍ରା ଉପରେ ପ୍ରଭାବ ପକାଏ। ଆମର ଦୁର୍ବଳତା ଅଛି ଓ ସଂକଟ ସମୟରେ ଏହି ଦୁର୍ବଳତା ବହୁ ଗୁଣରେ ବଢ଼ିଯାଏ। ଆମର ବଡ଼ ଦୁର୍ବଳତା ହେଲା ବିତ୍ତୀୟ ନିଅଣ୍ଟ। ଏହି ପ୍ରବନ୍ଧରେ ଆମେ ବିତ୍ତୀୟ ନିଅଣ୍ଟ ଓ ତା’ର ସୁଦୂରପ୍ରସାରୀ ପ୍ରଭାବ ଉପରେ ଆଲୋଚନା କରିବା।

ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୁଦାୟ ବିତ୍ତୀୟ ନିଅଣ୍ଟ ମୋଟ ଘରୋଇ ଉତ୍ପାଦର ୧୦ ପ୍ରତିଶତ। ୨୦୨୦-୨୧ ମସିହାରେ କରୋନା ପାଇଁ କେବଳ କେନ୍ଦ୍ର ସରକାରଙ୍କର ବିତ୍ତୀୟ ନିଅଣ୍ଟ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୯.୬ ପ୍ରତିଶତ ଥିଲା, ୨୦୨୧-୨୨ ମସିହାରେ ୬.୯ ପ୍ରତିଶତ ଓ ୨୦୨୨-୨୩ ପାଇଁ ଅର୍ଥମନ୍ତ୍ରୀ ୬.୪ ପ୍ରତିଶତ ରଖିଲେ। ବିତ୍ତୀୟ ନିଅଣ୍ଟ ୨୦୦୭-୦୯ ମାନ୍ଦାବସ୍ଥା ପୂର୍ବରୁ ଜିଡିପିର ୨.୫ ପ୍ରତିଶତ ଥିଲା, ଯାହା ଅର୍ଥମନ୍ତ୍ରୀ ଭାବେ ପ୍ରଣବ ମୁଖାର୍ଜୀ ୬.୯ ପ୍ରତିଶତ କରିଥିଲେ, ଯେତେବେଳେ ସେ ୨୦୦୯ ଜାନୁଆରୀରେ ସ୍ବଳ୍ପ ସମୟ ପାଇଁ ଦାୟିତ୍ବ ନେଇଥିଲେ; କିନ୍ତୁ ଏବେ ୯.୦ ନିଅଣ୍ଟିଆ କେନ୍ଦ୍ର ସରକାରଙ୍କ ଆରମ୍ଭବିନ୍ଦୁ ହୋଇଗଲା। ଏବର ଅର୍ଥମନ୍ତ୍ରୀ ୨୦୨୫-୨୬ ମସିହା ବେଳକୁ ଧୀରେଧୀରେ ଏହି ନିଅଣ୍ଟିଆକୁ ୪.୫ ପ୍ରତିଶତରେ ସୀମିତ ରଖିବାକୁ ସ୍ଥିର କରିଛନ୍ତି। ଏବେ ସାରା ବିଶ୍ବ ଆର୍ଥିକ ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ଦେବାରେ ବ୍ୟସ୍ତ। ଯାହା ଜଣାପଡ଼ୁଛି, ଏବେ ଏହା ଗୋଟେ ଫେସନ ହୋଇଯାଇଛି। ବିଭିନ୍ନ ରାଜ୍ୟ ବିଭିନ୍ନ ପ୍ରକାରର ସହାୟତା ଦେବାରେ ବ୍ୟସ୍ତ। କରୋନା କାଳରେ ଆମେରିକା ବିଶ୍ବରେ ସର୍ବାଧିକ ସରକାରୀ ସହାୟତା ଓ ବିତ୍ତୀୟ ପ୍ରୋତ୍ସାହନ ଦେଇଥିବା ଦେଶ ଥିଲା, ଯାହାର ପରିଣାମ ଏବେ ଭୋଗୁଛି; ଦରବୃଦ୍ଧି ଗଲା ୪୦ ବର୍ଷ ଭିତରେ ସର୍ବାଧିକ ହୋଇଛି। ଆମ ଦେଶରେ ରାଜନୀତି ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳ ଅଧିକ ସରକାରୀ ସହାୟତା, ବିତ୍ତୀୟ ପ୍ରୋତ୍ସାହନ ଅଧିକନ୍ତୁ ବଜେଟ୍‌ରେ ଅଧିକ ବ୍ୟୟ ବରାଦ ଓ ଟିକସ ହ୍ରାସକୁ ପୂର୍ଣ୍ଣ ସମର୍ଥନ ଦିଅନ୍ତି; ହେଲେ ବ୍ୟୟ ହ୍ରାସ ଓ ଟିକସ ବୃଦ୍ଧିକୁ ରାଜନୈତିକ ସମର୍ଥନ ମିଳେନା। ତେଣୁ କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ୧ ପ୍ରତିଶତ ମଧ୍ୟ କମାଇବା ଏକ କଷ୍ଟକର ବ୍ୟାପାର। ଏପରି କି ଅରୁଣ ଜେଟଲି ତାଙ୍କ ପାଞ୍ଚବର୍ଷ କାର୍ଯ୍ୟକାଳ ମଧ୍ୟରେ କୌଣସି ପ୍ରକାରେ ୧.୦ ପ୍ରତିଶତ କମାଇଥିଲେ। ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠି (ଆଇଏମଏଫ) କହନ୍ତି ଯେ ଭାରତର ଉଚ୍ଚ ବିତ୍ତୀୟ ନିଅଣ୍ଟ ଦେଶର ଋଣ ଓ ସୁଧଭାର ବଢ଼ାଉଛି।

- Advertisement -

ଏହି ବାବଦରେ ବାର୍ଷିକ ସୁଧଦେୟ ଦେଶର ସମୁଦାୟ ରାଜସ୍ବ ଆଦାୟର ୩୦.୦ ପ୍ରତିଶତ ଯାହା ଦେଶମାନଙ୍କର ମଧ୍ୟମା ୧୦.୦ ପ୍ରତିଶତ ସମୁଦାୟ ରାଜସ୍ବ ଆଦାୟର ସୁଧଦେୟ। ସାଧାରଣତଃ ଦେଶମାନେ ମାନ୍ଦାବସ୍ଥା ସମୟରେ ବିତ୍ତୀୟ ପ୍ରୋତ୍ସାହନ ଓ ସରକାରୀ ସହାୟତା ପ୍ରଦାନ କରିଥାଆନ୍ତି। ଉଭୟ ପଥ ଭୟଙ୍କର ଓ କ୍ଷତିକାରକ। ସରକାରୀ ସହାୟତା ଓ ବିତ୍ତୀୟ ପ୍ରୋତ୍ସାହନ ଦେବାରେ ମୋଟ ସହାୟତା ଓ ପ୍ରୋତ୍ସାହନର କେନ୍ଦ୍ର ସରକାରଙ୍କ ଭାଗ ୩୫.୩୭ ପ୍ରତିଶତ ଯାହା ପାଖାପାଖି ସମସ୍ତ ରାଜ୍ୟ ସରକାରଙ୍କର ସରକାରୀ ସହାୟତା ଓ ପ୍ରୋତ୍ସାହନର ଅଧା। ଦୁଇପ୍ରକାର ସହାୟତା ଓ ପ୍ରୋତ୍ସାହନ ଥାଏ ଯେପରି କି ଉତ୍କୃଷ୍ଟ ଓ ଅପକୃଷ୍ଟ (ମେରିଟ୍‌ ଓ ନନ୍‌ ମେରିଟ)। ସମୁଦାୟ ସହାୟତା ଓ ପ୍ରୋତ୍ସାହନରେ ଅପକୃଷ୍ଟର ଭାଗ ଆମ ଦେଶରେ ଯଥେଷ୍ଟ ଅଧିକ। ଅପକୃଷ୍ଟ ସରକାରୀ ସହାୟତା ଓ ପ୍ରୋତ୍ସାହନର ଅସୁଲ ହାର ମାତ୍ର ୧୨.୧୩ ପ୍ରତିଶତ। ଏବେ କେନ୍ଦ୍ର ସରକାର ସରକାରୀ ସହାୟତା ଓ ବିତ୍ତୀୟ ପ୍ରୋତ୍ସାହନକୁ ନେଇ ବିବ୍ରତ ଓ ଆସନ୍ତା ବର୍ଷଠାରୁ ପରିମାଣ ଯଥେଷ୍ଟ କମାଇବାପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆମର ବିତ୍ତୀୟ ନିଅଣ୍ଟ ମୁଖ୍ୟତଃ ସରକାରୀ ସହାୟତା ଓ ବିତ୍ତୀୟ ପ୍ରୋତ୍ସାହନ, ଆଭ୍ୟନ୍ତରୀଣ ଋଣ ଓ ସୁଧଦେୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନାବଶ୍ୟକ ଖର୍ଚ୍ଚ ଦାୟୀ।

ଅର୍ଥଶାସ୍ତ୍ରୀମାନେ ଏହି ସ୍ତରର ବିତ୍ତୀୟ ନିଅଣ୍ଟକୁ ଯଥେଷ୍ଟ କମାଇବାକୁ ପରାମର୍ଶ ଦେଇଛନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ମଧ୍ୟ ସମାନ ମତ ରଖନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ସଂସ୍କୃତି ବିଷୟରେ ମତ ରଖିଛନ୍ତି। ସହାୟତା ଓ ପ୍ରୋତ୍ସାହନ ଅର୍ଥଶାସ୍ତ୍ରୀଙ୍କ ଆୟତ୍ତରେ ନାହିଁ। ଏହା ସମ୍ପୂର୍ଣ୍ଣ ରାଜନୈତିକ ପରିସର ଭିତରକୁ ଚାଲିଯାଇଛି। ଶତଦ୍ରୁ ସିକ୍‌ଦାର ଓ ସୁଦୀପ୍ତ ମୁଣ୍ଡଲେ (ଅର୍ଥଶାସ୍ତ୍ରୀ) ହିସାବକରି ଦେଖିଛନ୍ତି ଯେ ଅପକୃଷ୍ଟ ସରକାରୀ ସହାୟତା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫.୭ ପ୍ରତିଶତ, ଯାହା ଭିତରୁ ସଂଯୁକ୍ତ ରାଜ୍ୟମାନଙ୍କର କେବଳ ୪.୧ ପ୍ରତିଶତ। ତେଣୁ ଏବେ ସଂସ୍କାର ପ୍ରକ୍ରିୟା ରାଜ୍ୟମାନେ ହାତକୁ ନିଅନ୍ତୁ; ନହେଲେ ଭବିଷ୍ୟତରେ ଅବସ୍ଥା ସମ୍ଭାଳିବା କଷ୍ଟକର ହେବ। ଏହାଦ୍ବାରା ଶ୍ରମିକ ଅଂଶଗ୍ରହଣ ହାର କମିକମି ୪୦.୦ ପ୍ରତିଶତରେ ପହଞ୍ଚିଛି ଏବଂ ତାହା କ୍ରମାଗତ କମିବ। ଉଭୟ ଉତ୍ପାଦନ ଓ ଉତ୍ପାଦିକତା ହାସ ହେବ। ଯଦି ଚାଉଳ ଦୁଇ ଟଙ୍କାରେ ଓ ଗହମ ତିନିଟଙ୍କାରେ ଭାରତର ଦୁଇ-ତୃତୀୟାଂଶ ଲୋକଙ୍କୁ ଦିଆଯାଏ, ଏହା ଦ୍ବାରା ଦୁଇ, ତିନିଟଙ୍କାରେ କିଣି ଖାଇବାର ପାପଚକ୍ର ଆମ ପିଛା ଛାଡ଼ିବ ନାହିଁ।

ଏହିସବୁ ସ୍ଥିତିକୁ ବିଚାର କରି ବିତ୍ତୀୟ ନିଅଣ୍ଟକୁ କମାଇବା ଜରୁରୀ ମନେହୁଏ। କରୋନା ପୂର୍ବରୁ ନିଅଣ୍ଟ ଲକ୍ଷ୍ୟ ଜିଡ଼ିପିର ୩.୦ ପ୍ରତିଶତ ଥିଲା, ଯାହା କରୋନା କାଳରେ ଖୁବ୍‌ ବଢ଼ିଲା ଓ ପରେପରେ ସାମାନ୍ୟ କମିଲା। କରୋନା କାଳରେ ବିଶ୍ବର ପ୍ରାୟ ସବୁଦେଶରେ ବିତ୍ତୀୟ ନିଅଣ୍ଟ ଆମଭଳି ବଢ଼ିଛି। ଏବେ ସଂଯୁକ୍ତ (କେନ୍ଦ୍ର ଓ ରାଜ୍ୟ ସମୂହ) ବିତ୍ତୀୟ ନିଅଣ୍ଟ ୧୦.୦ ପ୍ରତିଶତ (ଜିଡିପିର)। ଋଣ-ଜିଡିପି ଅନୁପାତ ପାଖାପାଖି ୯୦.୦ ପ୍ରତିଶତ କିନ୍ତୁ ଲକ୍ଷ୍ୟ ୬୦.୦ ପ୍ରତିଶତ। ଏମଏସ ଆହ୍ଲୁୱାଲିଆଙ୍କ ପୁସ୍ତକ ‘ଦି ଷ୍ଟୋରି ବିହାଇଣ୍ଡ୍‌ ଇଣ୍ଡିଆସ୍‌ ହାଇ ଗ୍ରୋଥ୍‌ ଇଅର୍ସ’ରେ ସେ ବିତ୍ତୀୟ ସଂସ୍କାର ଓ ବଜେଟ ପରିଚାଳନା କଥା କହିଛନ୍ତି। ତାଙ୍କ ମତରେ ବିତ୍ତୀୟ ନିଅଣ୍ଟିଆ ସ୍ଥିତି ଏହି ସ୍ତରରେ ରହିଲେ ଆଜି ନହେଲେ କାଲି ଅର୍ଥବ୍ୟବସ୍ଥାରେ ସଂକଟ ସୃଷ୍ଟି କରିବ। ଏବେ ଉତ୍ପାଦନ ବଢ଼ିଛି, ରାଜସ୍ବ ବଢ଼ିଛି, କରୋନା କମିଛି ତେଣୁ ବିତ୍ତୀୟ ସାଧନର ପ୍ରମୁଖ ବ୍ୟୟ ବିଭିନ୍ନ ଉପାୟରେ ଅନିୟମିତତା ଦୂର କରାଯାଇ ବିତ୍ତୀୟ ବିଜ୍ଞତାର ପରିଚୟ ଦିଆଯାଉ। ତେଣୁ ସଂଯୁକ୍ତ ଋଣଭାର ପୂର୍ବ ଲକ୍ଷ୍ୟ ଜିଡିପିର ୬୦.୦ ପ୍ରତିଶତରେ ସୀମିତ ରହୁ।
ସରକାର ବିତ୍ତୀୟ ଧାରା, ନିଅଣ୍ଟ ଓ ଋଣ ପୂର୍ବରୁ ନିର୍ଦ୍ଧାରଣ କରନ୍ତୁ ଓ ସୂଚାଇ ଦିଅନ୍ତୁ। ରାଜ୍ୟ ସରକାରଙ୍କ ଋଣ ସୀମା ନିର୍ଦ୍ଧାରଣ ଜରୁରୀ। ୨୦୨୨-୨୩ ବର୍ଷପାଇଁ କେତେ ନିଅଣ୍ଟ ରହିବ ବଜେଟ୍‌ରୁ ଜାଣିଲେ ୨୦୨୩-୨୪ ଓ ୨୦୨୪-୨୫ ପାଇଁ ବିତ୍ତୀୟ ସ୍ଥିତି କ’ଣ ହେବ ପ୍ରକ୍ଷେପଣ କରିବା ଏକ ବିଚାରବନ୍ତ ବିତ୍ତୀୟ ନୀତି। ଏହି ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର କେତେ ଋଣ କରିପାରିବେ ସୂଚିତ ହେବା ଦରକାର। ଉଦ୍ଦେଶ୍ୟ ସାଧା ଓ ସିଧା। ସଂଯୁକ୍ତ ବିତ୍ତୀୟ ନିଅଣ୍ଟକୁ ୧୦.୦ ପ୍ରତିଶତରୁ ୫.୦ ପ୍ରତିଶତ କରିବା। ଗଣତନ୍ତ୍ରରେ ରାଜନୈତିକ ଓ ସମାଜର ଚାପଥାଏ। ପ୍ରତ୍ୟେକ ରାଜନୈତିକ ଦଳ ଆଗାମୀ ଚାରି/ପାଞ୍ଚ ବର୍ଷ ଭିତରେ ଏହି ନିଅଣ୍ଟିଆ ପରିମାଣ ଜିଡିପିର ୫.୦ ପ୍ରତିଶତରେ ରଖିବାପାଇଁ ସହଯୋଗ କରନ୍ତୁ। ଦରଦାମ ବୃଦ୍ଧି ଜନିତ ସମସ୍ୟା ଆମ ଅର୍ଥବ୍ୟବସ୍ଥାର ପୁରୁଣା ବେମାରୀ। ରାଜ୍ୟମାନେ ଋଣକୁ ନେଇ ସତର୍କ ରହିବା ଦରକାର, କାରଣ ପରବର୍ତ୍ତୀ ପର୍ଯ୍ୟାୟରେ ସଂସ୍କାରଭାର ସେମାନଙ୍କୁ ନେବାକୁ ପଡ଼ିବ ଓ ଉଚ୍ଚ ଆର୍ଥିକ ଅଭିବୃଦ୍ଧି ନହେଲେ ନିୟୋଜନ ସମ୍ଭବ ନୁହେଁ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାଛିବାଛିି ମୌଳିକ ବା ଅର୍ଥବ୍ୟବସ୍ଥାର ଆଧାର କ୍ଷେତ୍ରରେ ଖର୍ଚ୍ଚ କରନ୍ତୁ ଯାହା ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଏବେ ଜଳବାୟୁ ଜନିତ ଅନିୟମିତତା କୃଷିକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ। ତେଣୁ ୨.୦ ଭିତ୍ତିଭୂମିରେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ, ୧.୦ ପ୍ରତିଶତ ଶିକ୍ଷା, ୧.୦ ପ୍ରତିଶତ ସ୍ବାସ୍ଥ୍ୟ, ୦.୫ ପ୍ରତିଶତ ଗବେଷଣା, ୦.୫ ପ୍ରତିଶତ ପୁଞ୍ଜି ବୃଦ୍ଧି ଦିଗରେ ବ୍ୟୟ ହେବା ଉଚିତ। ଅନୁତ୍ପାଦୀ ବ୍ୟୟ ସଂକୋଚନ ଟିକସ ଆଦାୟ ବୃଦ୍ଧି କ୍ଷେତ୍ରରେ ସଂସ୍କାର ଜରୁରୀ। ଆମ ଦେଶର ଋଣ ମୁଖ୍ୟତଃ ଆଭ୍ୟନ୍ତରୀଣ, କାଁ ଭାଁ ବିଦେଶୀ ଋଣ ତେଣୁ ସଂକଟ କମ୍‌। ହେଲେ ରିଜର୍ଭ ବ୍ୟାଙ୍କର ସୁଧ ବୃଦ୍ଧି ସରକାରଙ୍କ ଋଣ ଓ ସୁଧ ପରିଶୋଧ ଦିଗରେ କୁପ୍ରଭାବ ପକାଇବ ଓ ବିତ୍ତୀୟ ନିଅଣ୍ଟ ବୃଦ୍ଧି କରିବ। ସରକାରୀ ବ୍ୟୟ ବୃଦ୍ଧିଜନିତ ଘରୋଇ ନିବେଶ ହ୍ରାସ ମାରାତ୍ମକ। ସରକାରୀ ସହାୟତା, ବିତ୍ତୀୟ ପ୍ରୋତ୍ସାହନ ମାୟାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନପଡ଼ନ୍ତୁ। ୨୦୨୧-୨୨ ପ୍ରଥମ ତ୍ରୟମାସିକ ହିସାବରେ ଆର୍ଥିକ ଅଭିବୃଦ୍ଧି ହାର ୧୬.୦ ପ୍ରତିଶତ, ଚତୁର୍ଥ ତ୍ରୈମାସିକରେ ୪.୦ ପ୍ରତିଶତ, ଏ କ’ଣ? କେତେ ନିୟୋଜନ କରିପାରିବା? ଘରୋଇ ନିବେଶର ଉଜ୍ଜୀବନ ଉଚ୍ଚ ଆର୍ଥିକ ଅଭିବୃଦ୍ଧି ପାଇଁ ଜରୁରୀ। ତେଣୁ ରିଜର୍ଭ ବ୍ୟାଙ୍କର ବିତ୍ତୀୟ ନିଅଣ୍ଟ ମେଳଖୁଆ ମୌଦ୍ରିକ ନୀତି ଘରୋଇ କ୍ଷେତ୍ରର ନିବେଶପାଇଁ ଉପଯୁକ୍ତ ନୁହେଁ। ସରକାରଙ୍କ ଋଣ ଉପରେ ରିଜର୍ଭ ବ୍ୟାଙ୍କ ଅଂକୁଶ ଲଗାଉ, ନ ହେଲେ ପୁରୁଣା ରୋଗଟି ମାରାତ୍ମକ ହେବ ଓ ବୈଦେଶିକ ନେଣଦେଣ ବଢ଼ିବ ଯାହା ଏବେ ସୃଷ୍ଟି ହୋଇଛି ଓ ଆନ୍ତର୍ଜାତିକ ସ୍ତରରେ ଭାରତ କିଣାବିକା କ୍ଷେତ୍ରରେ ପ୍ରତି​‌େ​‌ଯାଗିତା କରିବା କଷ୍ଟ ହେବ। ଅର୍ଥଶାସ୍ତ୍ରୀମାନେ ଅନୁଭବ କରୁଛନ୍ତି ଯେ ବର୍ଷ ଶେଷ ବେଳକୁ ବିଶ୍ବ ସ୍ଥାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ।
ବର୍ତ୍ତମାନ ଆମେ ସଂକଟରେ ନାହାନ୍ତି। ଚାଳରୁ ଘର ଭିତରେ ବର୍ଷା ହେବା ପୂର୍ବରୁ ଛାଆଣି ହେବା ଜରୁରୀ। ସରକାରୀ ସହାୟତା, ବିତ୍ତୀୟ ପ୍ରୋତ୍ସାହନ, ଆଭ୍ୟନ୍ତରୀଣ ଋଣ ଅନୁତ୍ପାଦୀ ବ୍ୟୟ ହ୍ରାସ ହେଉ ଓ ରାଜ୍ୟ ସରକାର ଏବେ ସଂସ୍କାର କାର୍ଯ୍ୟକ୍ରମ ହାତକୁ ନେଇ ଘ​‌େ​‌ରାଇ ନିବେଶ ବୃଦ୍ଧି, ସାର୍ବଜନୀନ ଦ୍ରବ୍ୟ ବିତରଣ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟର ଗୁଣାତ୍ମକମାନ ବଢ଼ାନ୍ତୁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories