ଭାରତରେ ଇଂରାଜୀ ଶିକ୍ଷାର ଗତି ଓ ଦୁର୍ଗତି
ମହେନ୍ଦ୍ର ସାହୁ
୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ବାଧୀନ ହେବା ପରଠାରୁ ଇଂରାଜୀ ଭାଷାକୁ ନେଇ ଆମ ଦେଶରେ ଦୁଇ ପରସ୍ପର ବିରୋଧୀ ଚିନ୍ତାଧାରା ରହି ଆସିଛି। କେତେକଙ୍କ ମତରେ ଦେଶ ତ ସ୍ବାଧୀନ ହେଲା। ଇଂରେଜମାନେ ଦେଶଛାଡ଼ି ଚାଲିଗଲେ। ପୁଣି ତାଙ୍କ ଭାଷା ଆମ ଦେଶରେ ରହିବ କାହିଁକି? ଆମର କ’ଣ ଭାଷାର ଅଭାବ ରହିଛି କି? ଆମର ପ୍ରତ୍ୟେକ ଅଞ୍ଚଳର ନିଜନିଜ ମାତୃଭାଷା ରହିଛି। ରାଷ୍ଟ୍ରଭାଷାର ଭୂମିକା ନିର୍ବାହ କରିବା ପାଇଁ ଦେଶର ସର୍ବାଧିକ ବ୍ୟବହୃତ ଭାଷା ହିନ୍ଦୀ ରହିଛି। ଦେଶର ସାଂସ୍କୃତିକ ସମ୍ପଦ ଯଥା: ବେଦ, ଉପନିଷଦ, ରାମାୟଣ, ମହାଭାରତ ଆଦିର ଅଧ୍ୟୟନ ପାଇଁ ସଂସ୍କୃତ ଭାଷା ରହିଛି। ତେଣୁ ଇଂରେଜ ସାମ୍ରାଜ୍ୟବାଦର ପ୍ରତୀକ ଏ ଇଂରାଜୀ ଭାଷାକୁ ତୁରନ୍ତ ଦେଶରୁ ବିଦା କରାଯାଉ। ଆଉ କେତେକ ଏ ଯୁକ୍ତିକୁ ଆଦୌ ଗ୍ରହଣ କରନ୍ତି ନାହିଁ। ବରଂ ସେମାନେ ଚାହାନ୍ତି ତାଙ୍କ ପିଲାଏ ଭାରତୀୟ ନାମ ବଦଳରେ ଇଂରାଜୀ ନାମରେ ପରିଚିତ ହୁଏନ୍ତୁ। ବର୍ଷେ ଦୁଇ ବର୍ଷ ବୟସରୁ, ଏପରି କି ସମ୍ଭବ ହେଲେ ଆହୁରି ପୂର୍ବରୁ ଇଂରାଜୀ ଶିଖନ୍ତୁ। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତୁ। କଥା କଥାରେ ଇଂରାଜୀ କୁହନ୍ତୁ। ବାପା, ମାଆ, କକା, ଖୁଡ଼ୀଙ୍କୁ ଡାଡ଼ି, ମମି, ଅଙ୍କଲ, ଆଣ୍ଟି ବୋଲି ଡାକନ୍ତୁ। ନମସ୍କାର କରିବା, ମୁଣ୍ଡ ନୁଆଁଇ ପାଦଛୁଇଁ ପ୍ରଣାମ କରିବା ପରିବର୍ତ୍ତେ ଗୁଡ୍ମର୍ଣ୍ଣିଙ୍ଗ୍, ଗୁଡ୍ଇଭିନିଙ୍ଗ୍, ହାଏ, ହେଲୋ ଆଦି କୁହନ୍ତୁ। ବାହାରକୁ ଯିବା, ଭିତରକୁ ଆସିବା ପାଇଁ ଅନୁମତି ଇଂରାଜୀରେ ମାଗନ୍ତୁ। ଅଭିନନ୍ଦନକୁ ଇଂରାଜୀରେ ଜଣାନ୍ତୁ। ଧନ୍ୟବାଦ ବି ଇଂରାଜୀରେ ଦିଅନ୍ତୁ। ନିମନ୍ତ୍ରଣ ପତ୍ରକୁ ଇଂରାଜୀରେ ଛପାନ୍ତୁ। ଜନ୍ମ ଦିନକୁ ବି ଇଂରାଜୀ ରୀତିରେ ଅର୍ଥାତ୍ କେକ୍ କାଟି, ମହମବତି ଲିଭାଇ ‘ହେପି ବାର୍ଥ ଡେ ଟୁ ୟୁ’ ଗୀତ ଗାଇ ପାଳନ କରନ୍ତୁ……। ବର୍ତ୍ତମାନ ଆମ ଆଗରେ ଏକ ବିରାଟ ପ୍ରଶ୍ନ। ଏମାନଙ୍କ ମଧ୍ୟରୁ କାହା ବାଟଟି ଆମ ପାଇଁ ଠିକ୍? ସେଥିପାଇଁ ଉଭୟଙ୍କ କଥାକୁ ବିଚାରକୁ ନିଆଯାଉ।
ଇତିହାସରୁ ଜଣାପଡ଼େ ଯେ ଇଂରାଜୀ ଭାଷାଟି ଆମ ଦେଶକୁ ଇଂରେଜମାନଙ୍କ ସହ ଆସିଥିଲା, ଯେଉଁମାନେ ବ୍ୟବସାୟ ଉଦ୍ଦେଶ୍ୟରେ ଆସି ଏଠାରେ ଶାସକ ପାଲଟି ଯାଇଥିଲେ ଏବଂ ପ୍ରାୟ ଦୁଇ ଶହ ବର୍ଷ ଧରି ଆମ ଦେଶକୁ ଶାସନ କରିଥିଲେ। ତେଣୁ ଇଂରାଜୀକୁ ଇଂରେଜମାନଙ୍କର ଭାଷା ବୋଲି ଆମେ ଜାଣୁ; କିନ୍ତୁ ଏହା ଆଉ କେବଳ ଇଂରେଜମାନଙ୍କର ଭାଷା ହୋଇ ରହିନାହିଁ। ଇତିହାସର କେତେକ ଅପ୍ରତ୍ୟାଶିତ ଘଟଣା ଯୋଗୁଁ ବର୍ତ୍ତମାନ ଏହା ସମଗ୍ର ପୃଥିବୀର ଏକ ପ୍ରମୁଖ ଭାଷା। ତେଣୁ ଏଫ.ବି.ଫ୍ରେଞ୍ଚ କହନ୍ତି, ‘ଇଂରାଜୀ କହି ପାରୁଥିବା ଯାତ୍ରୀଟିଏ ଯେଉଁଠାକୁ ଯାଉନା କାହିଁକି, ତା’କଥା ବୁଝି ପାରୁଥିବା ଲୋକଟିଏ ପାଇଯିବ ଏବଂ ଇଂରାଜୀ ପଢ଼ି ପାରୁଥିବା ଲୋକଟିଏ ତା ନିଜ ଘରୁ ନ ବାହାରି ମଧ୍ୟ ସାରା ପୃଥିବୀ ସହିତ ସମ୍ପର୍କ ରକ୍ଷା କରି ପାରିବ।’’
ସଂପ୍ରତି ଅନ୍ତର୍ଜାତୀୟ କ୍ଷେତ୍ରରେ ଶିଳ୍ପ, ବିଜ୍ଞାନ, କାରିଗରୀ ବିଦ୍ୟା, ବାଣିଜ୍ୟ, ବ୍ୟବସାୟ ଆଦିର ବ୍ୟାପକ ପ୍ରସାର ଘଟିଛି। ତା’ ସହିତ ଗମନାଗମନ ଏବଂ ପରିବହନ ବ୍ୟବସ୍ଥାର ମଧ୍ୟ ଉନ୍ନତି ଘଟିଛି। ପୃଥିବୀର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଅଳ୍ପ ସମୟ ଭିତରେ ପହଞ୍ଚିବା ସମ୍ଭବ ହେଉଛି। ଦେଶଦେଶ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଯୋଗୁଁ ସେଗୁଡ଼ିକ ଅପେକ୍ଷାକୃତ ନିକଟତର ହୋଇଛନ୍ତି। ପରସ୍ପର ମଧ୍ୟରେ ନିର୍ଭରଶୀଳତା ବୃଦ୍ଧି ପାଇଛି, ସାଂସ୍କୃତିକ ଆଦାନପ୍ରଦାନ ସମ୍ଭବ ହେଉଛି। ଆଶାୟୀଙ୍କ ପାଇଁ ବିଶ୍ବବ୍ୟାପୀ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି। ତେଣୁ କୁହାଯାଏ ସମଗ୍ର ପୃଥିବୀ ବର୍ତ୍ତମାନ ଏକ ବିଶ୍ବଗ୍ରାଗରେ ପରିଣତ ହୋଇଛି ଏବଂ ଅନ୍ତର୍ଜାତୀୟ ସ୍ତରରେ ଯୋଗାଯୋଗର ମାଧ୍ୟମ ଭାବରେ ମୁଖ୍ୟତଃ ଯେଉଁ ଭାଷାଟିକୁ ବ୍ୟବହାର କରାଯାଉଛି ତାହା ହେଲା ଇଂରାଜୀ। ସେ ଦୃଷ୍ଟିରୁ ଇଂରାଜୀ ବର୍ତ୍ତମାନ ଏକ ବିଶ୍ବଭାଷା ଏବଂ ତା’ର ସମକକ୍ଷ ଅନ୍ୟ କୌଣସି ଭାଷା ନାହିଁ।
ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ବିଶ୍ବବିଦ୍ୟାଳୟ ଶିକ୍ଷା ଆୟୋଗଙ୍କ ମତରେ, ‘ଇଂରାଜୀ ଏପରି ଏକ ଭାଷା ଯାହାର ସାହିତ୍ୟ: ମାନବତତ୍ତ୍ବ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ସମୃଦ୍ଧ। ଆମେ ଯଦି ଭାବପ୍ରବଣତାର ଶିକାର ହୋଇ ତାକୁ ହାତଛଡ଼ା କରୁ, ଜ୍ଞାନର ଚିର ବର୍ଦ୍ଧନଶୀଳ ପ୍ରବହମାନ ସ୍ରୋତଟି ଆମଠାରୁ ବିଚ୍ଛିନ୍ନ ହୋଇଯିବ। ଏହାର ଅଭାବରେ ଆମ ଶିକ୍ଷାର ମାନରେ ଦ୍ରୁତ ଅବକ୍ଷୟ ପରିଲକ୍ଷିତ ହେବ ଏବଂ ବିଶ୍ବର ଚିନ୍ତା ରାଜ୍ୟରେ ଆମର ଯୋଗଦାନ- ନଗଣ୍ୟ ସ୍ତରକୁ ଖସିଆସିବ। ଏହା ଆମ ରାଜନୈତିକ ଜୀବନ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେବ, କାରଣ ସମସାମୟିକ ରାଷ୍ଟ୍ରଗୁଡ଼ିକୁ ସମୟ ସହ ତାଳ ଦେଇ ଗତି କରିବା ସହ ପାରିପାର୍ଶ୍ବିକ ଆହ୍ବାନର ମଧ୍ୟ ତତ୍କ୍ଷଣାତ୍ ମୁକାବିଲା କରିବାକୁ ପଡ଼େ। ସେ ଦୃଷ୍ଟିରୁ ପୃଥିବୀରେ ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇ ନ ରହିବାପାଇଁ ଇଂରାଜୀ ହେଉଛି ଏକମାତ୍ର ଉପାୟ ଏବଂ ଆମେ ତାକୁ ଛାଡ଼ି ନିଜକୁ ଅଜ୍ଞତା ରୂପକ କଳା ପରଦାର ଏକ ବେଷ୍ଟନୀ ଭିତରେ ଆବଦ୍ଧ କରି ରଖିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ହେବନାହିଁ। ଆମର ଯେଉଁ ଛାତ୍ରଛାତ୍ରୀମାନେ କୌଣସି ବିଶ୍ବବିଦ୍ୟାଳୟ କିମ୍ବା ବୃତ୍ତିରେ ପ୍ରବେଶ କରିବା ପାଇଁ ବିଦ୍ୟାଳୟମାନଙ୍କରେ ଶିକ୍ଷାଗ୍ରହଣ କରୁଛନ୍ତି, ସେମାନେ ଇଂରାଜୀରେ ଯଥେଷ୍ଟ ଦକ୍ଷତା ହାସଲ କରିବା ନିହାତି ଦରକାର ଯାହାଦ୍ବାରା ସେମାନେ ଜ୍ଞାନରୂପକ ସମ୍ପଦର ସାନ୍ନିଧ୍ୟ ଲାଭ କରି ପାରିବେ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକରେ ଯେଉଁମାନେ ଇଂରାଜୀ ଲେଖକମାନଙ୍କର କୃତିଗୁଡ଼ିକୁ ସହଜ ଏବଂ ସ୍ବଚ୍ଛନ୍ଦ ଭାବରେ ପଢ଼ି ବୁଝିପାରିବାର ଦକ୍ଷତା ହାସଲ କରି ନଥିବେ ସେମାନଙ୍କୁ କୌଣସି ଶିକ୍ଷାଗତ ଉପାଧି ପ୍ରଦାନ କରାଯିବା ଉଚିତ ନୁହେଁ।
ତା ସହିତ ଏ କଥା ମଧ୍ୟ ସତ ଯେ ଇଂରାଜୀ ସହ ଆମର ଦୀର୍ଘ ଦୁଇ ଶହ ବର୍ଷର ସମ୍ପର୍କ ଯୋଗୁଁ ଆମ ଦେଶରେ ଏହାର ଏକ ଦୃଢ଼ ଭିତ୍ତିଭୂମି ରହିଛି ଏବଂ ଏହା ଦେଶରେ ବର୍ତ୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହାରି ମାଧ୍ୟମରେ ଆଧୁନିକ ଶିକ୍ଷାଲାଭ କରିଥିବା ଲୋକେ ସମାଜର ଶିକ୍ଷାଦୀକ୍ଷାରୁ ବଞ୍ଚିତ ଲୋକମାନଙ୍କର ନେତୃତ୍ବ ନେଇ ଦେଶ ତଥା ସମାଜର ଆଧୁନିକୀକରଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ଯାହା ଫଳରେ ଆମେ ଆଜି ପ୍ରଗତିର ଏହି ସୋପାନରେ ପହଞ୍ଚିପାରିଛୁ। ତେବେ ମୁଦ୍ରାଟିଏର ଦୁଇଟି ପାର୍ଶ୍ବ ଥିଲା ପରି ଏହାର ଅନ୍ୟ ପାର୍ଶ୍ବଟିଏ ମଧ୍ୟ ରହିଛି ଯାହା ଆମ ମୁଣ୍ଡ ବ୍ୟଥାର କାରଣ ହେଉଛି। ଏହି ଇଂରାଜୀ ଶିକ୍ଷାପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ନିଜଲୋକ, ନିଜ ଭାଷା, ନିଜ ସଂସ୍କୃତି ଆଦିକୁ ହୀନ ଦୃଷ୍ଟିରେ ଦେଖିବାର ଏକ ପ୍ରବୃତ୍ତି ମଧ୍ୟ ସୃଷ୍ଟି ହୋଇଛି ଯାହା କାଳକ୍ରମେ ଏକ ପରମ୍ପରାରେ ପରିଣତ ହୋଇ ଏ ଯାଏ ଚାଲିଆସିଛି। ଏହା କେବଳ ଆମ ପାଇଁ ନୁହେଁ ଆମ ପୂର୍ବସୂରୀମାନଙ୍କ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟି ଥିବାର ତତ୍କାଳୀନ ସମାଜର ସାହିତ୍ୟକୃତି ଗୁଡ଼ିକରୁ ଜଣାପଡ଼େ। ଏଠାରେ ଓଡ଼ିଆ ସାହିତ୍ୟ ଜଗତର ଦୁଇଟି ଗଳ୍ପ: ଫକିର ମୋହନ ସେନାପତିଙ୍କ ‘ଡାକ ମୁନ୍ସି’ ଏବଂ ‘ସଭ୍ୟ ଜମିଦାର’କୁ ଉଦାହରଣ ଭାବରେ ନିଆଯାଇପାରେ।
‘ଡାକ ମୁନ୍ସି’ ଗଳ୍ପରେ ଇଂରାଜୀ ପାଠ ପଢ଼ିଥିବା ପୁଅ ନିଜ ବାପକୁ କହେ, ‘ଏଟା ମୂର୍ଖ, ଇଂରାଜୀ ଜାଣେ ନାହିଁ- ମୂଲିଆ-ମଳିଆ ଲୁଗା ପିନ୍ଧିଥାଏ; ଏଟାକୁ ବାପ ବୋଲି ଡାକିବି, ଲୋକେ କ’ଣ କହିବେ।’ ବାପ ବିଚରାଟି ନିଜେ ଉପାସ ରହି ପୁଅକୁ ଇଂରାଜୀ ପାଠ ପଢ଼ାନ୍ତି ଯେଉଁ ପାଠ ପଢ଼ି ସେ ଡାକ ମୁନ୍ସି ପଦଟିଏ ପାଏ; କିନ୍ତୁ ପରବର୍ତ୍ତୀ କାଳରେ ସେହି ବାପାଙ୍କ ବାର୍ଦ୍ଧକ୍ୟରେ ତାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରେ। ତାଙ୍କ ଜର ଏବଂ କାଶରେ ବିରକ୍ତ ହୋଇ ତାଙ୍କୁ କିଆ ବାଡ଼ରେ ଫୋପାଡ଼ିଦେଇ ଆସିବା ପାଇଁ ପିଅନକୁ ହୁକୁମ ଦିଏ। ତାଙ୍କ ଛାତିରେ ଇଂରାଜୀ ଘୁଷି ମାରି ତାଙ୍କ ବିଛଣାପତ୍ର ବାହାରକୁ ଫୋପାଡ଼ି ଦିଏ।
‘ସଭ୍ୟ ଜମିଦାର’ ଗଳ୍ପରେ ଇଂରାଜୀ ଶିକ୍ଷାପ୍ରାପ୍ତ ‘ସଭ୍ୟ’ ଜମିଦାରଙ୍କ ଦୃଷ୍ଟିରେ ଦେଶୀ କନ୍ୟାଗୁଡ଼ିକ ଅସଭ୍ୟ, ବିଦେଶୀ କନ୍ୟା ସଭ୍ୟ; ବିବାହରେ ବରଯାତ୍ରୀ, ରୋଶଣି ଆଦି ନେଇ ଯିବା, ବର କନ୍ୟାଙ୍କୁ ଅରୁଆ ଚାଉଳ, ଦୂବ, ବରକୋଳି ପତ୍ର, ଘିଅ ଦୀପ, ଶଙ୍ଖ ହୁଳହୁଳି ଦେଇ ବନ୍ଦାଇବା ଅସଭ୍ୟତା, ବିଦେଶୀ ରୀତିନୀତିରେ ବିବାହ କରିବା ସଭ୍ୟତା; ବୋହୂଟିଏ ଶାଶୂଙ୍କୁ ମୁଣ୍ଡିଆ ମାରିବା ଅସଭ୍ୟତା, ତାଙ୍କ ସହ ହାତ ମିଳାଇବା ସଭ୍ୟତା; ଗୋବର ପାଣିରେ ଚୁଲି ଲିପିବା ଅସଭ୍ୟତା, କିନ୍ତୁ ଜୋତାମାଡ଼ି ହାଣ୍ଡିଶାଳକୁ, ମନ୍ଦିର ଭିତରକୁ ପଶିବା ସଭ୍ୟତା; ପିତାର ମୃତ୍ୟୁରେ କାନ୍ଦିବା ଅସଭ୍ୟତା; ଶୋକସଭାର ଆୟୋଜନ କରି ହାତରେ କଳାକନା ବାନ୍ଧି ବକ୍ତୃତା ଦେବା ସଭ୍ୟତା। ସେହିପରି ବୋହୂକୁ ବୋହୂ ସାଆନ୍ତାଣୀ ବୋଲି କହିବା ଅସଭ୍ୟତା, ମିସେସ୍ ମହାପାତ୍ର ବୋଲି କହିବା ସଭ୍ୟତା। କହି ନପାରିଲେ ବରଂ କିସ୍ମିସ୍ ମହାପାତ୍ର, ମିସ୍ତ୍ରୀ ମହାପାତ୍ର କି ଫିସ୍ଫିସ୍ ମହାପାତ୍ର ବୋଲି କହିଲେ ଚଳିବ କିନ୍ତୁ ବୋହୂ ସାଆନ୍ତାଣୀ ଆଦୌ ନୁହେଁ।
ଏ ପରିପ୍ରେକ୍ଷୀରେ ଇଂରାଜୀକୁ ଛାଡ଼ିବା ଆମ ପକ୍ଷରେ ବୁଦ୍ଧିମାନର କାର୍ଯ୍ୟ ନ ହୋଇପାରେ; କିନ୍ତୁ ଏ ଧରଣର ଇଂରାଜୀ ଶିକ୍ଷା ଆମ ପାଇଁ ସ୍ପୃହଣୀୟ କି? ଏ ଦିଗରେ ଚିନ୍ତା କରିବା ମାତ୍ରେ ମହାତ୍ମା ଗାନ୍ଧୀଙ୍କ ଉକ୍ତିଟିଏ ସ୍ବତଃ ମନକୁ ଆସିଯାଏ। ତାହା ହେଲା, ‘ମୁଁ ମୋ ଦୁଆର ଝରକା ବନ୍ଦ କରିବାକୁ ଚାହେଁ ନାହିଁ। ପବନ (ସଂସ୍କୃତି) ଆସୁ, କିନ୍ତୁ ସେତିକି ନ ଆସୁ ଯେତିକିରେ ମୋ ପାଦ ଦୋହଲି ଯିବ। େସ ପରି ହେଲେ ମୁଁ ମୋ ଦୁଆର ଝରକା ବନ୍ଦ କରିବାକୁ ବାଧ୍ୟ ହେବି।।’ ବାସ୍, ପବନ ଆସୁ କିନ୍ତୁ ଆମ ପାଦ ଦୋହଲି ନ ଯାଉ। ଏହା ହିଁ ଆମର ଧ୍ୟେୟ ହେବ ଉଚିତ, ନୁହେଁ କି?
Comments are closed.